ନୂଆଦିଲ୍ଲୀ : ଟର୍ମ ଲାଇଫ୍‌ ଇନ୍ସୁରାନ୍ସ ଓ ସିନିୟର ସିଟିଜେନ୍ସଙ୍କ ଦ୍ୱାରା ହେଲଥ୍‌ ଇନ୍ସୁରାନ୍ସ ପାଇଁ ପେମେଣ୍ଟ କରାଯାଉ ଥିବା ପ୍ରିମିୟମକୁ ଟ୍ୟାକ୍ସ ଫ୍ରି କରାଯାଇ ପାରେ। ଜିଏସଟି କାଉନ୍ସିଲ ଦ୍ୱାରା ଗଠିତ GoM ଏହାର ସୁପାରିଶ କରିଛି। ଏହାସହ GoM ୨୦ ଲିଟରର ପାଣି ବୋତଲ, ସାଇକେଲ ଓ ପ୍ରାକ୍ଟିସ୍‌ ନୋଟବୁକ୍ ଉପରେ ଟ୍ୟାକ୍ସର ଦର ହ୍ରାସ କରି ୫ ପ୍ରତିଶତ କରିବାର ନିଷ୍ପତ୍ତି ନେଇଛି। ଅନ୍ୟପଟେ ମହଙ୍ଗା ହାତ ଘଣ୍ଟା ଓ ଜୋତା ଉପରେ ଟ୍ୟାକ୍ସ ବୃଦ୍ଧି କରିବାର ପରାମର୍ଶ ଦେଇଛି। ହେଲେ ଏହି ସମ୍ୱନ୍ଧରେ ଶେଷ ନିଷ୍ପତ୍ତି ଜିଏସଟି କାଉନ୍ସିଲ ଦ୍ୱାରା ନିଆଯିବ। 

GoM ୨୦ ଲିଟର ଓ ଏହା ଠାରୁ ଅଧିକ ପରିମାଣର ପାଣି ବୋତଲ ଉପରେ ଜିଏସଟିକୁ ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିବାର ପରାମର୍ଶ ଦେଇଛି। ଏହା ବ୍ୟତୀତ ଅଭ୍ୟାସ ନୋଟବୁକ୍‌ ଉପରେ ଜିଏସଟି ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିବାର ସୁପାରିଶ ମଧ୍ୟ କରିଛି। ଏହିପରି ୧୦,୦୦୦ଟଙ୍କାରୁ କମ୍‌ ଦାମ୍‌ର ସାଇକେଲ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିବାର ସୁପାରିଶ କରିଛି। GoM ୧୫,୦୦୦ଟଙ୍କାରୁ ଅଧିକ ଦାମ୍‌ର ଜୋତା ଓ ୨୫,୦୦୦ଟଙ୍କାରୁ ଅଧିକ ଦାମ୍‌ର ହାତ ଘଣ୍ଟା ଉପରେ ଜିଏସଟି ୧୮ ପ୍ରତିଶତରୁ ବଢାଇ ୨୮ ପ୍ରତିଶତ କରିବାକୁ ମଧ୍ୟ ସୁପାରିଶ ଦେଇଛି।

କହି ରଖୁଛି କି, ଲାଇଫ୍ ଓ ହେଲଥ୍‌ ଇନ୍ସୁରାନ୍ସ ସମେତ ଅନ୍ୟ ମାମଲାରେ ନିଷ୍ପତ୍ତି ନେବାକୁ ମନ୍ତ୍ରୀ ସମୂହ ଅର୍ଥାତ୍‌ GoMର ଶନିବାର ବୈଠକ ହୋଇଥିଲା। ବୈଠକ ବେଳେ ବରିଷ୍ଠ ସିଟିଜନ୍ସଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କାର କଭରେଜ୍‌ ଥିବା ହେଲଥ୍‌ ଇନ୍ସୁରାନ୍ସ ପାଇଁ ପେମେଣ୍ଟ କରାଯାଇ ଥିବା ପ୍ରିମିୟମ ଉପରେ ଜିଏସଟି ମୁକ୍ତ କରାଯିବାର ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ୫ ଲକ୍ଷ ଟଙ୍କାରୁ ଅଧିକ ହେଲଥ୍‌ ଇନ୍ସୁରାନ୍ସ କଭରେଜ୍‌ ପାଇଁ ପେମେଣ୍ଟ କରାଯାଇ ଥିବା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସିଟ ଜାରି ରହିବ। ବର୍ତ୍ତମାନ ଟର୍ମ ପିଲିସି ଓ ଫ୍ୟାମିଲି ଫ୍ଲୋଟର ପଲିସି ପାଇଁ ପେମେଣ୍ଟ କରାଯାଇ ଥିବା ଲାଇଫ୍‌ ଇନ୍ସୁରାନ୍ସ ପ୍ରିମିୟମରେ ୧୮ ପ୍ରତିଶତ ଜିଏସଟି ଲଗାଯାଉଛି।

ଜିଏସଟି କାଉନ୍ସିଲ ଗତ ମାସରେ ନିଜର ବୈଠକରେ ହେଲଥ୍‌ ଓ ଲାଇଫ୍‌ ଇନ୍ସୁରାନ୍ସ ପ୍ରିମିୟମ ଉପରେ ଟ୍ୟାକ୍ସ ବିଷୟରେ ନିଷ୍ପତ୍ତି ନେବାକୁ ୧୩ ସଦସ୍ୟ ବିଶିଷ୍ଟ ମନ୍ତ୍ରୀ ସମୂହ ଗଠିତ କରିବାର ନିଷ୍ପତ୍ତି ନେଇଥିଲା। ସମ୍ରାଟ ଚୌଧୁରୀ ମନ୍ତ୍ରୀ ସମୂହର ସଂଯୋଜକ। ଏଥିରେ ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ,କେରଳ, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ,ମେଘାଳୟ, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନାର ମନ୍ତ୍ରୀ ସାମିଲ ଅଛନ୍ତି। ମନ୍ତ୍ରୀ ସମୂହଙ୍କୁ ଅକ୍ଟୋବରର ଶେଷ ସୁଦ୍ଧା କାଉନ୍ସିଲକୁ ନିଜ ରିପୋର୍ଟ ପ୍ରଦାନର ନିର୍ଦ୍ଦେଶ ଦିଆ ଯାଇଥିଲା।