ରାୟଗଡ (ଗଜପତି) ୧।୪ ( ସୌମ୍ୟ ରଂଜନ ପଟ୍ଟନାୟକ) - ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ବହୁ ବାଧାବିଘ୍ନ ସହି ଅସଂଖ୍ୟ ପୂର୍ବସୁରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ l ଏହି ମହାନ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସେବେକାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏହାର ପୁରୋଧା ସାଜିଥିଲେ l ହେଲେ ଆଜି ସେହି ସ୍ୱତନ୍ତ୍ର ପ୍ରଦେଶର ଅସ୍ତିତ୍ୱ ବଞ୍ଚାଇବାକୁ ଅନେକ ସଂଘର୍ଷ, ବାଦ - ପ୍ରତିବାଦ ଦେଇ ଗତି କରୁଛନ୍ତି ମହେନ୍ଦ୍ରଗିରିର ପାଦଦେଶରେ ଅବସ୍ଥିତ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନ ଗଙ୍ଗାବାଡ ପଞ୍ଚାୟତବାସୀ l ସ୍ୱତନ୍ତ୍ର ପ୍ରଦେଶ ଗଠନର ଦୀର୍ଘ ନବେ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ସ୍ଥାନୀୟ ପଞ୍ଚାୟତବାସୀ ନିଜ ପରିଚୟ, ପରମ୍ପରା, ସଂସ୍କୃତି ଓ ଅସ୍ଥିତ୍ୱକୁ ଖୋଜି ପାଇପାରୁନାହାନ୍ତି l ବିଭିନ୍ନ ସମୟରେ ଏଠାକାର ସୀମା ନିର୍ଦ୍ଧାରଣ , ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପର୍ବପର୍ବାଣୀ ଆଦିକୁ ନେଇ ମଧ୍ୟ ଅନେକ ଥର କେଉଁଠି ନା କେଉଁଠି ବିବାଦ ମୁଣ୍ଡ ଟେକୁଥିବା ନଜିର ରହିଛି l
ଉକ୍ତ ପଞ୍ଚାୟତ ୧୯୭୩ ମସିହାରେ ଅବିଭକ୍ତ କଇଁପୁର ପଞ୍ଚାୟତରୁ ଅଲଗା ହୋଇ ସମୁଦାୟ ୨୩ ଛୋଟ ବଡ଼ ଗ୍ରାମକୁ ନେଇ ସ୍ୱତନ୍ତ୍ର ଭାବେ ଗଙ୍ଗାବାଡ଼ ପଞ୍ଚାୟତ ଗଠନ ହୋଇଥିଲା l ଏହି ପଞ୍ଚାୟତର ଶତ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ଦୁର୍ଗମ ପାହାଡିଆ ଅଞ୍ଚଳରେ ଏହାର ଅବସ୍ଥିତି l ନୂଆ ପଞ୍ଚାୟତ ଗଠନ ହୋଇସାରିଥିଲେ ମଧ୍ୟ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଅନେକ ଭିତ୍ତିଭୂମିର ଅଭାବ ରହିଛି। ତେବେ ଏହି ପଞ୍ଚାୟତର ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାତଟି ସ୍କୁଲ ଖୋଲାଯାଇଛି l ଏହି ସ୍କୁଲମାନଙ୍କରେ ୩୬୦ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ପୂର୍ବରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଆନ୍ଧ୍ରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଥିଲେ l ଶେଷରେ ପ୍ରଶାସନର ଉଦ୍ୟମ ଫଳରେ ବର୍ତ୍ତମାନ ସେହି ଛାତ୍ରଛାତ୍ରୀଙ୍କୁ ପୁଣି ନିଜ ଗ୍ରାମରେ ଥିବା ସ୍କୁଲମାନଙ୍କରେ ପାଠ ପଢୁଥିବା ଦେଖାଯାଇଛି l କିନ୍ତୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କହିଲେ ସେମାନଙ୍କୁ ଆଜି ବି ଆନ୍ଧ୍ର ମେଡିକାଲ ଏକମାତ୍ର ଭରସା ପାଲଟିଛି l
