ନୂଆଦିଲ୍ଲୀ: ଗୁଜୁରାଟ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ (ଏଟିଏସ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ମିଳିତ ଭାବେ ଅରବ ସାଗରରେ ଏକ ବଡ଼ ଧରଣର ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନ ଚଳାଇ ପ୍ରାୟ ୩୦୦ କିଲୋଗ୍ରାମ ମାଦକ ଦ୍ରବ୍ୟ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୮୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ମାଦକ ଦ୍ରବ୍ୟ ମେଥାମ୍ଫେଟାମାଇନ ବୋଲି ସନ୍ଦେହ କରାଯାଉଛି। ଏହି ମାଦକ ଦ୍ରବ୍ୟକୁ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ଦ୍ୱାରା ସମୁଦ୍ରରେ ଫୋପାଡ଼ି ଦିଆଯାଇଥିଲା।
ଅଧିକାରୀଙ୍କ କହିବା ଅନୁଯାୟୀ, ଏପ୍ରିଲ ୧୨ ଓ ୧୩ ତାରିଖ ମଧ୍ୟରାତ୍ରିରେ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା (ଆଇଏମବିଏଲ) ନିକଟରେ ଏହି ଅଭିଯାନ ଚାଲିଥିଲା। ଗୁଜୁରାଟ ଏଟିଏସରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ତଟରକ୍ଷୀ ବାହିନୀ ଏକ ଜାହାଜ ପଠାଇଥିଲେ। ତଟରକ୍ଷୀ ଜାହାଜକୁ ଦେଖି ଚୋରା ଚାଲାଣକାରୀମାନେ ମାଦକ ଦ୍ରବ୍ୟଗୁଡ଼ିକୁ ସମୁଦ୍ରରେ ଫୋପାଡ଼ି ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନୀ ଜଳସୀମାକୁ ପଳାଇଯାଇଥିଲେ।
ମଧ୍ୟରାତିରେ ତଟରକ୍ଷୀ ବାହିନୀ ସମୁଦ୍ରରୁ ଏହି ମାଦକ ଦ୍ରବ୍ୟ ଉଦ୍ଧାର କରିଥିଲା। ଜବତ ହୋଇଥିବା ମାଦକ ଦ୍ରବ୍ୟକୁ ପୋରବନ୍ଦରକୁ ଅଣାଯାଇ ଗୁଜୁରାଟ ଏଟିଏସକୁ ହସ୍ତାନ୍ତର କରାଯାଇଛି। ଗୁଜୁରାଟ ଏଟିଏସ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଚାଲାଣ ପାକିସ୍ତାନରୁ ଆସିଥାଇପାରେ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଏବଂ ଏହା ଭାରତରେ ବିତରଣ ପାଇଁ ଅଣାଯାଉଥିଲା ବୋଲି ଅଧିକାରୀମାନେ ପୁଷ୍ଟି କରିଛନ୍ତି।
ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ ଏହି ଅଭିଯାନର ପ୍ରଶଂସା କରି କହିଛନ୍ତି, "ଏହା ଆମର ସଂସ୍ଥାଗୁଡ଼ିକର ଦୃଢ଼ ସହଯୋଗ ଓ ନିଷ୍ଠାକୁ ପ୍ରମାଣିତ କରୁଛି।" ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ କିଛି ବର୍ଷରେ ଏହା ତଟରକ୍ଷୀ ଓ ଏଟିଏସର ୧୩ତମ ସଫଳ ଅଭିଯାନ। ଯାହା ମାଦକ ଚୋରାଚାଲାଣ ବିରୋଧରେ ସେମାନଙ୍କର ନିରନ୍ତର ସଂଘର୍ଷକୁ ଦର୍ଶାଉଛି।
ଏହି ଘଟଣା ଗୁଜୁରାଟ ଉପକୂଳରେ ମାଦକ ଚୋରାଚାଲାଣର ବଢ଼ୁଥିବା ସମସ୍ୟାକୁ ପୁଣି ଥରେ ସାମ୍ନାକୁ ଆଣିଛି। ଯେଉଁଠାରେ ଅଫଗାନିସ୍ତାନ, ଇରାନ ଓ ପାକିସ୍ତାନ ସମେତ 'ଗୋଲ୍ଡେନ କ୍ରେସେଂଟ' ଅଞ୍ଚଳରୁ ଆସୁଥିବା ମାଦକ ଦ୍ରବ୍ୟ ପ୍ରାୟତଃ ଭାରତୀୟ ଜଳସୀମା ଦେଇ ପ୍ରବେଶ କରୁଛି। ତେବେ ଏନେଇ ତଦନ୍ତ ଜାରି ରହିଛି ଏବଂ ଏହି ଚୋରାଚାଲାଣ ନେଟୱାର୍କର ମୂଳ ସୁତ୍ର ଖୋଜିବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି।