କଟକ, ୦୧/୦୪ : ଆଉ ମାତ୍ର ୧୦ ବର୍ଷ । ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ମହୋତ୍ସବ ଭାବେ ପାଳନ ହେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ। ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ପାଇଥିଲା । ୨୦୩୬ ଶତବର୍ଷିକୀ ସମାରୋହରେ ଗଲା ଶହେ ବର୍ଷର ଅନେକ ସଂଘର୍ଷ, ସଫଳତା, ଉତ୍‌ଥାନର ସ୍ମୃତି ପ୍ରଦର୍ଶନ ହେବ । କିନ୍ତୁ ସେତେବେଳକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆନ୍ଦୋଳନର ମୂକସାକ୍ଷୀ କଟକ ସେଲ୍‌ଟର୍‌ ଛକ ସ୍ଥିତ ଇଦ୍‌ଗାହ ପଡ଼ିଆର ‘ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ’ର ସ୍ମୃତିଚିହ୍ନ ହୁଏତ ହଜିଯାଇଥିବ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଦିନେ ଏଇଠୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଉନ୍ନତି ପାଇଁ ସଂକଳ୍ପ ନିଆଯାଇଥିଲା । କିନ୍ତୁ ଆଜି ଏହା ନିଶ୍ଚିହ୍ନ ହେବା ସ୍ଥିତିରେ । ୨୦୦୩ରେ ଓଡ଼ିଶା ସରକାର ଉତ୍କଳ ସମ୍ମିଳନୀର ଏକ ଶତବାର୍ଷିକୀ ସ୍ମୃତିସ୍ତମ୍ଭ ଶିଳାନ୍ୟାସ କରି ଏହାର ସର୍ବାଙ୍ଗୀନ ବିକାଶ ପାଇଁ ୧୮ ଗୁଣ୍ଠ ଜାଗା ଦେଇଥିଲେ । ଏବେ ସବୁତକ ଜମି ଜବରଦଖଲରେ । ମାତ୍ର ୧୮ କଡ଼ି ଜାଗା ବଞ୍ଚିଛି ଯେଉଁଠି ଠିଆ ହୋଇଛି ସ୍ମୃତିସ୍ତମ୍ଭ । ଆଉ କିଛି ବର୍ଷ ପରେ ସ୍ମୃତିସ୍ତମ୍ଭ ବି ସେଠି ନଥିବ । 

ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଇ ରାଜ୍ୟ ସରକାର ‘ଓଡ଼ିଶା ଦିବସ’ ପାଳନ କରୁଛନ୍ତି । ଏପ୍ରିଲ୍‌ ୧ ତାରିଖରୁ ଓଡ଼ିଆ ନୂଆବର୍ଷ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ପାଳନ କରାଯାଉଛି ଓଡ଼ିଆ ପକ୍ଷ । କିନ୍ତୁ ଓଡ଼ିଆ ଅସ୍ମିତାର ବହ୍ନି ଯେଉଁଠି ଜଳିଥିଲା ସେହି ସ୍ମୃତି ବିଜଡ଼ିତ ସ୍ଥାନ ଏବେ ନିଜ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛି । କେବଳ ଓଡ଼ିଶା ଦିବସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ପୁଣ୍ୟତିଥି ଛାଡ଼ିଦେଲେ ଏଠି ଅନ୍ୟ ସମୟରେ କାହାର ପାଦ ପଡ଼େନି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଇଦ୍‌ଗାହ ପଡ଼ିଆ ରାସ୍ତା, ଉତ୍କଳ ସମ୍ମିଳନୀ ସ୍ମୃତିସ୍ତମ୍ଭକୁ ଭୁଲି ସାରିଲେଣି । ଇଦ୍‌ଗାହ ପଡ଼ିଆର ବିକାଶ ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) କରିଥିବା ଯୋଜନା ସମ୍ପୂର୍ଣ୍ଣ ବାଟବଣା । ଏହି ଫାଇଲ୍‌ କେଉଁଠି ପଡ଼ିଛି ସେ କଥା ବି କେହି ଜାଣନ୍ତି ନାହିଁ । ସେପଟେ ଉତ୍କଳ ସମ୍ମିଳନୀଠାରୁ ଆରମ୍ଭ କରି ଅନ୍ୟ ଓଡ଼ିଆପ୍ରେମୀ ସଂଗଠନ ଯେମିତି ସ୍ୱର ଉଠାଇବା କଥା ତାହା ବି ହେଉନାହିଁ । ବିଶେଷ କରି ଗତ କିଛି ବର୍ଷ ଧରି ଉତ୍କଳ ସମ୍ମିଳନୀର ସାଂଗଠନିକ ବିବାଦ ଲାଗିରହିଥିବାରୁ ପ୍ରଶାସନ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଧରି ଏହାର ବିକାଶ କଥା ଆଲୋଚନା କରିବାକୁ ପ୍ରସ୍ତୁତ ହେଉନି । 

