ନୂଆଦିଲ୍ଲୀ, ୮/୯ : ଇସ୍ରାଏଲ୍-ହମାସ୍‌ ଯୁଦ୍ଧରେ ଲାଗିବ ବ୍ରେକ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲାଷ୍ଟ ୱାର୍ଣ୍ଣିଂ ପରେ ଆଲୋଚନା ଟେବୁଲ୍‌କୁ ଆସିବାକୁ ରାଜି ହୋଇଗଲା ହମାସ୍। ଟ୍ରମ୍ପ ଆତଙ୍କୀ ସଙ୍ଗଠନ ହମାସ୍‌କୁ ଶେଷ ଚେତାବନୀ ଦେଇଥିଲେ। ଟ୍ରମ୍ପ କହିଥିଲେ ଯେ, ବନ୍ଧକମାନଙ୍କୁ ମୁକ୍ତ କରାଯାଉ ବୋଲି ସମସ୍ତେ ଚାହୁଁଛନ୍ତି, ଏଥିପାଇଁ ଆଲୋଚନା କରିବା ଜରୁରୀ। ସୂଚନା ଥାଉକି, ୨୦୨୩ ଅକ୍ଟୋବର ୭ରୁ ଦୀର୍ଘ ଦୁଇ ବର୍ଷ ହେଲା ଇସ୍ରାଏଲ୍-ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ରକ୍ତ ସଙ୍ଘର୍ଷରେ ଏଯାବତ୍ ୬୦ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧ ରୋକିବାକୁ ବହୁ ଚେଷ୍ଟା କରି ଫେଲ୍ ମାରିଛନ୍ତି। ସବୁ ଚେଷ୍ଟା ବିଫଳ ହେବା ପରେ ଟ୍ରମ୍ପ ଏବେ ହମାସ୍‌କୁ ଲାଷ୍ଟ ୱାର୍ଣ୍ଣିଂ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ସବୁ ଲୋକ ଚାହୁଁଛନ୍ତି ଯେ, ବନ୍ଧକମାନେ ଘରକୁ ଫେରି ଆସନ୍ତୁ । ସମସ୍ତେ ଚାହୁଁଛନ୍ତି ଯୁଦ୍ଧ ବନ୍ଦ ହୋଇଯାଉ। ଶାନ୍ତି ସ୍ଥାପନ ପାଇଁ ଇସ୍ରାଏଲ୍ ମଧ୍ୟ ମୋ ସର୍ତ୍ତରେ ରାଜି। ଏବେ ହମାସ୍‌ର ପାଳି। ଯଦି ହମାସ୍ ମୋ ସର୍ତ୍ତରେ ରାଜି ନହୁଏ ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଏହା ମୋର ଅନ୍ତିମ ଚେତାବନୀ। ଏହାପରେ ଆଉ ସୁଯୋଗ ମିଳିବନି। 

ଟ୍ରମ୍ପଙ୍କ ଚେତାବନୀ ପରେ ହମାସ୍ ଏହାକୁ ଗୁରୁତର ସହ ନେଇଛି । ହମାସ୍ କହିଛି ଯେ, 'ଆମେ ଯୁଦ୍ଧ ସମାପ୍ତ, ଗାଜା ପଟ୍ଟିରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏବଂ ଗାଜା ପଟ୍ଟିରେ ଶାସନ ପାଇଁ ସ୍ଵତନ୍ତ୍ର ପାଲିଷ୍ଟିନିୟଙ୍କ ଏକ କମିଟି ବଦଳରେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ରାଜି। ଏହା ବଦଳରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ। ଆମ ଲୋକଙ୍କ ବିରୁଦ୍ଧରେ ଆକ୍ରମଣକୁ ବନ୍ଦ କରିବା ପାଇଁ ପ୍ରୟାସ କରୁଥିବା ଯେକୌଣସି ପଦକ୍ଷେପକୁ ହମାସ୍ ସ୍ୱାଗତ କରେ ।'

୨୦୨୫ ସେପ୍ଟେମ୍ଵର ସୁଦ୍ଧା ହମାସ୍ ଓ ଅନ୍ୟ ଆତଙ୍କବାଦୀ ସମୂହଙ୍କ ଦ୍ଵାରା ଗାଜାରେ ମୋଟ ୪୮ ବନ୍ଧକଙ୍କୁ ବନ୍ଦୀ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଜୀବିତ ଥିବା ସମ୍ଭାବନା ରହିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଇସ୍ରାଏଲ୍-ଆମେରିକାର ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ରହିଛନ୍ତି। ଜଣେ ଥାଇ ଓ ଜଣେ ନେପାଳୀ ନାଗରିକ ମଧ୍ୟ ରହିଛନ୍ତି।