ଦୁଇ ରାଜ୍ୟର ୩ ଜିଲ୍ଲାର ଏକ ଗାଁ ତିନି ନାଁ, ଏଯାଏ ସ୍ଵଷ୍ଟ ହେଲା ନାହିଁ ଗାଁ କାହାର
ସେହିପରି ସବୁଠୁ ବଡ଼ ସମସ୍ୟା ଭାବେ ଆନ୍ଧ୍ର - ଓଡିଶା ସୀମା ବିବାଦ ସ୍ଥାନୀୟ ଜନସାଧାରଣ ଏବଂ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି l ଉକ୍ତ ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ଓଡିଶା ସରକାରଙ୍କ ଯୋଜନା ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ କେତେକ ଆନ୍ଧ୍ର ସରକାରଙ୍କ ଯୋଜନାଗୁଡିକ ମଧ୍ୟ ଉପଲବ୍ଧ ହେଉଅଛି l ଯାହାଫଳରେ ଉପୋରକ୍ତ ସୁବିଧା ହାତଉଥିବା ପରିବାର ଓ ବସ୍ତିକୁ ନିଜର ବୋଲି ଆନ୍ଧ୍ର ଦାବୀ କରୁଛି। ଯେପରିକି ଏହି ପଞ୍ଚାୟତର ବହୁ ଚର୍ଚ୍ଚିତ ଗୁଡିଖୁଡି ଗ୍ରାମ l ଏଠାରେ ୩୪ ପରିବାରର ୧୩୭ ଲୋକ ବସବାସ କରିଆସୁଛନ୍ତି l ଉକ୍ତ ଗ୍ରାମ ଦୁଇଟି ରାଜ୍ୟର ତିନୋଟି ନାମରେ ନାମିତ ହୋଇଛି l ଫଳରେ ଉକ୍ତ ଗ୍ରାମକୁ ଓଡ଼ିଶାର ଗଜପତି, ଗଞ୍ଜାମ ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଅଂଶବିଶେଷ ଗ୍ରାମ ବୋଲି ସେମାନେ ଦାବୀ କରୁଥିବାବେଳେ ଏଯାଏଁ କିନ୍ତୁ ଉକ୍ତ ଗ୍ରାମ କାହାର, ତାହା ଓଡିଶା ସରକାର ସ୍ୱଷ୍ଟ କରିପାରିଲା ନାହିଁ lଏହାରି ଭିତରେ ଗୁଡ଼ିଖୁଡି ଗ୍ରାମବାସୀ ଆନ୍ଧ୍ର ପ୍ରତି ଆଶକ୍ତ ରହିଥିବା ଦେଖିବାକୁ ମିଳୁଛି l ଉକ୍ତ ଗ୍ରାମରେ ଆନ୍ଧ୍ରର ପ୍ରଭାବ ମଧ୍ୟ ଅଧିକ ରହିଥିବା ପରିଲକ୍ଷିତ ହେଉଛି l ଏହି ଗ୍ରାମ ଗଜପତି ଜିଲ୍ଲା ରେକର୍ଡ ଅନୁଯାୟୀ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଳ ପଞ୍ଚାୟତର ଅବଣ୍ଡିଆ ଏବଂ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅଧିନ ବୁଢାରସିଂ ପଞ୍ଚାୟତର ଗୁଡିଖୋଳା ଗ୍ରାମ ଭାବେ ଉଲ୍ଲେଖ ରହିଛି l ଏହି ଗ୍ରାମର ଜଣେ ମହିଳା ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନ ବାସଗୃହଠାରେ ପାତ୍ରପୁର ବ୍ଲକ ବୁରାତାଳ ପଞ୍ଚାୟତ ଅଧିବାସୀ ଭାବେ ଫଳକରେ ଉଲ୍ଲେଖ ରହିଛି l ସେହିଭଳି ଉକ୍ତ ଗୁଡିଖୁଡି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଗଜପତି ଜିଲ୍ଲା ଅଧିନରେ କାର୍ଯ୍ୟ କରୁଥିବା କେନ୍ଦ୍ରର ନାମଫଳକରୁ ସ୍ୱଷ୍ଟ ହେଉଥିବାବେଳେ ଠିକ ସେହି ଗ୍ରାମର ଅନେକ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫଳକରେ ଆନ୍ଧ୍ରପ୍ରଦେଶ ଅଧିବାସୀ ଭାବେ ଉଲ୍ଲେଖ କରାଯାଇଅଛି l ଏପରି ସ୍ଥଳେ ଗୁଡିଖୁଡି - ଗୁଡିଖୋଳା - ଅବଣ୍ଡିଆ ଏଭଳି ଭ୍ରମାତ୍ମକ ଗୋଟିଏ ଗ୍ରାମ ତିନୋଟି ନାମ କେଉଁ ରାଜ୍ୟ ଓ ଜିଲ୍ଲାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l