ଉତ୍କଳ ସମ୍ମିଳନୀ ୧୯୦୩ରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ଥାପିତ ହୋଇଥିଲା । ସଂଗଠନର ମୁଖ୍ୟ ଲକ୍ଷ୍ୟ ଥିଲା ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବା । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକ ଇଦ୍‌ଗାହ ପଡ଼ିଆଠାରେ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ ହୋଇଥିଲା । ଏହି ସଭାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପ୍ରାୟ ୧୦ ହଜାର ବିଶିଷ୍ଟ ବ୍ୟକ୍ତି ସ୍ୱତନ୍ତ୍ର ଓଡ଼ିଶା ପାଇଁ ସଂକଳ୍ପ ନେଇଥିଲେ । ମାତ୍ର ଏବେ ଏହି ସ୍ମୃତିକୁ ସସମ୍ମାନେ ସଜେଇ ରଖିବା ପାଇଁ କାହାର ଆଗ୍ରହ ନାହିଁ । 

୨୦୦୩ରେ ଉତ୍କଳ ସମ୍ମିଳନୀର ଶତବାର୍ଷିକୀ ଅବସରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଦ୍‌ଗାହ ଆସି ସ୍ମୃତିସ୍ତମ୍ଭ ପ୍ରତିଷ୍ଠା କରିଥିଲେ । ସିଡିଏକୁ ଏହାର ବିକାଶ ଦାୟିତ୍ୱ ଦିଆଯାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । କିନ୍ତୁ ପରେ ଏହା ଉପରେ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ ଇଦ୍‌ଗାହ ପଡ଼ିଆରେ ଥିବା ଏହି ଜମିରେ ବସ୍ତି କାୟା ବିସ୍ତାର କରିବାରେ ଲାଗିଛି । କଟକ ମହାନଗର ନାଗରିକ ମହାସଭା ସଭାପତି ଡାକ୍ତର ରବି ରଞ୍ଜନ ସାହୁ କହନ୍ତି, ଇତିହାସର ଏହି ମୂକସାକ୍ଷୀର ବିକାଶ ଦାୟିତ୍ୱ ରାଜ୍ୟ ସରକାର ହାତକୁ ନେବା ଜରୁରି । ପୂର୍ବରୁ ଏନେଇ ଅନେକ ଥର ଦାବି ହୋଇଛି । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବହୁ ଅଧିକାରୀଙ୍କୁ ଭେଟିବାକୁ ଚେଷ୍ଟା କରାଯାଇଛି କିନ୍ତୁ ଏହି ସ୍ମୃତି ନିଶ୍ଚିହ୍ନ ହୋଇଚାଲିଛି ବୋଲି ଡାକ୍ତର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ଓଡ଼ିଆ ଅସ୍ମିତାର ମହାକୁମ୍ଭ: ଆରମ୍ଭ ହେଲା ‘ଓଡ଼ିଆ ପକ୍ଷ–୨୦୨୬’, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