ସୁନ୍ଦରଗଡ,୨୦।୧୧ : ବାପା ମାଡରେ ମା’ର ଜୀବନ ଯିବା ଏବଂ ହତ୍ୟା ଅଭିଯୋଗରେ ବାପା ଜେଲ ଯିବା ପରେ ଅସହାୟ ହୋଇ ପଡିଥିବା ଭଷ୍ମା ମୁଣ୍ଡାପଡାର ନବାଳକକୁ ଗୁରୁବାର ସୁନ୍ଦରଗଡ ଶିଶୁ ହେଲପ ଲାଇନ ପକ୍ଷରୁ ଉଦ୍ଧାର କରା ଯାଇଛି । ଶିଶୁ ହେଲପ୍ ଲାଇନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜିତୁ ପଟେଲଙ୍କ ନେତୃତ୍ୱରେ ତାଙ୍କୁ ଉଦ୍ଧାର କରା ଯାଇ ସୁନ୍ଦରଗଡ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରା ଯାଇଥିଲା । ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ତାକୁ ରାଉରକେଲାର ଶିଶୁ ଯତ୍ମକାରୀ ଅନୁଷ୍ଠାନ ଦିଶାକୁ ହସ୍ତାନ୍ତର କରା ଯାଇଛି । ଏହି ଅବସରରେ ଶିଶୁ ହେଲପ ଲାଇନର ସୁପରଭାଇଜର ପ୍ରଶାନ୍ତ ମହାନ୍ତ, କେଶ୍ ଓାର୍କର ହେମନ୍ତ ମହାନ୍ତ, ଭଷ୍ମା ଥାନା ମହିଳା ଇନ୍ସପେକ୍ଟର ବିନୋଦିନୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କୀତ ଖବର ’ପ୍ରମେୟ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏହି ଅସହାୟ ନାବାଳକକୁ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ଥଇଥାନ କରା ଯାଇଥିବାରୁ ସ୍ଥାନୀୟ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ସମାନ୍ୟ କଥାକୁ କେନ୍ଦ୍ର କରି ଭଷ୍ମା ଥାନା ଅନ୍ତର୍ଗତ ମୁଣ୍ଡାପଡାର ରଞିତ ଓରାମ (୨୭) ତାଙ୍କ ସ୍ତ୍ରୀ ଗୀତାଞଳି ମୁଣ୍ଡାଙ୍କୁ (୨୨) ପିଟିପିଟି ମାରି ଦେଇଥିଲେ । ଗୀତାଞଳିଙ୍କ ଭାଇ ଝାରସୁଗୁଡା ଏୟାରପୋର୍ଟ ଥାନା ଟାଙ୍ଗରପାଲି ଗ୍ରାମର ମନୋଜ ମୁଣ୍ଡା ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା । ଅଦାଲତରେ ଜାମିନ ନ ମିଳିବାରୁ ସେ ବିଚାର ବିଭାଗୀୟ ଜେଲ ହାଜତରେ ରହିଛନ୍ତି । ବାପ ହାତରେ ମା’ର ଜୀବନ ଯିବା ଓ ହତ୍ୟା ଅଭିଯୋଗରେ ବାପା ଜେଲ ଯିବା ପରେ ଏହି ନାବାଳକଟି ବେସାହାରା ହୋଇ ପଡିଥିଲା । ସମ୍ପର୍କୀୟ ମାନେ ଅତ୍ୟନ୍ତ ଗରିବ ହୋଇ ଥିବାରୁ ତାର ସୁରକ୍ଷା ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ଥଇଥାନର ଆବଶ୍ୟକତା ରହିଥିଲା ।