ନୂଆଦିଲ୍ଲୀ,୧୯/୦୬; ଜୁନ୍ ୨୦ରେ ଆଫଗାନିସ୍ତାନ ବିପକ୍ଷରେ ତୃତୀୟ ତଥା ଶେଷ ଦିନିକିଆ ଖେଳିବ ଭାରତ । ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦ୍ରୁତ ବୋଲର ହର୍ଷିତ ରାଣା ପ୍ରାୟ ସାଢ଼େ ଚାରି ମାସ ପରେ ଦଳକୁ ଫେରିଛନ୍ତି । ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଘୋଷଣା କରିଛି । ଆଘାତ ଯୋଗୁଁ ୨୦୨୬ ଟି୨୦ ବିଶ୍ୱକପ୍ ଏବଂ ଆଇପିଏଲରୁ ବାଦ ପଡ଼ିଥିବା ରାଣା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ତାଙ୍କର ପୁନର୍ବାସ ସମାପ୍ତ କରିଛନ୍ତି । ଚେନ୍ନାଇରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ । ଏ ନେଇ ଟିମ୍ ଇଣ୍ଡିଆ ଚେନ୍ନାଇରେ ପହଞ୍ଚି ସାରିଛି । ଟେଷ୍ଟ ପରେ ଦିନିକିଆ ସିରିଜରେ ୨ଟି ମ୍ୟାଚ ଜିତି ଆଗୁଆ ସିରିଜ୍ କବଜା କରି ସାରିଛି ଟିମ୍ ଶୁଭମନ ।

ହର୍ଷିତ ରାଣା ଫେବୃଆରୀ ୨୦୨୬ରୁ ପ୍ରତିଯୋଗିତାମୂଳକ କ୍ରିକେଟରୁ ଦୂରେଇ ରହିଥିଲେ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍ ସମୟରେ ଆହତ ହୋଇଥିଲେ ହର୍ଷିତ । ଆଘାତ ଏତେ ଗୁରୁତର ଥିଲା ଯେ, ସେ ଚଳିତ ଆଇପିଏଲ ସିଜିନରୁ ବାଦ ପଡ଼ିଥିଲେ । ସେ ଏବେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE) ରେ ସଫଳତାର ସହ ତାଙ୍କର ପୁନର୍ବାସ ସମାପ୍ତ କରିଛନ୍ତି । ଏହା ପରେ, ଚୟନ କମିଟି ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ କରିବାକ ନିଷ୍ପତ୍ତି ନେଇଛି । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବର୍ତ୍ତମାନ ସିରିଜରେ ୨-୦ରେ ଆଗୁଆ ରହିଛି । ଫାଇନାଲ ମ୍ୟାଚ୍ ପୂର୍ବରୁ ହର୍ଷିତ ରାଣାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅତିରିକ୍ତ ଶକ୍ତି ଦେଇଛି 

ବିସିସିଆଇ ସଚିବ ଦେବଜିତ ସାଇକିଆ ଏକ ବିବୃତ୍ତିରେ କହିଛନ୍ତି, "ପୁରୁଷ ଚୟନ କମିଟି ତୃତୀୟ ଏକଦିବସୀୟ ପାଇଁ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରିଛି । ରାଣା ସେଣ୍ଟର ଅଫ୍ ଏକ୍ସଲେନ୍ସରେ ତାଙ୍କର ପୁନର୍ବାସ ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ଚେନ୍ନାଇରେ ଦଳରେ ଯୋଗ ଦେଇଛନ୍ତି ।" ହର୍ଷିତ ରାଣାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ଯୁବ ଦ୍ରୁତ ବୋଲର ତାଙ୍କର ଅତିରିକ୍ତ ଗତି ଏବଂ ଆକ୍ରମଣାତ୍ମକ ବୋଲିଂ ପାଇଁ ଜଣାଶୁଣା । ଚେନ୍ନାଇ ଦିନିକିଆ ପାଇଁ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଏହା ବି ପଢନ୍ତୁ...Shreyanka Patil: ଟିମ୍ ଇଣ୍ଡିଆକୁ ଶକ୍ତ ଝଟ୍କା; ବିଶ୍ୱକପରୁ ବାଦ୍ ପଡିଲେ ଶ୍ରେୟଙ୍କା, ଜାଣନ୍ତୁ କିଏ ବଦଳ ପ୍ଲେୟାର ?