ନୂଆଦିଲ୍ଲୀ, ୧୯।୬: ଆନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ବିଷ ଉଗାଳିବାକୁ ଚେଷ୍ଟା କରି ବେଜିତ୍ ହୋଇଛି ପାକିସ୍ତାନ । ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ଆୟୋଜିତ ଏକ ସମ୍ମିଳନୀରେ ୟୁରୋପୀୟ ଦେଶଗୁଡ଼ିକ ସାମ୍ନାରେ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ବିରୋଧରେ ମିଛ ଅପପ୍ରଚାର କରିଛି ପାକିସ୍ତାନ । ଏପରିକି ଭାରତ ସହ ଆଲୋଚନା କରାଇଦେବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ନିକଟରେ ଭିକ ମାଗିବା ସହ ୟୁରୋପକୁ ମଧ୍ୟ ଡରାଇବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନୀ ମନ୍ତ୍ରୀ । ତେବେ ପାକିସ୍ତାନର ଏହି ପ୍ରୋପାଗାଣ୍ଡାର ଗୋଟି ଗୋଟି କରି ପୋଲ୍ ଖୋଲିଛି ।
ସମ୍ମିଳନୀ ଆଢୁଆଳରେ ଭାରତ ବିରୋଧରେ ଷଡ଼ଯନ୍ତ୍ର:
ପାକିସ୍ତାନ ହାଇକମିଶନ ଏବଂ ଏକ ୟୁରୋପୀୟ ଥିଙ୍କ ଟ୍ୟାଙ୍କ 'ସେଣ୍ଟର ଫର ୟୁରୋପିଆନ ପଲିସି ଷ୍ଟଡିଜ୍' (CEPS) ମିଳିତ ଭାବେ ବ୍ରୁସେଲ୍ସରେ ଏକ କନଫରେନ୍ସର ଆୟୋଜନ କରିଥିଲେ । ଏଥିରେ ପାକିସ୍ତାନର ଡେପୁଟି ପିଏମ ତଥା ବିଦେଶ ମନ୍ତ୍ରୀ ଇଶାକ ଡାର୍, ପରିବେଶ ମନ୍ତ୍ରୀ ମୁସାଦିକ ମସୁଦ ମଲିକ ଏବଂ ଅନ୍ୟ କିଛି ପାକିସ୍ତାନୀ ପ୍ରତିନିଧି ସାମିଲ ହୋଇ ଭାରତ ପାକିସ୍ତାନକୁ ଶୋଷରେ ମାରିଦେବାକୁ ଚେଷ୍ଟା କରୁଛି ବୋଲି ମିଥ୍ୟା ଅଭିଯୋଗ ଆଣିଥିଲେ ।
ପାକିସ୍ତାନର ମିଛ ଓ ତାର ପ୍ରକୃତ ସତ-
ଭାରତ ସିନ୍ଧୁ ଓ ଚେନାବ୍ ନଦୀର ସ୍ରୋତ ବଦଳାଉଛି:
ପାକିସ୍ତାନୀ ବିଦେଶ ମନ୍ତ୍ରୀ ଇଶାକ ଡାର୍ ଅଭିଯୋଗ କରିଛନ୍ତି ଯେ ଭାରତ ଚୁକ୍ତିକୁ ନିଲମ୍ବିତ କରିବା ପରେ ସାୱଲକୋଟ୍, କିରଥାଇ ଏବଂ କ୍ୱାର ଭଳି ନୂଆ ପ୍ରକଳ୍ପ ଜରିଆରେ ପାଣି ଅଟକାଉଛି । ବାସ୍ତବରେ ଭାରତ ଚୁକ୍ତିର ସୀମା ମଧ୍ୟରେ ରହି ନିଜ ଅଞ୍ଚଳରେ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରୁଛି, ଯାହା ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ବୈଧ । ପାକିସ୍ତାନ କେବଳ ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବା ପାଇଁ ଭାରତ ଉପରେ ଦୋଷ ଲଦୁଛି ।
ପାକିସ୍ତାନ ପରିବେଶ ପ୍ରେମୀ, ଭାରତ ଯୋଗୁଁ ବଢ଼ୁଛି ତାପମାତ୍ରା:
