ମୁମ୍ବାଇ ୦୭/୧୦: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ୍ ଅଭିନେତା କମଲ ହାସନ। ଖୁବ୍ କମ୍ ବୟସରେ ଅଭିନୟ ଜଗତରେ କରିଥିଲେ ଏଣ୍ଟ୍ରି। ଆଜି କମଲ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଫେସନାଲ୍ ଲାଇଫ୍ ବ୍ୟତୀତ ଅଭିନେତା ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ବି ଅନେକ ଚର୍ଚ୍ଚାରେ ରହିଛନ୍ତି। ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଲଭ୍ ଷ୍ଟୋରୀ ଏବଂ ମ୍ୟାରେଜ୍ ଲାଇଫ୍ ବିଷୟରେ...
କମଲ ହାସନ ୬ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ। କିନ୍ତୁ ଜଣେ ମୁଖ୍ୟ ଅଭିନେତା ଭାବରେ ତାଙ୍କର ଅଭିନୟ ୭୦ ଦଶକରେ ଆରମ୍ଭ ହୋଇଥିଲା ଏବଂ ଚାହୁଁ ଚାହୁଁ ସେ ସୁପରଷ୍ଟାର ପାଲଟିଗଲେ। ଏହି ସମୟରେ ସେ ଦକ୍ଷିଣ ଅଭିନେତ୍ରୀ ଶ୍ରୀବିଦ୍ଧାଙ୍କ ସହ ଅନେକ ଫିଲ୍ମରେ କାମ କରିଥିଲେ। କୁହାଯାଏ ଯେ ଏହି ଦୁଇଜଣଙ୍କର ଲଭ୍ ଷ୍ଟୋରୀ ସେହି ସମୟରେ ଲାଇମଲାଇଟରେ ଥିଲା । ତାଙ୍କଠାରୁ ଏକ ବର୍ଷ ବଡ ଅଭିନେତ୍ରୀଙ୍କ ସହ କମଲ ହାସନଙ୍କ କେମେଷ୍ଟ୍ରି ଖବର ସେହି ସମୟର ଚର୍ଚ୍ଚାର ଶିଖର ଛୁଇଁଥିଲା। ସେମାନଙ୍କ ପ୍ରେମ କାହାଣୀ ଉପରେ ଏକ ମାଲାୟାଲମ୍ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି, ଯାହାର ଟାଇଟଲ୍ ତିରକ୍କଥା।

୨୦୦୮ ମସିହାରେ ରିଲିଜ୍ କରିଥିବା ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟମଣି, ଶ୍ରୀବିଦ୍ଧା ଏବଂ ପୃଥ୍ୱୀରାଜ ସୁକୁମାରନ, କମଲଙ୍କ ଭୂମିକାରେ ଅଭିନୟ କରିଥିଲେ। ତେବେ କିଛି ବର୍ଷ ପରେ କମଲ ଏବଂ ଶ୍ରୀବିଦ୍ଧାଙ୍କ ପ୍ରେମ କାହାଣୀର ହୋଇଗଲା ଦି ଏଣ୍ଡ୍। ଏହାପରେ ୧୯୭୮ ମସିହାରେ, କମଲ ହାସନଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ନୃତ୍ୟଶିଳ୍ପୀ ବାଣୀ ଗଣପତି ଏବଂ ଦୁହେଁ ବିବାହ ବି କରିଥିଲେ । ସେମାନଙ୍କର ବିବାହ ଅନେକ ବର୍ଷ ଧରି ଭଲରେ ଚାଲିଥିଲା । କିନ୍ତୁ ଅଭିନେତ୍ରୀ ସାରିକାଙ୍କ ସହ କମଲଙ୍କ ଆଫେୟାର୍ସ ବିଷୟରେ ବାଣୀ ଜାଣିବା ମାତ୍ରେ ଏହି ବିବାହ ଭାଙ୍ଗିଗଲା ଏବଂ ଦୁହେଁ ୧୯୮୮ ରେ ଅଲଗା ହୋଇଗଲେ।
ଅବଶ୍ୟ, ପ୍ରଥମ ବିବାହ ଭାଙ୍ଗିବା ପରେ କମଲ ସାରିକାଙ୍କୁ ତାଙ୍କର ଦ୍ୱିତୀୟ ସାଥୀ ଭାବରେ ବାଛିଲେ ଏବଂ ସେମାନଙ୍କ ସମ୍ପର୍କ ୨୦୦୪ ପର୍ଯ୍ୟନ୍ତ ଜାରି ରହିଲା । କିନ୍ତୁ ୧୬ ବର୍ଷର ଯାତ୍ରା ଶେଷ ହେବା ସହିତ କମଲଙ୍କ ଦ୍ୱିତୀୟ ବିବାହ ମଧ୍ୟ ବିଫଳ ହେଲା।କମଲଙ୍କ ଏବଂ ସାରିକାଙ୍କର ଦୁଇ ଝିଅ ଅଛନ୍ତି, ଶ୍ରୁତି ହାସନ ଏବଂ ଅକ୍ଷରା ହାସନ। ଯିଏକି ଆଜି ଦକ୍ଷିଣ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ।