ଭୁବନେଶ୍ୱର ୦୨/୧୦: ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିବା ପାଇଁ ମୋ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ବସ୍‌ଷ୍ଟାଣ୍ଟରେ ମୋ ବସ୍‌ ଲାଗିଲା । ବସ୍‌ର ପ୍ରଥମ ପାହାଚ ଚଢ଼ିଛନ୍ତି କି ନାହିଁ, ଓହ୍ଲାଉଥିବା ଜଣେ ଯାତ୍ରୀ ମୋବାଇଲ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲା । ଏମସ୍‌ ସାମ୍ନା ବସ୍‌ଷ୍ଟାଣ୍ଡରୁ ଏଭଳି ଢଙ୍ଗରେ ଜଣେ ଭିନ୍ନକ୍ଷମଙ୍କଠାରୁ ମୋବାଇଲ ଲୁଟ୍‌ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି, ଭଗବାନ ସାହୁ । ଘର ଗଞ୍ଜାମ ଧରାକୋଟର ଜଗମୋହନ ଅଞ୍ଚଳରେ । 

ଭଗବାନ ଦୀର୍ଘଦିନ ଧରି ମୁଖ କର୍କଟ ରୋଗରେ ପୀଡି଼ତ । ପ୍ରତିମାସରେ ସେ ଚିକିତ୍ସା ପାଇଁ ଏମ୍ସ ଆସନ୍ତି । ଦିନେ ୨ଦିନ ଧରି ଚିକିତ୍ସା ପରେ ପୁଣି ଗଞ୍ଜାମ ଫେରିଯାନ୍ତି । ଗତକାଲି ସେ ଚିକିତ୍ସା ପାଇଁ ବସ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ । ସାରା ରାତି ଏମ୍‌ସ୍‌ ବାରଣ୍ଡାରେ ବିତାଇବା ପରେ ସକାଳୁ ଧାଡି଼ ବାନ୍ଧି ଟିକଟ କାଟିଥିଲେ । ଅପରାହ୍ଣ ସାଢ଼େ ୩ଟାରେ ହସ୍ପିଟାଲରୁ ବାହାରି ବସ୍‌ଷ୍ଟାଣ୍ଡରେ ପହଞ୍ଚିଲେ । ସେଠାରୁ ମୋ ବସ୍‌ ଯୋଗେ ବରମୁଣ୍ଡା ଯାଇ ଘରକୁ ଫେରିଥାନ୍ତେ । କିନ୍ତୁ କେହି ଲୁଟେରା ତାଙ୍କ ମୋବାଇଲ୍‌ ଚୋରି କରିନେଲା । ବସ୍‌ ରଖିବାକୁ ନେଇ ସେ କଣ୍ଡକ୍ଟରକୁ ନେହୁରା ହୋଇଥିଲେ । କିନ୍ତୁ କଣ୍ଡକ୍ଟର ରାଗିଯାଇ ୟାଡୁ ସିଆଡୁ ଗାଳି କଲା । ଏମିତି ସବୁଦିନ ବସ୍‌ରୁ ଚୋରି ହେଉଥିବା କହିଥିଲା । ଭଗବାନ ନିରୁପାୟ ହୋଇ ଖଣ୍ଡଗିରି ଛକରେ ବସ୍‌ରୁ ଓହ୍ଲାଇଲେ । ଖଣ୍ଡଗିରି ଥାନାରେ ମୋବାଇଲ୍‌ ଚୋରି ନେଇ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକ୍ରମେ ଲୁଟେରାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।