ଭୁବନେଶ୍ୱର/ପୁରୀ ୦୩/୦୧: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେବେ ଡ. ହରିବାବୁ କମ୍ଭମପତି । ସେଥିପାଇଁ ଡ. କମ୍ଭମପତି ସପରିବାର ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହାପରେ ପୁଲିସ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ପରେ ସେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜି ପୁରୀସ୍ଥିତ ରାଜଭବନରେ ରାତ୍ରୀଯାପନ କରିବେ । ଶୁକ୍ରବାର ଡ. କମ୍ଭମପତି ଭୁବନେଶ୍ୱର ଆସି ରାଜ୍ୟପାଳ ଭାବେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । 

ତାଙ୍କର ଶପଥ ଉତ୍ସବ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜଭବନର ଅଭିଷେକ ହଲ୍‌କୁ ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ୧୦ଟା ୧୫ ମିନିଟ୍‌ରେ ଡ. କମ୍ଭମପତି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ । ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ । ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ୭୧ ବର୍ଷିୟ ଡ. କମ୍ଭମପତି ପୂର୍ବରୁ ମିଜୋରାମ୍‌ ରାଜ୍ୟପାଳ ଥିଲେ । ଜଣେ ଇଞ୍ଜିନିୟର ଓ ଶିକ୍ଷକ ଭାବେ ସେ ବେଶ୍‌ ପରିଚିତ । ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଭାବେ ଦୀର୍ଘ ୨୪ ବର୍ଷର ଅନୁଭୂତି ତାଙ୍କ ପାଖରେ ରହିଛି । ଏହାଛଡ଼ା ଆନ୍ଧ୍ରରେ ୧୯୯୯ରେ ବିଧାୟକ, ୨୦୧୪ରେ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ସହ ସାଂସଦ ଭାବେ ନିର୍ବାଚିତ ହୋଇ କାମ କରିଛନ୍ତି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଦଳର ଜାତୀୟ କାର୍ଯ୍ୟକାରିଣୀରେ କାମ କରିଛନ୍ତି । ଗତକାଲି ତାଙ୍କୁ ମିଜୋରାମ୍‌ ରାଜଭବନ ତରଫରୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଜି ବି ସେଠକାର ବିମାନବନ୍ଦରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । 

ଗୁରୁବାର ସନ୍ଧ୍ୟାରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ଡ. କମ୍ଭମପତି କହିଥିଲେ, ମିଜୋରାମ୍‌ରୁ ଆସି ପୁରୀରେ ପହଞ୍ଚିଛି । ଆଗକୁ ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ ପାଇଁ କାମ କରିବି କହି ମହାପ୍ରଭୁଙ୍କ ନିକଟରେ ରାଷ୍ଟ୍ରର ମଙ୍ଗଳକାମନା ପୂର୍ବକ ପ୍ରାର୍ଥନା କରିଥିଲେ । ମାତ୍ର ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା କ୍ଷଣି ସେ ‘ଏକ୍ସ’ରେ ଲେଖିଥିଲେ, ‘ଜୟ ଜଗନ୍ନାଥ, ଯେଉଁଠାରେ ଈଶ୍ୱରୀୟ ଶକ୍ତି ଏବଂ ଭକ୍ତି ଏକତ୍ର ଭାବେ ଆତ୍ମାକୁ ପ୍ରେରିତ କରିଥାନ୍ତି ସେହି ପବିତ୍ର ଭୂମି ଓଡ଼ିଶାରେ ପାଦ ରଖିଥିବାରୁ କୃତଜ୍ଞ ।’ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଶ୍ରୀମନ୍ଦିର ନିକଟରେ ନୂତନ ରାଜ୍ୟପାଳ ଓ ତାଙ୍କ ପରିବାରଙ୍କୁ ସ୍ୱାଗତ କରିଥିଲେ । ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୃଥ୍ୱୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଡିଜିପି ୱାଇ. ବି. ଖୁରାନିଆ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପୁଲିସ୍‌ କମିଶନର ଏସ୍‌. ଦେବଦତ୍ତ ସିଂହ, ଏକାମ୍ର ବିଧାୟକ ବାବୁ ସିଂହ, କଟକ ସଦର ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ରହି ଡ. କୁମ୍ଭମପତିଙ୍କୁ ସ୍ୱାଗତ କରିଥିଲେ ।