ଉକ୍ତ ପଞ୍ଚାୟତର ବିଦ୍ୟୁତ ସେବା ଠାରୁ ଆରମ୍ଭ କରି ଆବାସିକ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଦି ପ୍ରାୟ ସମସ୍ତ ସୁବିଧା ଆନ୍ଧ୍ର ସରକାର ଯୋଗାଉଥିବା ବେଳେ ଲୋକଙ୍କୁ ଆଧାର କାର୍ଡ, ରାସନ କାର୍ଡ ମଧ୍ୟ ଆନ୍ଧ୍ର ପ୍ରଦାନ କରିଛି l ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଧାର ଓ ରାସନ କାର୍ଡକୁ ବ୍ୟବହାର ନକରି ଲୋକେ ଆନ୍ଧ୍ର ଆଧାର ଓ ରାସନ କାର୍ଡ ଆଦି ପ୍ରସ୍ତୁତ କରି ସେଠାକାର ସରକାରୀ ସୁବିଧା ପାଉଥିବା ଜଣାପଡିଛି l ଏପଟେ ରାୟଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ପାନୀୟଜଳ ଯୋଗାଣ, ବ୍ରିଜ ନିର୍ମାଣ, ଭତ୍ତା, ରାସ୍ତଘାଟ ଆଦି ଯୋଗାଇ ଦିଆଯାଇଥିବା ବେଳେ ପ୍ରାୟ ୨୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନା ପ୍ରଦାନ କରାଯାଇଥିଲା l ତେବେ ଗ୍ରାମବାସୀ ଏହାକୁ ଗ୍ରହଣ ନକରି ଆନ୍ଧ୍ରର ଆବାସ ଯୋଜନା ହାତେଇଥିବା ସରପଞ୍ଚ ହରିବନ୍ଧୁ କାର୍ଜି ଅଭିଯୋଗ କରିଛନ୍ତି l ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ୨୦୨୫ ମସିହାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ କରକମଳରେ ଗୁଡ଼ିଖୋଳା ଠାରୁ ବିଲୁଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ରାସ୍ତା ନିର୍ମାଣ କାର୍ଯ୍ୟ ସହ କେତକ ପରିବାରକୁ ମଧ୍ୟ ଆବାସ ଯୋଜନା ପ୍ରଦାନ କରିଥିବା ଜଣାପଡିଛି I
ଏହି ଗ୍ରାମର ପ୍ରାୟତଃ ପରିବାର ନିକଟରେ ଉଭୟ ରାଜ୍ୟର ବିଭିନ୍ନ କାର୍ଡ ରହିଛି l ଆନ୍ଧ୍ର ଓ ଓଡ଼ିଶା ସରକାର ତଥା ପ୍ରଶାସନ ଆସି ଏଠାରେ ସୁବିଧା ଦେଉଛନ୍ତି, ତାର ଲାଭ ଉଠାଉଛନ୍ତି ଗ୍ରାମବାସୀ l ଗଙ୍ଗାବାଡ଼ ପଞ୍ଚାୟତର ଏଭଳି ପରିସ୍ଥିତିରେ ଏହି ଗୋଟିଏ ଗ୍ରାମ ନୁହଁ, ଏମିତି ଅନେକ ଗ୍ରାମରେ ଏପରି ପରିସ୍ଥିତି ରହିଛି l ଏପଟେ ଉଭୟ ରାଜ୍ୟର ଭୋଟର କାର୍ଡ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇ ଥିବାବେଳେ ସେମାନେ ତିନୋଟି ସ୍ଥାନରେ ଭୋଟ ଦେଉଥିବା ଜଣାପଡ଼ଛି I ଉକ୍ତ ସମସ୍ୟା ର ସମାଧାନ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଲୋକେ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ ହୋଇଥିବା ସରପଞ୍ଚ ଶ୍ରୀ କାର୍ଜି ଉଦବେଗ ପ୍ରକାଶ କରିଛନ୍ତି l