କଟକ,୨୫।୨ : ହାଇକୋର୍ଟରୁ ନିରାଶ ହେଲେ ହାଇପ୍ରୋଫାଇଲ ଠକ ହଂସିକା ଅଭିଲିପ୍ସା । ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ସ୍ୱାମୀଙ୍କ ଅସୁସ୍ଥତା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହାଇପ୍ରୋଫାଇଲ ଠକେଇ ମାମଲାରେ ହଂସିକା ଗିରଫ ହୋଇଥିଲେ।  ଭୁବନେଶ୍ୱର ଅତିରିକ୍ତ  ଦୌରା  ଜଜ୍ ହଂସିକାଙ୍କ ଜାମିନ  ଆବେଦନ ଖାରଜ କରି ଦେଇଥିଲେ । ଏହା ପରେ ସେ  ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। । 

ହଂସିକା ସହ ରହୁଥିଲେ ତାଙ୍କ ପୁରୁଷ ବନ୍ଧୁ ଅନିଲ୍‌ । ସେ ମଧ୍ୟ ନିଜକୁ ବ୍ୟବସାୟୀ ବୋଲି କହୁଥିଲେ ।  ପଟିଆ ଅଞ୍ଚଳର ଜଣେ  ଶିଳ୍ପପତିଙ୍କର ଏକ ଏନ୍‌ଜିଓ ସଂସ୍ଥା  ରହିଛି । ଉକ୍ତ ସଂସ୍ଥାର ମୁଖିଆଙ୍କ  ସହ ହଂସିକାଙ୍କ ଭଲ ସମ୍ପର୍କ  ଥିଲା। ଏନ୍‌ଜିଓ ସଂସ୍ଥାକୁ ୫୦ କୋଟି ଅନୁଦାନ କରାଇ ଦେବାକୁ କହିଥିଲେ ହଂସିକା । ୫୦ କୋଟି ଅନୁଦାନ ଲୋଭରେ ଶିଳ୍ପପତି ହଂସିକାକୁ କିଛି ଟଙ୍କା ଅଗ୍ରୀମ ଦେଇଥିଲେ । କିଛି ମାସ ତଳେ ଶିଳ୍ପପତିଙ୍କ ଏନ୍‌ଜିଓ ସଂସ୍ଥାକୁ ଟଙ୍କା ମିଳି ଯାଇଥିଲା ।  ହେଲେ ପ୍ରତିଶ୍ରୁତି ମୁତାବକ ହଂସିକାଙ୍କ ଯେଉଁ ୨୦% କମିଶନ ପାଇବାର ଥିଲା ତାହା ଦେଇ ନଥିଲେ ଶିଳ୍ପପତି । ଯାହାକୁ ନେଇ  ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ  ଦେଖା ଦେଇଥିଲା । ହଂସିକା ଓ ଅନିଲ୍‌ ଗତ ସପ୍ତାହରେ ଶିଳ୍ପପତିଙ୍କ ଅଫିସ୍‌କୁ ଯାଇ ତାଙ୍କୁ  ଭେଟିବାକୁ ଜିଦ୍‌ ଧରିଥିଲେ । ସେ ନଥିବା ଜାଣି  ଅଫିସ୍‌ ଭିତରେ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ଅନିଲ୍‌ ଅଫିସ୍‌ ଭିତରେ ଭଙ୍ଗାରୁଜା କରିଥିଲେ । ଅଫିସ୍‌ର କର୍ମଚାରୀ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ  କରିଥିଲେ । ପରେ ପୁଲିସ ତଦନ୍ତ କରି ଏହି ହାଇପ୍ରୋଫାଇଲ ଠକଙ୍କୁ ଗିରଫ କରିଥିଲା। ପରେ  ଅନିଲ- ହଂସିକା ଗିରଫ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ।  ଉକ୍ତ ମାମଲାର ତଦନ୍ତ  ଭାର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ନେଇଥିଲା । ଏପରିକି ଆୟକର ବିଭାଗ ମଧ୍ୟ ଏହି ୫୦ କୋଟିର କାରବାର ବିଷୟରେ  ତଦନ୍ତ କରିଥିଲା। ସେହିପରି  ଇଡି ମଧ୍ୟ ଘଟଣାର ତନାଘନା  ଆରମ୍ଭ କରିଥିଲା। ।