ପାକିସ୍ତାନର ମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ପାକିସ୍ତାନର ଅଂଶ ମାତ୍ର ୧%, କିନ୍ତୁ ଭାରତ ତୃତୀୟ ବୃହତ୍ତମ ଦେଶ ହୋଇଥିବାରୁ ପାକିସ୍ତାନରେ ବନ୍ୟା ଆସୁଛି । କିନ୍ତୁ, ପ୍ରକୃତ ସତ କଥା ହେଉଛି ପାକିସ୍ତାନର କମ୍ କାର୍ବନ ନିର୍ଗମନ ତାର ପରିବେଶ ପ୍ରେମ ଯୋଗୁଁ ନୁହେଁ, ବରଂ ତାର ଚରମ ଦାରିଦ୍ର୍ୟ ଯୋଗୁଁ ହେଉଛି । ଫେବୃଆରୀ ୨୦୨୬ରେ ପାକିସ୍ତାନ ସରକାର ନିଜେ ସ୍ୱୀକାର କରିଥିଲେ ଯେ, ଦେଶର ୧୭% ରୁ ଅଧିକ ଅଞ୍ଚଳରେ ଦୈନିକ ୧୦ ଘଣ୍ଟାରୁ ଅଧିକ ବିଦ୍ୟୁତ କାଟ୍ ହେଉଛି । ଇଣ୍ଟରନେସନାଲ୍ ରିପୋର୍ଟ (EFSAS) ଅନୁଯାୟୀ, ଚୀନ୍-ପାକିସ୍ତାନ ଇକୋନୋମିକ କରିଡର (CPEC) ପାଇଁ ପାକିସ୍ତାନ ଲକ୍ଷ ଲକ୍ଷ ଗଛ କାଟି ଚାଲିଛି, ଯାହା ପ୍ରଦୂଷଣର ଅସଲ କାରଣ ।
ୟୁରୋପକୁ ଡରାଇଲା ପାକିସ୍ତାନ; ମିଳିଲା କଡ଼ା ଜବାବ:
ସମ୍ମିଳନୀରେ ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ମଲିକ ୟୁରୋପୀୟ ଦେଶଗୁଡ଼ିକୁ ଭୟ ଦେଖାଇ କହିଥିଲେ, "ଯଦି ଭାରତ ଏମିତି ସିନ୍ଧୁ ଚୁକ୍ତିକୁ ନିଲମ୍ବିତ କରିଦେବ, ତେବେ ଆଗକୁ ୟୁରୋପର କୌଣସି ଶକ୍ତିଶାଳୀ ଦେଶ ମଧ୍ୟ ନିଜର ଆପୋଷ ଜଳ ଚୁକ୍ତି ମାନିବେ ନାହିଁ ।" କିନ୍ତୁ ପାକିସ୍ତାନ ଏଠାରେ ଗୋଟିଏ ବଡ଼ ସତ୍ୟ ଲୁଚାଇଛି । ୟୁରୋପର କୌଣସି ଦେଶ, ଅନ୍ୟ ଏକ ପଡ଼ୋଶୀ ଦେଶ ଉପରେ ପାଣି ପାଇଁ ନିର୍ଭର କରିବା ସହ ସେହି ଦେଶକୁ ଆତଙ୍କବାଦୀ ପଠାଇ ନିରୀହ ଲୋକଙ୍କୁ ହତ୍ୟା କରେନାହିଁ । ମୁମ୍ବାଇ ୨୬/୧୧, ଉରି, ପୁଲୱାମା ଏବଂ ନିକଟରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ସିଧାସଳଖ ହାତ ରହିଛି । ପାକିସ୍ତାନର ନିଜ ଓକିଲ ଫୈସଲ ହୁସେନ ନକଭି ମଧ୍ୟ ସ୍ୱୀକାର କରିଛନ୍ତି ଯେ ଭାରତ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଯୋଗୁଁ ହିଁ ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରିଛି । ବିଗତ ୧୪ ମାସ ହେବ ସିନ୍ଧୁ ଜଳ ଚୁକ୍ତି ନିଲମ୍ବିତ ରହିଛି । ବିଶ୍ୱ ଦରବାରରେ ନିଜ ସୀମାପାର ଆତଙ୍କବାଦର ଚେହେରା ଧରାପଡ଼ିଯିବା ପରେ, ପାକିସ୍ତାନ ଏବେ ଜଳ ସଙ୍କଟର ନାଟକ ରଚି ନିଜକୁ 'ଭିକ୍ଟିମ' ସଜାଇବାକୁ ଚେଷ୍ଟା କରୁଛି, ଯାହାକୁ ବିଶ୍ୱ ସମୁଦାୟ ସହଜରେ ଗ୍ରହଣ କରୁନାହାନ୍ତି ।
ଆହୁରି ପଢ଼ନ୍ତୁ... Hormuz Issue: ୬୦ ଦିନ ପରେ ବଦଳିବ ହୋର୍ମୁଜ୍ ନିୟମ; 'ଟୋଲ୍' ନୁହେଁ 'ଫିସ୍' ଆଦାୟ କରିବ ଇରାନ, ଚିନ୍ତାରେ ଭାରତ