ହରଭଙ୍ଗା,୨୮/୦୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ କୋହ୍ଲ ସାହିକୁ ଜିଲ୍ଲାପାଳଙ୍କ ଗସ୍ତ । ସ୍ଥାନୀୟ ଲୋକଙ୍କ ଦୁଃଖ ଶୁଣିବା ସହ ପୁର୍ବରୁ ହରଭଙ୍ଗା ବିଡ଼ିଓ ଓ ତହସିଲଦାରଙ୍କ ତଦନ୍ତ ରିପୋର୍ଟ ଯାଞ୍ଚ କରିଛନ୍ତି । ପରେ ସ୍ଥାନୀୟ ଆଦିବାସୀଙ୍କୁ କିଭଳି ଜମି ପଟା, ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ କାର୍ଡ କରାଯିବ ସେ ଦିଗରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ତହସିଲଦାର ବଳଦେବ ବେହେରା ଓ ବିଡ଼ିଓ ବିଜୟ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ-ମୁଁ ଗଭୀର ଭାବେ ମର୍ମାହତ ଓ ଦୁଃଖିତ : ନବୀନ

​​​​​​​

ଅନ୍ୟପଟେ ଉକ୍ତ ସାହିକୁ ଖୁବ୍ଶୀଘ୍ର ବିଜୁଳି ସଂଯୋଗ କରିବା ନଚେତ ସୋଲାର ଲାଇଟର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ନିୟମ ଅନୁଯାୟୀ ଯଥା ସମ୍ଭବ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କିଛିଦିନ ତଳେ ଉକ୍ତ ସାହିର ସମସ୍ୟା ନେଇ ପ୍ରମେୟରେ ଖବର ପ୍ରକାଶ ପାଇଥିଲା। ଆଉ ଖବର ପ୍ରକାଶର ୧୦ଦିନ ଭିତରେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଡାକ୍ତରୀ ଦଳ ସହିତ ଆଜି ଜିଲ୍ଲାପାଳ ଉକ୍ତ ସାହିରେ ପହଞ୍ଚି ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତରେ ବିଡ଼ିଓ, ତହସିଲଦାର, ସ୍ଥାନୀୟ ସରପଞ୍ଚ, ରାଜସ୍ବ ବିଭାଗ ଉପସ୍ଥିତ ଥିଲେ ।