ଭୁବନେଶ୍ୱର,୦୭/୦୮: ହସ୍ତତନ୍ତ ବୁଣାକାରଙ୍କ ପାଇଁ ଖୁସି  ଖବର । କାରିଗମାନଙ୍କ ଘରେ ନିର୍ମାଣ ହେବ ତନ୍ତଶାଳ । ଏଥିପାଇଁ ସରକାର ହିତାଧିକାରୀ ଚିହ୍ନଟ ସହ ପାଣ୍ଠି ଯୋଗାଇ  ଦେବେ । ଏହାଦ୍ୱାରା କାରିଗରମାନେ  ବୁଣାବୁଣି ଓ ଆନୁସଙ୍ଗିକ କାମ  ସୁରୁଖୁରୁରେ କରିପାରିବେ। ଏ ସଂପର୍କିତ  ନୂଆ ଯୋଜନା ଖୁବଶୀଘ୍ର ରାଜ୍ୟରେ  ଆରମ୍ଭ କରିବାକୁ ନୀତିଗତ ନିଷ୍ପତ୍ତି  ନେଇଛନ୍ତି ରାଜ୍ୟ ସରକାର । 

ରାଜ୍ୟରେ ପ୍ରାୟ ୧.୨୫ ଲକ୍ଷ  ବୁଣାକାର ଲୁଗାପଟା ବୁଣାବୁଣି କରି  ପରିବାର ଭରଣ ପୋଷଣ କରୁଛନ୍ତି ।  ପାରମ୍ପରିକ ଭାବେ ସେମାନେ ଏହି  କାମ କରି ଆସୁଥିଲାବେଳେ ସେମାନଙ୍କ  ପାଇଁ ତନ୍ତଶାଳ ଜରୁରି । ସରକାର ବହୁ  ବୁଣାକାରଙ୍କୁ ଇନ୍ଦିରା ଆବାସ, ବିଜୁ  ପକ୍କା ଘର ଅବା ପ୍ରଧାନମନ୍ତ୍ରୀ ଆବାସ  ଯୋଜନାରେ ଘର ଯୋଗାଇଛନ୍ତି । ହେଲେ  ଯେତିକି ସ୍ଥାନରେ ଘର ହୋଇଛି ସେଠି  ତନ୍ତଶାଳ ବସାଇବା ସହକଞ୍ଚାମାଲ ଓ  ରଙ୍ଗ ଆଦି ରଖିବା ସମ୍ଭବ ହେଉନି ।  ବହୁ ବୁଣାକାର ଉନ୍ନତମାନର ହସ୍ତତନ୍ତ  ସାମଗ୍ରୀ ପାଇଁ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରିବାକୁ ଚାହୁଁଛନ୍ତି । ମାତ୍ର ନିଜ ଘରେ  ସ୍ଥାନ ଅଭାବ ସେମାନଙ୍କ ପାଇଁ ବଡ଼  ବାଧକ ସାଜିଛି । ଏହାକୁ ଦୃଷ୍ଟିରେ ରଖି  ସରକାର ଏଣିକି ବୁଣାକାରମାନଙ୍କ ଘରେ  ତନ୍ତଶାଳ ନିର୍ମାଣ ପାଇଁ ଆର୍ଥିକ ସହାୟତା  ଯୋଗାଇ ଦେବେ । ଆଦିବାସୀ ଓ ପଛୁଆ  ଜିଲ୍ଲାରେ ହିତାଧିକାରୀଙ୍କୁ ୧ ଲକ୍ଷ ୩୦  ହଜାର ଏବଂ ଅନ୍ୟ ଜିଲ୍ଲାରେ ୧ ଲକ୍ଷ  ୨୦ ହଜାର ଟଙ୍କାର ସରକାରୀ ସହାୟତା  ମିଳିବ । ବୁଣାକାରଙ୍କ ଘରର ପ୍ରଥମ  ମହଲାରେ ଏହି ତନ୍ତଶାଳ ନିର୍ମାଣ ହେବ ।  ଏହା ବୁଣାକାର ଓ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି  ସହ ବର୍ଷା, ଅଗ୍ନିକାଣ୍ଡରୁ ସୁରକ୍ଷା ଦେବ ।  ଯୋଗ୍ୟ ହିତାଧିକାରୀ ଚୟନ ପାଇଁ  ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ।  

ଏହି ମାର୍ଗଦର୍ଶିକା ଅନୁଯାୟୀ, ହସ୍ତତନ୍ତ  ଜନଗଣନାରେ ସର୍ଭେ ଡାଟାବେସରେ  ଯେଉଁ ବୁଣାକାରଙ୍କ ନାମ ଥିବ ସେ  ପରିବାରରୁ ଜଣକୁ ଏ ସହାୟତା ମିଳିବ ।  ପରିବାରର କେହି ସରକାରୀ ଚାକିରି  କରିନଥିବେ ଏବଂ ପରିବାରର ଆୟ  ବାର୍ଷିକ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ । ପରିବାରର ୫୦ ପ୍ରତିଶତ ଆୟ  ହସ୍ତତନ୍ତ କାମରୁ ହିଁ ହେବା ଜରୁରି ।  ସଂପୃକ୍ତ ପରିବାର ନାମରେ ଜମିର  ମାଲିକାନା ଥିବା ଆବଶ୍ୟକ । ପ୍ରଥମ  ମହଲାରେ ତନ୍ତଶାଳ ନିର୍ମାଣ ପୂର୍ବରୁ  ତଳ ମହଲାର ନିର୍ମାଣ କେତେ ସୁଦୃଢ଼  ଅଛି ତାହା ସରକାରୀ ଇଂଜିନିୟର ଯାଞ୍ଚ କରିବେ ।

 ଯୋଗ୍ୟ ହିତାଧିକାରୀ ଚିହ୍ନଟ  ପରେ ‘ଆବାସ’ ଭଳି ୪ଟି ପର୍ଯ୍ୟାୟରେ  ଏହି ପାଣ୍ଠି ମିଳିବ । ୨୪୦ ବର୍ଗଫୁଟର  ପକ୍କା ଛାତ ଘର ନିର୍ମାଣ ହୋଇ ତନ୍ତଶାଳ  ବସିବ । ଯେଉଁ ବୁଣାକାରମାନେ ପ୍ରଥମ  କିସ୍ତି ପାଇବାର ୩ ମାସ ମଧ୍ୟରେ ସଂପୂର୍ଣ୍ଣ  କାମ ଶେଷ କରିବେ ତାଙ୍କୁ ୨୦ ହଜାର  ଏବଂ ୪ ମାସରେ ସାରିଲେ ଅଧିକ ୧୦  ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବେ  ସରକାର । ୬ ମାସ ମଧ୍ୟରେ କିନ୍ତୁ  ସରକାର ଏ ତନ୍ତଶାଳ ନିର୍ମାଣ ଶେଷ  କରିବାକୁ ଯୋଜନାରେ ପ୍ରସ୍ତାବ ରଖିଛନ୍ତି ।