ଭୁବନେଶ୍ୱର, ୨୪।୮: ବର୍ଷା ଋତୁରେ ଜ୍ୱର ଆଉ ଥଣ୍ଡା ଭୟ । ରାଜ୍ୟରେ ଏବେ ଅଣାୟତ୍ତ କଲାଣି ଏଚ୍୧ଏନ୍୧ ଓ ଏଚ୍୩ଏନ୍୨ ଭୂତାଣୁ ସଂକ୍ରମଣ । ଘରେ ଘରେ ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି । ଜ୍ୱର ସାଙ୍ଗକୁ କମ୍ପରେ ଥରୁଛନ୍ତି । ହସ୍ପିଟାଲ୍ରେ ସଂକ୍ରମିତଙ୍କ ଭିଡ଼ ଜମୁଛି । ସଂକ୍ରମିତଙ୍କ ଜ୍ୱର ଭଲ ହେବାକୁ ୫ରୁ ୭ଦିନ ସମୟ ଲାଗିବ । ଏଥିରେ ରୋଗୀଙ୍କ ଶରୀରରେ ଘୋଳାବିନ୍ଧା ହେବା ସହିତ ଦୁର୍ବଳ ଲାଗିବ । ଆଉ ଲମ୍ବା ସମୟ ଧରି କାଶ ଲାଗି ରହିବ । ତେଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ବଜାଇ ରଖିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି । ଆରଏମ୍ଆରସିରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଏଚ୍୧ଏନ୍୧ ଓ ଏଚ୍୩ଏନ୍୨ ଭୂତାଣୁ ପ୍ରାଦୁର୍ଭାବ ବଢ଼ିଛି । ଏହାର ପ୍ରଭାବରେ ଲୋକ ସଂକ୍ରମିତ ହେଉଛନ୍ତି ।
ସାଧାରଣତଃ ବର୍ଷା ଋତୁରେ ଅଧିକ ମାତ୍ରାରେ ଦେଖା ଦେଇଥାଏ । ତେଣୁ ଜନସାଧାରଣ ସତର୍କ ରହିବା ସହିତ ବିଶେଷଜ୍ଞ ପରାମର୍ଶ ନେଇ ଚିକିତ୍ସା କରନ୍ତୁ । କ୍ୟାପିଟାଲ ହସ୍ପିଟାଲ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଚ୍୧ଏନ୍୧ ଓ ଏଚ୍୩ଏନ୍୨ ସ୍ୱାଇନ୍ ଫ୍ଲୁ'ର ସବ୍ଭାରିଆଣ୍ଟ ଇନ୍ଫ୍ଲୁଏଞ୍ଜା-ଏ ସଂକ୍ରମଣ ପାଇଁ ଜ୍ୱର ବ୍ୟାପୁଛି । ଇନ୍ଫ୍ଲୁଏଞ୍ଜା-ଏ ହେଉଛି ଋତୁକାଳୀନ ଭାଇରାଲ ଜ୍ୱର । ଏହା ବର୍ଷା ଓ ଶୀତ ଋତୁରେ ବ୍ୟାପିଥାଏ । ମୁଖ୍ୟତଃ ଶିଶୁ, ବୃଦ୍ଧ, ଗର୍ଭବତୀ ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଇନ୍ଫ୍ଲୁଏଞ୍ଜା ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି । ଏହି ସଂକ୍ରମଣରେ ମାଂସପେଶୀ ଯନ୍ତ୍ରଣା, ଥଣ୍ଡା, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ହେବ । ନିମୋନିଆ ଭଳି ଲକ୍ଷଣ ବି ଦେଖାଯାଇଥାଏ । ଧଇଁସଇଁ ହେବା ସହିତ ହାଲିଆ ଲାଗିବ । ଏଥିପାଇଁ ଭିଡ଼ଠୁ ଦୂରେଇ ରହିବା ଦରକାର ।