ନୂଆଦିଲ୍ଲୀ, ୩୧।୮: ଗାଜା ସାମରିକ ମୁଖ୍ୟ ମହମ୍ମଦ ସିନୱାରଙ୍କ ମୃତ୍ୟୁ ସୁନିଶ୍ଚିତ କଲା ହମାସ । ମେ ମାସରେ ହୋଇଥିବା ବିମାନ ଆକ୍ରମଣରେ ଇସ୍ରାଏଲ ତାଙ୍କୁ ହତ୍ୟା କରିଥିବା ଦାବି କରିଥିଲା । ବର୍ତ୍ତମାନ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ଏହାର ଗାଜା ସାମରିକ ମୁଖ୍ୟ ମହମ୍ମଦ ସିନୱାରଙ୍କ ମୃତ୍ୟୁ ନିଶ୍ଚିତ କରିଛି । ସିନୱାରଙ୍କ ସହ ଅନ୍ୟ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଫଟୋ ପ୍ରକାଶ କରି ହମାସ ସେମାନଙ୍କୁ "ସହୀଦ" ବୋଲି ଆଖ୍ୟା ଦେଇଛି, କିନ୍ତୁ ତାଙ୍କ ମୃତ୍ୟୁ ବିଷୟରେ ଅଧିକ ବିବରଣୀ ପ୍ରକାଶ କରିନାହିଁ ।

ମହମ୍ମଦ ସିନୱାର କିଏ ?  

ମହମ୍ମଦ ସିନୱାର ଗାଜାର ପୂର୍ବତନ ହମାସ ମୁଖ୍ୟ ଏବଂ ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ୍ ୟାହ୍ୟା ସିନୱାରଙ୍କ ସାନ ଭାଇ ଥିଲେ । ସେ ୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ବର୍ବର ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ଥିଲେ । ୨୦୨୪ ମସିହାରେ ଗାଜାରେ ଇସ୍ରାଏଲୀ ଅପରେସନରେ ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ, ମହମ୍ମଦ ସିନୱାର ହମାସ ନେତୃତ୍ୱର ଶୀର୍ଷରେ ପହଞ୍ଚିଥିଲେ । ଗାଜାର ସାମରିକ ମୁଖ୍ୟ ହେବା ସହିତ, ମହମ୍ମଦ ସିନୱାର ଜୁଲାଇ ୨୦୨୪ରୁ ଇଜ୍ ଅଲ୍-ଦିନ୍ ଅଲ୍-କାସାମ୍ ବ୍ରିଗେଡ୍ସର କମାଣ୍ଡର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁ ନିଶ୍ଚିତ ହେବା ପରେ ଇଜ୍ ଅଲ୍-ଦିନ୍ ହଦାଦ୍, ଯିଏ ବର୍ତ୍ତମାନ ଉତ୍ତର ଗାଜା ଅପରେସନ୍ ତଦାରଖ କରୁଛନ୍ତି, ସେ ହମାସର ସଶସ୍ତ୍ର ଶାଖାର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି । ହଦାଦ ବର୍ତ୍ତମାନ ଉତ୍ତର ଗାଜା ଅଭିଯାନର ନେତୃତ୍ୱ ନେଉଛନ୍ତି ।

ସିନୱାରଙ୍କୁ ମୃତ ଘୋଷଣା କରିଥିଲା ଇସ୍ରାଏଲ:

ସିନୱାରଙ୍କର ଏକ ବିମାନ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚଳିତ ବର୍ଷ ମେ ମାସରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଘୋଷଣା କରିଥିଲେ । ଇସ୍ରାଏଲୀ ଆକ୍ରମଣରେ ନିହତ ହମାସ ନେତାମାନଙ୍କର ତାଲିକା ଜାରି କରିବା ସମୟରେ ସଂସଦକୁ ସମ୍ବୋଧିତ କରି ନେତାନ୍ୟାହୁ କହିଥିଲେ, "ଆମେ ମହମ୍ମଦ ସିନୱାରଙ୍କୁ ହତ୍ୟା କରିଛୁ ।" ସେ ଆହୁରି କହିଛନ୍ତି "ଆମେ ହଜାର ହଜାର ଆତଙ୍କବାଦୀ ଯେପରିକି ମହମ୍ମଦ ଦୈଫ୍, ହାସନ ନସରାଲ୍ଲା, ୟାହ୍ୟା ସିନୱାରଙ୍କୁ ନିପାତ କରିଛୁ । ଗତ ଦୁଇ ଦିନରେ, ଆମେ ହମାସର ସମ୍ପୂର୍ଣ୍ଣ ପରାଜୟ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରୁଛୁ । ଆମେ ସେମାନଙ୍କର ଖାଦ୍ୟ ବଣ୍ଟନ ଏବଂ ଟଙ୍କା ମେସିନ୍ ନିଜ ନିୟନ୍ତ୍ରଣ କରିସାରିଛୁ । ଏହା ହିଁ ସେମାନଙ୍କର ଶାସନ କ୍ଷମତାକୁ ନଷ୍ଟ କରେ ।

ସିନୱାରଙ୍କୁ ହତ୍ୟା ପାଇଁ ଚେଷ୍ଟା ଜାରି ରଖିଥିଲା ଇସ୍ରାଏଲ:

ମହମ୍ମଦ ସିନୱାରଙ୍କୁ ହତ୍ୟା କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା । ପ୍ରଥମ ପ୍ରୟାସ ୨୦୦୦ ମସିହାରେ ଦ୍ୱିତୀୟ ଇନ୍ତିଫାଦା ସମୟରେ କରାଯାଇଥିଲା । ସିନୱାରଙ୍କୁ ୨୦୦୬ ଏବଂ ୨୦୦୮ ମସିହାରେ ପୁଣି ଥରେ ଟାର୍ଗେଟ୍ କରାଯାଇଥିଲା । ୨୦୧୪ ଗାଜା ଯୁଦ୍ଧ ସମୟରେ, ହମାସ ତାଙ୍କୁ ରାଡାରରୁ ଦୂରେଇ ରଖିବା ପାଇଁ ସିନୱାରଙ୍କ ମୃତ୍ୟୁର ମିଥ୍ୟା ପ୍ରଚାର କରିଥିଲା । ଇସ୍ରାଏଲୀ ଗୁଇନ୍ଦା ଅଧିକାରୀମାନେ ଭାବିଥିଲେ ଯେ ସେ ମୃତ, କିନ୍ତୁ ୯ ବର୍ଷ ପରେ ସେମାନେ ତାଙ୍କ ଜୀବିତ ଥିବାର ପ୍ରମାଣ ପାଇଲେ । ୨୦୧୯ ଏବଂ ୨୦୨୧ ମସିହାରେ ତାଙ୍କ ଭାଇ ୟାହ୍ୟା ସିନୱାରଙ୍କ ସହିତ ମହମ୍ମଦ ସିନୱାରଙ୍କୁ ପୁଣି ଥରେ ଟାର୍ଗେଟ୍ କରାଯାଇଥିଲା । ଶେଷରେ ଗାଜା ଯୁଦ୍ଧ ସମୟରେ ଇସ୍ରାଏଲ ଉଭୟଙ୍କୁ ହତ୍ୟା କରିଥିଲା ।