ଭୁବନେଶ୍ୱର,୧୦/୦୧: ଜଣେ ପୂର୍ବତନ ଏମ୍‌ପିଙ୍କୁ  ଠକେଇ କରିବା ଅଭିଯୋଗରେ ଗିରଫ ବିଷ୍ଣୁପ୍ରିୟା ଚାନ୍ଦ  ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କ ସରିଲା ଦିନିକିଆ ରିମାଣ୍ଡ। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ଯାଞ୍ଚ ପରେ କୋର୍ଟରେ ହାଜର କରାଇଥିଲେ ସ୍ପେଶାଲ୍‌  କ୍ରାଇମ୍‌ ୟୁନିଟ୍। ପରେ ଉଭୟଙ୍କୁ ପୁଣି ଝାରପଡ଼ା ଜେଲ୍‌କୁ ପଠାଇ ଦେଇଥିବା ଜଣାପଡ଼ିଛି।

ଉଲ୍ଲେଖ ଯୋଗ୍ୟ ଯେ,  ଜଣେ ପୂର୍ବତନ ଏମ୍‌ପିଙ୍କୁ  ଠକେଇ କରିବା ଅଭିଯୋଗରେ ଗିରଫ ବିଷ୍ଣୁପ୍ରିୟା ଚାନ୍ଦ  ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କୁ ଗୁରୁବାର ଦିନିକିଆ ରିମାଣ୍ଡରେ ଆଣି ଜେରା କରିଥିଲା ପୁଲିସ୍‌ । ଏହାରି  ଭିତରେ ନୂଆ କଥା ପଦାକୁ ଆସିଛି । ପୂର୍ବତନ ଏମ୍‌ପିଙ୍କ  ବିରୋଧରେ ହଂସିକା ଓ ଅନିଲ୍‌ ଏତଲା ଦେଇଥିଲେ ।  ଉକ୍ତ ଏତଲାରେ ଏପର୍ଯ୍ୟନ୍ତ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ  ନେଇ ନଥିବା ଜଣାପଡିଛି । ବଡ଼ କଥା ହେଲା ପୂର୍ବତନ  ଏମ୍‌ପିଙ୍କ କର୍ମଚାରୀ ଏମାନଙ୍କ ବିରୋଧରେ ଦେଇଥିବା  ଏତଲାରେ ଟଙ୍କା ଠକେଇ ନେଇ କିଛି ଲେଖାଯାଇ ନାହିଁ  ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।  

ପଟିଆ ଅଞ୍ଚଳର ଜଣେ ପୂର୍ବତନ ଏମ୍‌ପିଙ୍କର ଏକ  ବଡ଼ ଏନ୍‌ଜିଓ ସଂସ୍ଥା ରହିଛି । ଉକ୍ତ ସଂସ୍ଥାର ମୁଖିଆଙ୍କ  ସହ ହଂସିକାଙ୍କର ଭଲ ସମ୍ପର୍କ ଥିଲା । ଏନ୍‌ଜିଓ ସଂସ୍ଥାକୁ  ୫୦ କୋଟି ଡୋନେସନ୍‌ କରାଇ ଦେବାକୁ କହିଥିଲେ  ହଂସିକା । ସେଥିପାଇଁ ହଂସିକାକୁ ୨୦% କମିଶନ  ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏହି ପୂର୍ବତନ  ଏମ୍‌ପି । ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ଦୁଇ  ଜଣ ମିଶି ଯେନତେନ ପ୍ରକାର ଡୋନେସନ୍‌ କରାଇ  ଦେଇଥିଲେ । ପ୍ରତିଶ୍ରୁତି ମୁତାବକ ପୂର୍ବତନ ଏମ୍‌ପି ଜଣଙ୍କ  ସେମାନଙ୍କୁ ୨୦% କମିଶନ ଦେବା କଥା । ହେଲେ ଟଙ୍କା  ଲୋଭରେ କମିଶନ୍‌ କଥା ସେ ଭୁଲି ଗଲେ । କମିଶନ  ନ ମିଳିବାରୁ ହଂସିକା ଓ ଅନିଲ୍‌ ତାଙ୍କ ଅଫିସ୍‌କୁ ଯାଇ  ପାଟିତୁଣ୍ଡ କରିବା ସହ ଧମକ ଦେଇଥିଲେ । ପରେ  ଏହି ପୂର୍ବତନ ଏମ୍‌ପିଙ୍କ ବିରୋଧରେ ଇନ୍‌ଫୋସିଟି  ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଏତଲା  ରଖିଥିଲା ସତ, କିନ୍ତୁ ମାମଲା ରୁଜୁ କଲା ନାହିଁ ।

