ନୂଆଦିଲ୍ଲୀ: ସୋଭିଏତ୍ ୟୁନିଅନ୍ ଭାଙ୍ଗିବାର ପ୍ରାୟ ତିନି ଦଶନ୍ଧି ପରେ, ରୁଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଶିଖିବା ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି, ରୁଷ ସରକାର ହିନ୍ଦୀ ପଢ଼ାଉଥିବା ଅନୁଷ୍ଠାନର ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ରୁଷର ଶିକ୍ଷା ଏବଂ ବିଜ୍ଞାନ ଉପମନ୍ତ୍ରୀ କନଷ୍ଟାଣ୍ଟିନ ମୋଗିଲେଭସ୍କି କହିଛନ୍ତି, "ଆମେ ଚାହୁଁଛୁ ଯେ ଆମର ଅଧିକ ଛାତ୍ରଛାତ୍ରୀ ହିନ୍ଦୀ ଶିଖନ୍ତୁ। ଭାରତ ଆଜି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ସେଠାକାର ଲୋକମାନେ ଏବେ ଇଂରାଜୀ ବଦଳରେ ଦୈନନ୍ଦିନ ଜୀବନରେ ହିନ୍ଦୀର ବ୍ୟବହାର ବୃଦ୍ଧି କରୁଛନ୍ତି। ଏପରି ପରିସ୍ଥିତିରେ, ଆମକୁ ହିନ୍ଦୀ ଏବଂ ଅନ୍ୟାନ୍ୟ ପୂର୍ବ ଭାଷା ମଧ୍ୟ ଶିଖିବାକୁ ପଡିବ।"
ଛାତ୍ର ମାନଙ୍କ ମଧ୍ୟରେ ହିନ୍ଦୀ ଶିଖିବାର ଚାହିଦାକୁ ଦୃଷ୍ଟିରେ ରଖି ରୁଷ ଶିକ୍ଷା ମନ୍ତ୍ରଣାଳୟ ଏହାକୁ ଅଧିକ ଶିକ୍ଷାନୁଷ୍ଠାନରେ ପ୍ରଚଳନ କରିବାକୁ ଯୋଜନା କରିଛି। ବର୍ତ୍ତମାନ, MGIMO ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରିଲେସନ୍ସ, ,ରୁଷିଆନ୍ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ହ୍ୟୁମାନିଟିଜ୍ (RSUH), ଇନଷ୍ଟିଚ୍ୟୁଟ୍ ଅଫ୍ ଏସିଆନ୍ ଆଣ୍ଡ ଆଫ୍ରିକୀୟ ଷ୍ଟଡିଜ୍ ଅଫ୍ ମସ୍କୋ ଷ୍ଟେଟ୍ ୟୁନିଭର୍ସିଟି ଏବଂ ମସ୍କୋରେ ମସ୍କୋ ଷ୍ଟେଟ୍ ଲିଙ୍ଗୁଇଷ୍ଟିକ୍ ୟୁନିଭର୍ସିଟି ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନରେ ହିନ୍ଦୀ ପଢ଼ାଯାଉଛି। ସେହି ସମୟରେ, ସେଣ୍ଟ ପିଟର୍ସବର୍ଗ ଷ୍ଟେଟ୍ ୟୁନିଭରସିଟି ଏବଂ କାଜାନ ଫେଡେରାଲ୍ ୟୁନିଭରସିଟିରେ ମଧ୍ୟ ହିନ୍ଦୀ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି।
ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ପରେ, ମସ୍କୋର ସର୍ବପୁରାତନ ହିନ୍ଦୀ ବୋର୍ଡିଂ ସ୍କୁଲ ବନ୍ଦ ହୋଇଗଲା। ସେହି ସମୟରେ, ରେଡିଓ ମସ୍କୋ ହିନ୍ଦୀ ପ୍ରସାରଣ ବନ୍ଦ କରିଦେଲା ଏବଂ ରୁଷୀୟ ଲେଖକଙ୍କ ହିନ୍ଦୀ ଅନୁବାଦିତ ପୁସ୍ତକ ଛାପିବା "ପ୍ରୋଗ୍ରେସ" ଏବଂ "ରାଦୁଗା" ପ୍ରକାଶନ ସଂସ୍ଥା ଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲା।