ଭୁବନେଶ୍ୱର,୦୮/୧୦: ଏଣିକି ମନଇଚ୍ଛା ମନ୍ତ୍ରୀଙ୍କ ଓଏସ୍‌ଡି ବା ବ୍ୟକ୍ତିଗତ ସଚିବ ନିଯୁକ୍ତି  ହୋଇପାରିବନି । କୌଣସି ମନ୍ତ୍ରୀ ସୁପାରିସ କଲେ ତାଙ୍କ ପସନ୍ଦର ଅଫିସରଙ୍କୁ ଓଏସ୍‌ଡି/ବ୍ୟକ୍ତିଗତ ସଚିବ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏହା  ଉପରେ କଟକଣା ଲାଗିବ । ଏଥିପାଇଁ ଏକ ବିସ୍ତୃତ  ମାର୍ଗଦର୍ଶିକା(ଏସ୍‌ଓପି) ଆସିଛି । କେବଳ ଅତିରିକ୍ତ  ସଚିବ ବା ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ହିଁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିବେ । ଏହି ପାହ୍ୟାର ଅଧିକାରୀଙ୍କ ନାମରେ କୌଣସି ଭିଜିଲାନ୍ସ ମାମଲା ଥିଲେ ବା ତାଙ୍କ ସିସିଆର ଭଲ ନଥିଲେ ତାଙ୍କୁ ନିଯୁକ୍ତି ଦିଆଯିବନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ମନ୍ତ୍ରୀଙ୍କ ଓଏସ୍‌ଡି ହେବା ପାଇଁ ସେ ଯୁଗ୍ମ ସଚିବ  ବା ଉପସଚିବ ପାହ୍ୟାର ଅଧିକାରୀ ହେବା ଦରକାର ।  ଯେଉଁ ବିଭାଗ ମନ୍ତ୍ରୀଙ୍କ ଅଧୀନରେ ଓଏସ୍‌ଡି ନିଯୁକ୍ତ  ହେବେ ସେ ସଂପୃକ୍ତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କଠାରୁ  ଗୋଟିଏ ର‌୍ୟାଙ୍କ ଜୁନିଅର ହୋଇଛିବା ଜରୁରି । ସେହିଭଳି  ଗତ ୫ ବର୍ଷ ଧରି ଯେଉଁ ଅଫିସର କୌଣସି ମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ବା ଓଏସ୍‌ଡି ଥିଲେ ସେ ପୁଣି ଥରେ  ଏହି ପଦରେ ରହି ପାରିବେନି । ୫ ବର୍ଷର ବ୍ୟବଧାନ  ପରେ ହିଁ ସେ ପୁଣି ଥରେ କୌଣସି ମନ୍ତ୍ରୀଙ୍କ ବ୍ୟକ୍ତିଗତ  ସଚିବ ବା ଓଏସ୍‌ଡି ହୋଇପାରିବେ ।  

ସେହିଭଳି କୌଣସି ଅଫିସରଙ୍କ ବିରୋଧରେ  ଭିଜିଲାନ୍ସ ମାମଲା ଥିଲେ ସେ ଓଏସ୍‌ଡି/ବ୍ୟକ୍ତିଗତ  ସଚିବ ହେବାକୁ ଯୋଗ୍ୟ ହେବେନି । ଓଡ଼ିଶା  ସିଭିଲ ସର୍ଭିସେସ୍‌(ଓସିଏସ୍‌) ସିସି ଆଣ୍ଡ  ଏ ରୁଲ୍‌ସ୍‌ ଅନୁସାରେ କୌଣସି ଅଫିସରଙ୍କ  ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିଲେ ସେ ମନ୍ତ୍ରୀଙ୍କ ପାଖରେ  ନିଯୁକ୍ତ ହୋଇପାରିବେନି । ସେହିଭଳି ସିସିଆର  ବା ପିଏଆର୍‌ରେ ଉପରିସ୍ଥ ଅଫିସର ଯଦି  କୌଣସି ନକାରାତ୍ମକ ମନ୍ତବ୍ୟ ଦେଇଥିବେ  ଓଏସ୍‌ଡି/ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତି  ମିଳିବନି । ପୂର୍ବ ୬୦ ମାସ ବା ୫ ବର୍ଷରେ  ତାଙ୍କ ସିସିଆର/ପିଏଆରରେ ‘ଅତି ଉତ୍ତମ’  ବା ‘ସର୍ବୋତ୍ତମ’ ମନ୍ତବ୍ୟ ମିଳିଥିବା ଦରକାର । ଶେଷ ୬୦ ମାସରେ ଯଦି ଏନଆରସି ବା ନୋ ରିମାର୍କସ୍‌ ସାର୍ଟିଫିକେଟ୍‌ ଦିଆଯାଇଥିବ ତେବେ ତାଙ୍କୁ  ଏହି ନିଯୁକ୍ତି ପାଇଁ ବିଚାର କରାଯିବନି । ସବୁ ବିଭାଗ  ଏହି ମାର୍ଗଦର୍ଶିକା ଅନୁସାରେ ଓଏସ୍‌ଡି ବା ବ୍ୟକ୍ତିଗତ  ସଚିବ ନିଯୁକ୍ତି ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।