ନୂଆଦିଲ୍ଲୀ, ୫।୯: ହେୟାର ଷ୍ଟାଇଲିଂ କରୁଛନ୍ତି କି ? ଯଦି ପାର୍ଲରରେ ଘଣ୍ଟା ଘଣ୍ଟା ଧରି ହେୟାର ଷ୍ଟାଇଲିଂ କରୁଛନ୍ତି, ତେବେ ଜାଣିରଖନ୍ତୁ, ନିଜେ ନିଜ ପାଇଁ ରୋଗ ଡାକି ଆଣୁଛନ୍ତି । ଆମେ ଏକ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେବୁ, ଯାହା ବିଷୟରେ ଶୁଣିଲେ ଆପଣ ହେୟାର ଷ୍ଟାଇଲିଂ କଥା ଚିନ୍ତା ବି କରିବେନି । ଏକଥା ଆମେ କହୁନୁ, ଏଭଳି ଏକ ରିପୋର୍ଟ ଦେଇଛି ଆମେରିକାର ଇଣ୍ଡିଆନାର ପର୍ଡୁ ବିଶ୍ୱବିଦ୍ୟାଳୟ । ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଯେତେବେଳେ ଆପଣ କେଶ ଷ୍ଟାଇଲିଂ ପାଇଁ ଗରମ ଉପକରଣ ବ୍ୟବହାର କରନ୍ତି, ଏହା ପ୍ରଦୂଷଣ ସୃଷ୍ଟି କରେ । ସକାଳେ ଅଫିସ୍ ପାଇଁ ପ୍ରସ୍ତୁତ ହେବା କିମ୍ୱା ବିବାହ, ପାର୍ଟି ଅବା କୌଣସି ବିଶେଷ ଅବସରରେ ମହିଳାମାନେ ହେୟାର ଷ୍ଟାଇଲିଂ କରିଥାନ୍ତି । ଅନେକ ଏଥିପାଇଁ ସେମାନଙ୍କ କେଶକୁ ଶୁଖାଇବା, ଷ୍ଟ୍ରେଟ୍ନିଂ କରିବା କିମ୍ବା କର୍ଲ କରିବା ପାଇଁ ଅନେକ ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରନ୍ତି । ବ୍ଲୋ-ଡ୍ରାୟର, ଷ୍ଟ୍ରେଟ୍ନର କିମ୍ବା କର୍ଲରରୁ ବାହାରୁଥିବା ଉତ୍ତାପ କେଶକୁ କ୍ଷତି ପହଞ୍ଚାଏ, ଯାହା କେଶ ପତଳା ହେବା, ଝଡ଼ିବା ଭଳି ସମସ୍ୟା ଦେଖାଦେଇପାରେ ।
ନିକଟରେ ଏକ ଅଧ୍ୟୟନ ଅନୁସାରେ, ଏପରି ଉପକରଣଗୁଡ଼ିକର ବ୍ୟବହାର କେବଳ କେଶ ନୁହେଁ ବରଂ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ । ଏପରି ଉପକରଣ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ୁଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆମେରିକାର ଇଣ୍ଡିଆନାର ପର୍ଡୁ ବିଶ୍ୱବିଦ୍ୟାଳୟର ପ୍ରଫେସର ନୁସରତ ଜଙ୍ଗ ଏବଂ ପିଏଚଡି ଛାତ୍ର ଜିଆଙ୍ଗୁଇ ଲିଉଙ୍କ ଦ୍ୱାରା ଏହି ଗବେଷଣା କରାଯାଇଥିବାଲା । ଯେଉଁଥିରେ ଜଣାପଡ଼ିଥିଲା ଯେ, ୧୦ରୁ ୨୦ ମିନିଟ୍ର ତାପ-ଆଧାରିତ ହେୟାର ଷ୍ଟାଇଲିଂ ୧୦ ବିଲିୟନରୁ ଅଧିକ କ୍ଷୁଦ୍ର କଣିକାକୁ ବାୟୁରେ ଛାଡ଼ିପାରେ । ଯାହା ଶ୍ୱାସକ୍ରିୟା ମାଧ୍ୟମରେ ଫୁସଫୁସରେ ପ୍ରବେଶ କରିପାରିବେ । ଏହି କଣିକା ଶ୍ୱାସକ୍ରିୟାରେ ସମସ୍ୟା, ସ୍ମୃତିଶକ୍ତି ଏବଂ ମସ୍ତିଷ୍କ କ୍ଷମତା ହ୍ରାସ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହା ବାସ୍ତବରେ ବହୁତ ଚିନ୍ତାଜନକ ବୋଲି କହିଛନ୍ତି ପ୍ରଫେସର ଜଙ୍ଗ ।
ପ୍ରଫେସର ଜଙ୍ଗଙ୍କ କହିବାନୁସାରେ, ଯେତେବେଳେ ଏହି ହେୟାର ଷ୍ଟାଇଲିଂ କରାଯାଏ, ବାୟୁମଣ୍ଡଳରେ ସାଇକେଲିକ ସିଲୋକ୍ସେନ ଭଳି ଉପାଦାନ ସୃଷ୍ଟି ହୁଏ । ପରେ ଏଗୁଡ଼ିକ ବାଷ୍ପୀଭୂତ ହୋଇ ଛୋଟ ଛୋଟ ନାନୋପାର୍ଟିକିଲ୍ସରେ ପରିଣତ ହୁଅନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏକ ଟ୍ରାଫିକ୍ ଭରା ରାଜପଥରେ ଛିଡ଼ା ହେଲେ ଯେତିକି ପ୍ରଦୂଷଣ ହୁଏ, ହେୟାର ଷ୍ଟାଇଲିଂ ସମୟରେ ସମାନ ପରିମାଣର ପ୍ରଦୂଷଣ ସୃଷ୍ଟି ହୁଏ ବୋଲି ସେ କହିଛନ୍ତି । ପ୍ରଫେସର ଆହୁରି କହିଛନ୍ତି, ଅଧିକାଂଶ ଲୋକ ମୁହଁ ପାଖରେ ଏବଂ ବାଥରୁମ୍ରେ ହେୟାର ଷ୍ଟାଇଲ୍ କରୁଥିବାରୁ ନିଶ୍ୱାସ ମାଧ୍ୟମରେ ଏହି କଣିକାଗୁଡ଼ିକ ଶରୀରରେ ପ୍ରବେଶ କରିବାର ଆଶଙ୍କା ବୃଦ୍ଧି ପାଏ । ହେୟାର ଷ୍ଟାଇଲିଂ ଉପକରଣ ବ୍ୟବହାର କରୁଥିଲେ ଏବେଠୁ ସଚେତନ ହୋଇଯାନ୍ତୁ ! ଏଥିରୁ ବାହାରୁଥିବା ହାନିକାରକ କଣିକା ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।