ଭୁବନେଶ୍ୱର,୦୨/୦୧: ଶିଳ୍ପପତିଙ୍କୁ ବ୍ଲାକ୍‌ମେଲ କରି ଠକେଇ  କରିବା ଘଟଣାରେ ହର୍ଷପ୍ରିୟା  ମିଶ୍ର ଓରଫ ହଂସିକା ଓ ତାଙ୍କ  ସହଯୋଗୀ ଅନିଲ୍‌ ମହାନ୍ତିଙ୍କୁ  ଗିରଫ କରିଥିଲା ଇନ୍‌ଫୋସିଟି  ଥାନା ପୁଲିସ୍‌ । ତଦନ୍ତ ସମୟରେ ପୁଲିସ୍‌ ହାତରେ ବିସ୍ଫୋରକ ତଥ୍ୟ ଲାଗିଛି । ହଂସିକା ନିଜକୁ ବ୍ୟବସାୟୀ ବୋଲି ପରିଚୟ ଦେଇ ଅନେକ  ପ୍ରତିଷ୍ଠିତ ବ୍ୟବସାୟୀ ଓ ଶିଳ୍ପପତିଙ୍କୁ କୋଟି କୋଟି  ଟଙ୍କା ଚୂନ ଲଗାଇଛନ୍ତି । ଯାହାର ପ୍ରମାଣ ପୁଲିସ୍‌  ହାତରେ ଲାଗିଛି । କେଉଁଠୁ ତଦନ୍ତ ଆରମ୍ଭ କରିବା  ତାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ପୁଲିସ ।  

ହଂସିକା ଓ ଅନିଲ୍‌ଙ୍କ ଫୋନ୍‌ ଓ ଆକାଉଣ୍ଟ ଯାଞ୍ଚ  କରିଛି ପୁଲିସ । ଅନିଲ୍‌ ବିଭିନ୍ନ ବ୍ୟବସାୟୀଙ୍କ ପାଖକୁ  ଯାଉଥିଲେ । ତାଙ୍କ ପାଖରେ କୋଟି କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଉଥିଲେ । ବ୍ୟବସାୟୀ  ଜଣଙ୍କ ରାଜି ହେଲା ପରେ ଅନିଲ୍‌ ତାଙ୍କ ପାଖକୁ  ହଂସିକାଙ୍କୁ ପଠାଉଥିଲେ । ଆଉ ପରିଚୟ ଦେଉଥିଲେ  ହଂସିକା ହେଉଛନ୍ତି ତାଙ୍କ ପାର୍ଟନର । ବ୍ୟବସାୟୀଙ୍କ  ସହ ବିଭିନ୍ନ ହୋଟେଲ୍‌ରେ ହଂସିକା ରହୁଥିଲେ । ପରେ  ମଉକା ଦେଖି ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବ୍ଲାକ୍‌ମେଲ୍‌  କରୁଥିଲେ । ଅଧିକାଂଶ ସମୟରେ ହଂସିକା ନିଜକୁ  ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ  ବୋଲି ପରିଚୟ ଦେବା ସହ  ପିଏମ୍‌ଓରେ ଭଲ ସେଟିଂ ଅଛି କହି  ଧମକ ଦେଇ ଟଙ୍କା ରୋଜଗାର କରୁଥିଲେ । 

୨୦୨୩ରେ ଅନିଲ୍‌ଙ୍କ  ଜନ୍ମଦିନରେ ହଂସିକା ତାଙ୍କୁ ୨  କୋଟି ଟଙ୍କା ମୂଲ୍ୟର ଏକ କାର୍‌ ଓ  ୩୦ ଲକ୍ଷ ଟଙ୍କାର ଏକ ହାତଘଣ୍ଟା  ଉପହାର ଦେଇଥିଲେ । ଗତ ୨୩ ତାରିଖରେ ଅନିଲ୍‌ଙ୍କ  ଜନ୍ମଦିନ ଥିଲା । ସେ ଦିନ ମଧ୍ୟ ତାଙ୍କୁ ଦେଢ଼ କୋଟି  ଟଙ୍କାର ଏକ କାର୍‌ ଉପହାର ଦେଇଥିଲେ । ଶିଳ୍ପପତି,  ବ୍ୟବସାୟୀ ଓ ରାଜନେତାଙ୍କ ଶହ ଶହ ଅଶ୍ଳୀଳ  ଫଟୋ ହଂସିକାଙ୍କ ପାଖରେ ରହିଛି । ଯାହାକୁ ଅସ୍ତ୍ର  କରି ଏହି ଦୁଇ ଅଭିଯୁକ୍ତ ସବୁ ଜାଗାରେ ନିଜର  କାମ ହାସଲ୍‌ କରୁଥିଲେ । ଏହି ଦୁଇ ଜଣ ଗିରଫ  ହେବା ପରେ ପୁଲିସ୍‌ ଆଶା କରିଥିଲା ଉଭୟଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବ । ହେଲେ  ଲୋକ ଲଜ୍ଜା ଭୟରେ କେହି ଏତଲା ଦେବାକୁ  ଆସୁନାହାନ୍ତି । ପୁଲିସ୍‌ ନିଜ ଆଡୁ କିଛି ଲୋକଙ୍କୁ  ଯୋଗାଯୋଗ କରିଥିଲା । ହେଲେ ସେମାନେ  କୌଣସି ଅଭିଯୋଗ କରିବେ ନାହିଁ ବୋଲି କହିଛନ୍ତି ।  

ସୂଚନା ମୁତାବକ, ୫୦ କୋଟିର ଡିଲ୍‌ ଫାଇନାଲ୍‌  ହେଲେ ୨୦% ଦେବେ ବୋଲି ପଟିଆର ଏକ ଶିଳ୍ପପତି  ହଂସିକା ଓ ଅନିଲ୍‌ଙ୍କୁ କହିଥିଲେ। ଟଙ୍କା ମିଳିବା ପରେ  ୨୦% କମିଶନ ନମିଳିବାରୁ ଶିଳ୍ପପତିଙ୍କୁ ବଦନାମ  କରି ଦେବେ ବୋଲି ଧମକ ଦେବା ସହ ବ୍ଲାକ୍‌ମେଲ  କରିଥିଲେ ଏହି ଦୁଇ ଅଭିଯୁକ୍ତ । ଏନେଇ ଇନଫୋସିଟି  ଥାନାରେ ଅଭିଯୋଗ ହେଲା ପରେ ପୁଲିସ୍‌ ଦୁଇ ଜଣଙ୍କୁ  ଗତ ୨୯ ତାରିଖରେ ଗିରଫ କରିଥିଲା । ଉଭୟଙ୍କୁ  ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୁଲିସ୍‌ ।