ପୁରୀ,୨୩/୦୯: ହବିଷ୍ୟାଳି ଶିବିରରେ ବିଶୃଙ୍ଖଳିତ ଆଚରଣ କଲେ କାର୍ତ୍ତିକ ବ୍ରତଧାରୀ ଏଠାରୁ ବହିଷ୍କୃତ ହେବେ । ଆବେଦନକାରୀ ହବିଷ୍ୟାଳି ଦେଇଥିବା ଅଣ୍ଡରଟେକିଂ ବା ଉଦ୍ଘୋଷଣାରେ କୌଣସି ବିବରଣୀ ଅସତ୍ୟ ହୋଇଥିବା ପରେ ଜଣାପଡ଼ିଲେ ଅଯୋଗ୍ୟ ବିବେଚିତ ହେବେ । ହବିଷ୍ୟାଳି ଶିବିରରେ ରହିବା ନିମନ୍ତେ ଧାର୍ଯ୍ୟ ସମସ୍ତ ନିୟମ ପାଳନ କରିବେ । ଏଭଳି କଡ଼ା ଆଭିମୁଖ୍ୟ ରଖି ପ୍ରଶାସନ ଚଳିତବର୍ଷ କାର୍ତ୍ତିକ ବ୍ରତଧାରୀଙ୍କ ଆବେଦନ ଗ୍ରହଣ କରିଛି । ଯାହାର ଯାଞ୍ଚ ଜାରି ରହିଛି ।
ପ୍ରଶାସନ ପକ୍ଷରୁ ବ୍ରତଧାରୀଙ୍କୁ ୫ଟି ପଏଣ୍ଟ ଥିବା ଘୋଷଣାନାମା ଦେବାକୁ କୁହାଯାଇଥିଲା । ଆବେଦନକାରୀଙ୍କ ନାମ, ଠିକଣା, ମୋବାଇଲ ନମ୍ବର, ବ୍ଲଡ୍ ଗ୍ରୁପ୍ ସାଙ୍ଗକୁ ବିଗତ ବର୍ଷ ଏହି ସୁବିଧା ସେ ନେଇଥିଲେ କି ନାହିଁ ପ୍ରଶାସନ ତଥ୍ୟ ମାଗିଥିଲା । ଦରଖାସ୍ତକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସେ ଆତ୍ମଚଳନକ୍ଷମ କି ନୁହେଁ, ମଧୁମେହ, ରକ୍ତଚାପ, ହୃତପିଣ୍ଡ ବା କିଡ୍ନୀ ରୋଗ, କ୍ୟାନ୍ସର କିମ୍ବା ଅନ୍ୟ କେଉଁ ବେମାରୀ ରହିଛି କି ନାହିଁ ସେନେଇ ବିସ୍ତୃତ ତଥ୍ୟ ମାଗିଥିଲା । ହବିଷ୍ୟାଳି ଶିବିରରେ ରହିବା ନିମନ୍ତେ ଆବେଦନକାରୀ ଶାରୀରିକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସକ୍ଷମ ବୋଲି ଘୋଷଣା ଦେବାକୁ ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା । ପ୍ରାୟ ୨୬୪୪ଟି ଆବେଦନକୁ ଏହି ଅନୁଯାୟୀ ଯାଞ୍ଚ ଚାଲିଛି ।
ସେପଟେ ସକାଳେ ଓ ସନ୍ଧ୍ୟାରେ ହବିଷ୍ୟାଳିଙ୍କୁ ମିଠା ଓ ବିନା ମିଠା ଚା’ ଯୋଗାଇ ଦେବାକୁ ପଦକ୍ଷେପ ଆରମ୍ଭ ହୋଇଛି । କାର୍ତ୍ତିକ ମାସରେ ଦୁଇଟି ଏକାଦଶୀ ପଡ଼ୁଥିବାରୁ ୨୫୦୦ରୁ ୩୦୦୦ ହଜାର ହବିଷ୍ୟାଳିଙ୍କ ପାଇଁ ତଟକା ଫଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତି ହବିଷ୍ୟାଳିଙ୍କୁ ଗୋଟିଏ ଲେଖାଏଁ ଫଳ ପ୍ୟାକେଟ ଦିଆଯିବ । ଏହା ଭିତରେ ପାଚିଲା କଦଳୀ ୩ଟା, ପିଜୁଳି ଓ ନାସପାତି ୨ଟା ଓ ସେଓ ୨ଟି ରହିବ । ଯାହାର ଓଜନ ପ୍ରାୟ ୭୫୦ ଗ୍ରାମ ହେବ।
