ନୂଆଦିଲ୍ଲୀ, ୧୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଗତ ଫେବୃଆରୀ ୨୮ରୁ ଜାରି ରହିଥିବା ଯୁଦ୍ଧର ଅବସାନ ଘଟିଛି । ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା (MoU) ସ୍ୱାକ୍ଷର କରିଛନ୍ତି । ଏହି ମୋଉ ସ୍ୱାକ୍ଷରିତ ହେବା ପରେ ବିଶ୍ୱବାସୀ ବଡ଼ ଆଶ୍ୱସ୍ତି ପାଇଛନ୍ତି, କାରଣ ପ୍ରାୟ ୪ ମାସ ଧରି ବନ୍ଦ ରହିଥିବା ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ୍ ପ୍ରଣାଳୀ ପୁଣି ଥରେ ଖୋଲିଯାଇଛି । ତେବେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ୧୪ ଦଫା ବିଶିଷ୍ଟ MoU ର ୫ମ ପଏଣ୍ଟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ଏହି ଚୁକ୍ତି ଅନୁଯାୟୀ, ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ଏହି ସମୁଦ୍ର ପଥ ଟୋଲ୍-ଫ୍ରି ରହିବ, କିନ୍ତୁ ଏହା ପରେ ଜାହାଜ ଗୁଡ଼ିକରୁ ଆର୍ଥିକ ଶୁଳ୍କ ଆଦାୟ କରାଯିବ ।
ଚୁକ୍ତିର ‘୫ମ ପଏଣ୍ଟ’ କ’ଣ ?
MoUର ୫ମ ପଏଣ୍ଟରେ ୩ଟି ବଡ଼ କଥା ଉଲ୍ଲେଖ ରହିଛି, ଯାହା ହୋର୍ମୁଜ୍ ପ୍ରଣାଳୀର ଭବିଷ୍ୟତ ସ୍ଥିର କରିବ ।
୬୦ ଦିନ ପାଇଁ ମାଗଣା ଚଳାଚଳ: ଚୁକ୍ତି ସ୍ୱାକ୍ଷର ହେବାର ୬୦ ଦିନ ପର୍ଯ୍ୟନ୍ତ ବ୍ୟବସାୟିକ ଜାହାଜଗୁଡ଼ିକ ବିନା କୌଣସି ଟୋଲ୍ରେ ପର୍ସିଆନ ଗଲ୍ଫରୁ ଓମାନ ସାଗର ମଧ୍ୟରେ ଯାତାୟାତ କରିପାରିବେ ।
୩୦ ଦିନରେ ହଟିବ ବାରୁଦ: ଯୁଦ୍ଧ ସମୟରେ ଇରାନ ଏହି ସାମୁଦ୍ରିକ ପଥରେ ବିଛାଇଥିବା ସାମରିକ ପ୍ରତିବନ୍ଧକ ଏବଂ ସମୁଦ୍ର ମାଇନ୍ସ ଗୁଡ଼ିକୁ ହଟାଇବା ପାଇଁ ଇରାନକୁ ୩୦ ଦିନ ସମୟ ଦିଆଯାଇଛି । ଜାହାଜ ଚଳାଚଳ ତୁରନ୍ତ ଆରମ୍ଭ ହେବ ।
ଓମାନ ସହ ମିଳିତ ପରିଚାଳନା: ୬୦ ଦିନ ପରେ ଏହି ସାମୁଦ୍ରିକ ପଥର ପରିଚାଳନା କିପରି ହେବ, ସେ ନେଇ ଇରାନ ଓମାନ ଏବଂ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକ ସହ ଆଲୋଚନା କରିବ । ଏହା ଆନ୍ତର୍ଜାତୀୟ ନିୟମ ଅନୁଯାୟୀ କରାଯିବ ।
'ଟୋଲ୍' ନୁହେଁ 'ସର୍ଭିସ୍ ଫିସ୍' ନେବ ଇରାନ:
ଇରାନ ସଂସଦର ସ୍ପିକର ମହମ୍ମଦ ବାଘେର ଗଲିବାଫ୍ ସ୍ପଷ୍ଟ କରିଛନ୍ତି ଯେ, ହୋର୍ମୁଜ୍ ପ୍ରଣାଳୀ ଆଉ ଯୁଦ୍ଧ ପୂର୍ବ ସ୍ଥିତିକୁ ଫେରିବ ନାହିଁ । ଏହି ପଥ ଉପରେ ଇରାନର ସାର୍ବଭୌମତ୍ୱ ଅଧିକାର ରହିଛି, ତେଣୁ ସେମାନେ ଏଠାରେ ସେବା ପାଇଁ ଫିସ୍ ଆଦାୟ କରିବେ । ଟୋଲ୍ ଏବଂ ଫିସ୍ ମଧ୍ୟରେ ପାର୍ଥକ୍ୟ କ’ଣ ? ଇରାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘେଇଙ୍କ ଅନୁଯାୟୀ, "ଆମେ କୌଣସି ବାଧ୍ୟତାମୂଳକ ଟ୍ରାଞ୍ଜିଟ୍ ଟୋଲ୍ ନେବାକୁ ଚାହୁଁନାହୁଁ । ଆମେ କେବଳ ‘ସର୍ଭିସ୍ ଫିସ୍’ ନେବୁ ।" ଏହି ଆଦାୟ ପ୍ରାପ୍ତ ଅର୍ଥ ଜାହାଜ ଗୁଡ଼ିକୁ ଦିଆଯାଉଥିବା ନେଭିଗେସନ୍ ସହାୟତା, ପରିବେଶ ସୁରକ୍ଷା ବ୍ୟବସ୍ଥା, ସାମୁଦ୍ରିକ ବୀମା ଏବଂ ଅନ୍ୟାନ୍ୟ ସେବାର ଖର୍ଚ୍ଚ ଭରଣା ପାଇଁ ବ୍ୟବହାର କରାଯିବ ।
ବିଶ୍ୱ ବାଣିଜ୍ୟ ଏବଂ ଭାରତ ଉପରେ ଏହାର ବଡ଼ ପ୍ରଭାବ:
ସାଧାରଣ ଦିନରେ ଏହି ପଥ ଦେଇ ଦୈନିକ ୧୨୦ ରୁ ୧୪୦ଟି ଜାହାଜ ଚଳାଚଳ କରିଥାଏ, ଯେଉଁଥିରେ ପ୍ରାୟ ୨ କୋଟି ବ୍ୟାରେଲ୍ ତେଲ ପରିବହନ ହୋଇଥାଏ । ଇରାନର ଏହି ନୂଆ ନିୟମ ଯୋଗୁଁ ବିଶ୍ୱ ବଜାର ସହ ଭାରତ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିବ । ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୦-୮୫% କ୍ରୁଡ୍ ଅଏଲ୍ ଏବଂ ୬୦% ଏଲପିଜି ବିଦେଶରୁ ଆମଦାନୀ କରିଥାଏ । ଭାରତ ଆମଦାନୀ କରୁଥିବା ମୋଟ କ୍ରୁଡ୍ ଅଏଲ୍ର ୩୦% ହୋର୍ମୁଜ୍ ପଥ ଦେଇ ଆସିଥାଏ । ମୋଟ ଆମଦାନୀ ହେଉଥିବା ଏଲପିଜିର ୯୦% ଏବଂ ଏଲଏନଜିର ୩୦% ଏହି ରାସ୍ତାରେ ହିଁ ଭାରତ ଆସେ ।
ବଢ଼ିବ ଆମଦାନୀ ଖର୍ଚ୍ଚ:
ବର୍ଷ ୨୦୨୫-୨୬ ଆକଳନ ଅନୁଯାୟୀ, ଭାରତ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର କ୍ରୁଡ୍ ଅଏଲ୍ ଆମଦାନୀ କରିଥିଲା । ଯଦି ୬୦ ଦିନ ପରେ ଇରାନ ହୋର୍ମୁଜ୍ ପ୍ରଣାଳୀରେ 'ସର୍ଭିସ୍ ଫିସ୍' ଲାଗୁ କରେ, ତେବେ ଭାରତର ଆମଦାନୀ ବିଲ୍ ପ୍ରାୟ ୭ ରୁ ୮ ହଜାର କୋଟି ଟଙ୍କା ବୃଦ୍ଧି ପାଇପାରେ । ସମସ୍ତ କାରବାର ଡଲାରରେ ହେଉଥିବାରୁ ଏହା ଦ୍ୱାରା ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ଆହୁରି ଦୁର୍ବଳ ହେବାର ଆଶଙ୍କା ରହିଛି ।
ଆହୁରି ପଢ଼ନ୍ତୁ... Iran-US Peace Deal: 'ଡିଲ୍କୁ ନେଇ ଟ୍ରମ୍ପ ହତାଶ ଥିଲେ, ମୁଁ ଚାହୁଁନଥିଲି'; ଇରାନ୍-ଆମେରିକା ଚୁକ୍ତି ସ୍ୱାକ୍ଷରକୁ ନେଇ ମୋଜତବାଙ୍କ ବଡ଼ ବୟାନ