ହଂସିକା ଥାନାରେ ଏତଲା ଦେବା ଖବର ଜାଣିବା  ପରେ ଏହି ପୂର୍ବତନ ସାଂସଦ ତାଙ୍କର ଜଣେ କର୍ମଚାରୀଙ୍କୁ  ଇନ୍‌ଫୋସିଟି ଥାନାକୁ ପଠାଇ ହଂସିକା ଓ ଅନୀଲଙ୍କ  ନାଁରେ ପାଲଟା ଏତଲା ଦେଇଥିଲେ। ପୁଲିସ୍‌ ସଙ୍ଗେ  ସଙ୍ଗେ ଦୁଇ ଜଣଙ୍କ ବିରୋଧରେ ବିଏନ୍‌ଏସ୍‌ ୩୨୯  (ଗୃହରେ ଅନଧିକାର ପ୍ରବେଶ), ୩୧୮ (ପ୍ରବଞ୍ଚନା)  ଓ ୩୧୯ (ଛଦ୍ମବେଶ ଧାରଣ କରି ପ୍ରବଞ୍ଝନା) ଦଫାରେ  ମାମଲା ରୁଜୁ କରିଥିଲା । ଏ ସବୁ ଦଫାରେ ପୁଲିସ୍‌  ଅଭିଯୁକ୍ତମାନଙ୍କୁ ନୋଟିସ୍‌ ଦେଇ ଛାଡ଼ି ପାରିବ । କାରଣ  ଏ ସବୁ ଦଫାରେ ସଜା ୭ ବର୍ଷରୁ କମ୍‌ । ସୁପ୍ରିମ୍‌  କୋର୍ଟ ନିୟମ ଅନୁସାରେ ଯଦି ଅଭିଯୁକ୍ତମାନେ ପୂର୍ବରୁ  କୌଣସି ଅପରାଧରେ ସାମିଲ ନ ଥାନ୍ତି, ତା’ହେଲେ  ପୁଲିସ ତାଙ୍କୁ ନୋଟିସ୍‌ ଦେଇ ଥାନାରୁ ଛାଡ଼ି ପାରିବ ।  ଏମାନଙ୍କ କ୍ଷେତ୍ରରେ ଏହା ହୋଇନଥିବା ଜଣାପଡ଼ିଛି ।  

ସେପଟେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଦୁଇ  ଅଭିଯୁକ୍ତଙ୍କୁ ସକାଳ ୧୦ଟା ବେଳେ ଜେଲ୍‌ରୁ ଆଣି  କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା । ସେଠାରେ ହଂସିକା  ଓ ଅନିଲ୍‌ ନିଜକୁ ନିର୍ଦ୍ଦୋଶ ବୋଲି ଗଣମାଧ୍ୟମ  ପ୍ରତିନିଧିଙ୍କୁ କହିବା ସହ ତାଙ୍କୁ ଫସାଇ ଦିଆଯାଇଛି  ବୋଲି କହିଥିଲେ । ପରେ ଉଭୟଙ୍କୁ କମିଶନରେଟ୍‌  ପୁଲିସ୍‌ ମୁଖ୍ୟାଳୟରେ ଜେରା କରାଯାଇଥିଲା ।  ରଘୁନାଥପୁରସ୍ଥିତ ଜେଡ୍‌ ଆପାର୍ଟମେଣ୍ଟରେ ଥିବା  ଉଭୟଙ୍କ ୩ଟି ଫ୍ଲାଟ୍‌ ଯାଞ୍ଚ କରାଯାଇଥିଲା । ସେନ୍ସର  କଲ୍‌ ଥିବା ଏହି ଫ୍ଲାଟ୍‌ଗୁଡ଼ିକ ଖୋଲାଯାଇଥିଲା । ହେଲେ  ୩ଟି ଫ୍ଲାଟରୁ କିଛି କାଗଜପତ୍ର ମିଳି ନଥିଲା । ଘରର  ଆସବାବପତ୍ର ଦେଖି ପୁଲିସ୍‌ ତାଜୁବ୍‌ ହୋଇଯାଇଥିଲା । ଅନ୍ୟପଟେ ହଂସିତା ଓ ଅନିଲ ରହୁଥିବା ଆପାର୍ଟମେଣ୍ଟରୁ ୧ କୋଟି ୮୫ଲକ୍ଷ ଟଙ୍କାର ମର୍ସିଡିଜ କାର ଜବତ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଜେରା କରିଥିଲା  ପୁଲିସ୍‌ । ହେଲେ ସେମାନଙ୍କଠାରୁ କୌଣସି ତଥ୍ୟ  ମିଳି ନଥିବା ଜଣାପଡ଼ିଛି । ଶୁକ୍ରବାର ସକାଳେ  ଦୁଇ ଜଣଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍‌କୁ  ପଠାଇ ଦେଇଛି।  ସ୍ପେଶାଲ୍‌  କ୍ରାଇମ୍‌ ୟୁନିଟ୍‌ ତଦନ୍ତକାରୀ ଅଫିସ୍‌ର କହିଛନ୍ତି,  ଦୁଇ ଜଣଙ୍କ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ  କୌଣସି ବ୍ୟକ୍ତି ଏତଲା ଦେଇ ନାହାନ୍ତି । ଇନ୍‌ଫୋସିଟି  ଥାନା ମାମଲାରେ ଆମେ ଆଣି ତଦନ୍ତ କରୁଛୁ ।