ସେହିପରି ସମସ୍ତ ହବିଷ୍ୟାଳିଙ୍କୁ ଗୋଟାଏ ଲେଖାଏଁ ଝୋଟ ନିର୍ମିତ ସ୍ୱତନ୍ତ୍ର ଲୋଗୋ ରହିଥିବା ବ୍ୟାଗ ଭିତରେ କାର୍ତ୍ତିକ ବ୍ରତ ସରଞ୍ଜାମ ଦିଆଯିବ । ଯାହା ଭିତରେ ଗୋଟିଏ ଲେଖାଏଁ ସୂତା ଶାଢ଼ି, ଉତ୍ତରୀୟ(ଆସାମ ଗାମୁଛା), ରାଇଦାମୋଦର ବହି, ମୁଦ୍ରିତ ମୁଣି ସହ ଜପାମାଳି ଦିଆଯିବ । ହବିଷ୍ୟାଳି ଶିବିରରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କୁ ଗୋଟାଏ ଲେଖାଏଁ ସ୍ୱତନ୍ତ୍ର ଲୋଗୋ ଥିବା ଟି-ସାର୍ଟ ଦିଆଯିବ ।
ହବିଷ୍ୟାଳି ଶିବିରରେ ନିୟୋଜିତ ହେବାକୁ ଥିବା ପ୍ରାଶାସନିକ କର୍ମଚାରୀ, ସ୍ୱେଚ୍ଛାସେବୀଙ୍କ ପାଇଁ ବରା, ସିଙ୍ଗଡ଼ା, ଆଳୁଚପ, ମିଠା, ନିରାମିଷ ପେଟିସ୍, ଉପମା, ମଟର ପ୍ରଭୃତି ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ଦିନ ୩୫୦ ଜଣ ପ୍ରଶାସନିକ କର୍ମଚାରୀ, ସ୍ୱେଚ୍ଛାସେବୀଙ୍କୁ ନିମନ୍ତେ ୩୦ ଟଙ୍କିଆ ଟିଫିନ୍ ଦିଆଯିବାକୁ ପଦକ୍ଷେପ ନିଆଯାଇଛି ।
ସୂଚନାଥାଉକି, ଆସନ୍ତା ମାସ ୭ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ପ୍ରତିଥର ଭଳି ସରକାର ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ବ୍ରତ ପାଳନ ନିମନ୍ତେ ଆଗ୍ରହୀ ହବିଷ୍ୟାଳିଙ୍କ ଆବେଦନ ଆହ୍ୱାନ କରିଥିଲା । ପ୍ରଶାସନ ପ୍ରାୟ ୨୫୦୦ ହବିଷ୍ୟାଳିଙ୍କୁ ଚଳିତ ଥର ବ୍ରତ ପାଳନ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲା । ୧୯ ତାରିଖ ଦିନ ୧୦ଟାଠାରୁ ଆବେଦନ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଲକ୍ଷ୍ୟ ଆବେଦନ ସମୟ ଆରମ୍ଭର ମାତ୍ର ଘଣ୍ଟାଏ ଭିତରେ ପୂରଣ ହୋଇଯାଇଥିଲା । ତେଣୁ ପ୍ରଶାସନ ଅନ୍ଲାଇନ୍ ପଞ୍ଜୀକରଣ ପୋର୍ଟାଲ ବନ୍ଦ କରିଦେଇଥିଲା । ଯେଉଁମାନେ ଆବେଦନ କରିଛନ୍ତି ତାହାର କାଗଜପତ୍ରଗୁଡ଼ିକ ପ୍ରଶାସନ ଯାଞ୍ଚ କରୁଛି ।