ଭୁବନେଶ୍ୱର, ୧୪/୧୧: ଷଣ୍ଢ ଏବଂ କୁକୁର ପାର୍କ ଯାଇ କରୁଛନ୍ତି ବ୍ୟାୟମ । ମଣିଷ ଯିବା ଅବସ୍ଥାରେ ନାହିଁ । ଦୁଇବର୍ଷ ତଳେ ସାଧାରଣ ଲୋକଙ୍କ ପାଇଁ ସରକାର କରିଥିବା ମୁକ୍ତାକାଶ ବ୍ୟାୟମଶାଳା ହାଲତ ଏମିତି ହୋଇଛି । ଖାଲି ସେତିକି ନୁହେଁ, କେଉଁଠି ଉଠାଦୋକାନୀ କବଜା କଲେଣି, ତ ପୁଣି କେଉଁଠି କବାଡିଆବାଲା ଉଠାଇ ନେଇ ବିକ୍ରି କଲେଣି । କାହାର ଉର୍ବର ମସ୍ତିଷ୍କକୁ ଏହି ଯୋଜନା ଜୁଟିଲା, ଲୋକଙ୍କ ଟିକସରୁ କୋଟି କୋଟି ଟଙ୍କା ବାଏଁ ବାଏଁ ଉଡାଇ ଦେଲେ । ଲୋକଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିବାକୁ ବିଏମ୍ସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନାରେ(ମୁକ୍ତାରେ) ବ୍ୟାୟମଶାଳା କରିବାକୁ ଯୋଜନା ହେଲା । ରାସ୍ତାକଡ ଏବଂ ପାର୍କରେ ବିଏମ୍ସି ବ୍ୟାୟମଶାଳା କରାଗଲା । ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଜରିଆରେ ବ୍ୟାୟମଶାଳା ନିର୍ମାଣ କରାଗଲା । ହେଲେ ଏହି ବ୍ୟାୟମଶାଳାର ଅବସ୍ଥା ମାତ୍ର ବର୍ଷ କେଇଟାରେ ନଷ୍ଟ ହୋଇଗଲାଣି ।
ଡୁମଡୁମା ମିନି ପାର୍କରେ ବିଏମ୍ସି ପକ୍ଷରୁ ୮ ଲକ୍ଷ ଟଙ୍କା ବିନିମୟରେ ଜିମ୍ ଉପକରଣ ଲାଗିଥିଲା । ହେଲେ ଏହି ପାର୍କ ଅବସ୍ଥା ନ କହିଲେ ଭଲ । ପାର୍କ ଭିତରେ ଘାସ ମରିଗଲାଣି । ଜିମ୍ ଉପକରଣ ଅଚଳ ଅବସ୍ଥାରେ ରହିଛି । ଭାଙ୍ଗିରୁଜି ଗଲାଣି । ସେଠାରେ ପଲେ ଷଣ୍ଢ ବୁଲୁଛନ୍ତି । ଷଣ୍ଢ ଜିମ୍ ପାଖରେ ଶୋଇ ରହୁଛନ୍ତି । ପାୱାର ହାଉସ ଛକରୁ ନୂଆପଲ୍ଲୀ ଯିବା ରାସ୍ତା କଡରେ ହୋଇଥିବା ମୁକ୍ତାକାଶ ବ୍ୟାୟମଶାଳାକୁ ଉଠାଦୋକାନୀ ମାଡି ବସିଛନ୍ତି । ଦୋକାନ ଭିତରେ ଜିମ୍ ଉପକରଣ ରହିଛି । ଲୋକେ ଚାହିଁଲେ ବି ବ୍ୟାୟମ କରି ପାରିବେ ନାହିଁ । ଆଉ ଯେଉଁ ଗୋଟିଏ ଦୁଇଟି ଉପକରଣ ରହିଛି, ସେଠାରେ କୁକୁରଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏଠି ବି ୧୦ ଲକ୍ଷ ଖର୍ଚ୍ଚରେ ମୁକ୍ତାକାଶ ଜିମ୍ ନିର୍ମାଣ ହୋଇଥିଲା । ପୋଖରୀପୁଟ ବିଡିଏ ରାସ୍ତାରେ ବି ଅନୁରୂପ ଅବସ୍ଥା । ଜିମ୍ ଉପକରଣ ଭାଙ୍ଗିରୁଜି ଗଲାଣି । ସକାଳୁ ଜଣେ ବି ଲୋକ ବ୍ୟାୟମ କରୁନାହାନ୍ତି । ସିଆର୍ପିରୁ ଷ୍ଟୁଡିଓ ଛକ ଆସିବା ରାସ୍ତାରେ ମଧ୍ୟ ସମାନ ଅବସ୍ଥା । ଜିମ୍ ଉପକରଣ ଭାଙ୍ଗିଗଲାଣି ।
ଆଶ୍ଚର୍ଯ୍ୟର ବିଷୟ ଯେ, ମାତ୍ର ୨ ବର୍ଷ ତଳେ ବିଏମ୍ସି ପକ୍ଷରୁ ଏହି ଜିମ୍ ଉପକରଣ ଲାଗିଥିଲା । ବିଏମ୍ସି ପକ୍ଷରୁ ମୋଟ୍ ୬୫ଟି ସ୍ଥାନରେ ଏହି ମୁକ୍ତାକାଶ ବ୍ୟାୟାମଶାଳା ଖୋଲିଥିଲା । ସେଥିମଧ୍ୟରେ ୩୫ଟି ରାସ୍ତା କଡରେ ହୋଇଥିବା ବେଳେ ବାକି ୩୦ଟି ବିଭିନ୍ନ ମିନିପାର୍କରେ କରାଯାଇଥିଲା । ଏଥିପାଇଁ ବିଏମ୍ସି ମୋଟ୍ ୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହା ବାଦ୍ ଆଉ କିଛି ସ୍ଥାନରେ ଅଧିକ ସଂଖ୍ୟକ ମୁକ୍ତାକାଶ ବ୍ୟାୟମଶାଳା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରାସ୍ତାକଡରେ ଥିବା ପ୍ରାୟ ୯୦ ପ୍ରତିଶତ ଜିମ୍ ଉପକରଣ ଖରାପ ହୋଇ ରହିଛି । ବାକି କିଛି ପାର୍କରେ ଜିମ୍ ଉପକରଣ ଚାଲୁଛି । ସେଥିରେ ବି ଅଧା ଖରାପ ହୋଇ ଆସିଲାଣି । ବିଏମ୍ସିର ବିଭିନ୍ନ ୱାର୍ଡରେ ଏକାଧିକ ଏଚ୍ଏଚ୍ଜିଙ୍କୁ ଏହି କାମ ଦିଆଯାଇଥିଲା । ଏପରି କି ବିନା କାର୍ଯ୍ୟାଦେଶରେ ବି ଜିମ୍ ଉପକରଣ କିଣି ରାସ୍ତାରେ ଲଗାଯାଇଥିଲା । ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଏହି ଜିମ୍ ଖରାପ ହୋଇଛି, କିମ୍ବା ଉଠାଦୋକାନୀ ମାନେ ମାଡି ବସିଛନ୍ତି ଆମେ ଯାଞ୍ଚ କରିବୁ । ଏନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।