୧୫।୮: ୱାଶିଂଟନ୍ ଡି.ସି ସ୍ଥିତ ନାସା ମୁଖ୍ୟାଳୟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଏହି ରହସ୍ୟମୟ ମହାକାଶ ବସ୍ତୁର ନାଁ ‘୩୧/ଆଟଲାସ’ । ଯାହା ଖୁବ୍ ଦ୍ରୁତ ବେଗରେ ସୌରମଣ୍ଡଳ ମଧ୍ୟରେ ପ୍ରବେଶ କରୁଛି । ଗତ ଜୁଲାଇ ୧ରେ ଚିହ୍ନଟ ହୋଇଥିବା ‘୩୧/ଆଟଲାସ’ ଆମେରିକୀୟ ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ନାସା ଅନୁସାରେ, ଏହା ଘଣ୍ଟା ପ୍ରତି ୧ ଲକ୍ଷ ୩୦ ହଜାର ମାଇଲ ବେଗରେ ସୌରମଣ୍ଡଳରେ ପ୍ରବେଶ କରୁଛି । ନାସାର ହବଲ ସ୍ପେସ୍ ଟେଲିସ୍କୋପ୍ର ଅବଲୋକନ ଅନୁସାରେ, ୩୧/ଆଟଲାସ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଦ୍ରୁତତମ ମହକାଶ ବସ୍ତୁ । ଯାହା ଘଣ୍ଟା ପ୍ରତି ୨ ଲକ୍ଷ ୯ ହଜାର କିମି ବେଗରେ ଗତି କରିବାରେ ଏହା ସକ୍ଷମ ।
ଏହା ଏତେ ଦ୍ରୁତ ଗତିରେ ଆସୁଛି ଯେ, ପୂର୍ବରୁ ସୌରମଣ୍ଡଳରେ ପ୍ରବେଶ କରିଥିବା ଓଉମୁଆମୁଆ ଓ ବୋରିସୋଭ୍କୁ ମଧ୍ୟ ଏହା ପଛରେ ପକାଇଛି । ବୈଜ୍ଞାନିକମାନେ ଏହି ବସ୍ତୁର ବେଗକୁ କୋଟି କୋଟି ବର୍ଷର ମାଧ୍ୟାକର୍ଷଣ ସମ୍ପର୍କକୁ ଦାୟୀ କରୁଛନ୍ତି । ଏହାକୁ ‘ଗ୍ରାଭିଟେସ୍ନାଲ ସ୍ମିଙ୍ଗସଟ୍ ଇଫେକ୍ଟ’ କୁହାଯାଏ । ଦ୍ରୁତ ବେଗ ଯୋଗୁଁ ଏହା ବୈଜ୍ଞାନିକଙ୍କୁ ଖୁବ୍ କମ୍ ସମୟ ପାଇଁ ଦୃଶ୍ୟମାନ ହୁଏ । ଏହି କମ୍ ସମୟ ମଧ୍ୟରେ ଏଥିରୁ ତଥ୍ୟ ହାସଲ କରି ସେମାନଙ୍କୁ ଅଧ୍ୟୟନ କରିବାକୁ ପଡ଼େ । ୩୧/ଆଟଲାସ ବିଷୟରେ ଯଥା ସମ୍ଭବ ଅଧିକରୁ ଅଧିକ ସୂଚନା ହାସଲ କରିବାକୁ ନାସା ଆଶା ରଖିଛି । ସୌରମଣ୍ଡଳରେ ସବୁଠୁ ଦ୍ରୁତ ଏହି ମହାକାଶ ବସ୍ତୁ ସମ୍ପର୍କରେ ନାସାର ହବଲ୍ ଟେଲିସ୍କୋପ୍ ଅନ୍ୟ ତଥ୍ୟ ମଧ୍ୟ ହାସଲ କରିଛି । ଭେରା ସି. ରୁବିନ୍ ଅବ୍ଜର୍ଭେଟୋରୀର ଅବଲୋକନ ଯେତେବେଳେ ସାମ୍ନାକୁ ଆସିଲା, ୩୧/ଆଟଲାସର ବରଫଯୁକ୍ତ ଗହ୍ୱର ୧୧.୨ କିମି ଚଉଡ଼ା ହୋଇପାରେ ବୋଲି ଅନୁମାନ କରାଗଲା ।
କିନ୍ତୁ ନିକଟରେ କରାଯାଇଥିବା ଆକଳନ ଦାବି କରିଛି ଯେ, ଏହା ଆହୁରି ଛୋଟ । ପ୍ରାୟ ୫.୬ କିମି ଚଉଡ଼ା ଏବଂ ସମ୍ଭବତଃ ୧୦୦୦ ଫୁଟ୍ ବ୍ୟାସଯୁକ୍ତ । ପୁନଃ ନିର୍ଦ୍ଧାରିତ ଆକଳନ ସତ୍ତ୍ୱେ ୩୧/ଆଟଲାସ ଏ ପର୍ଯ୍ୟନ୍ତ ଆବିଷ୍କୃତ ସର୍ବବୃହତ ମହାକାଶ ବସ୍ତୁ । ନାସାର ଅନେକ ଶକ୍ତିଶାଳୀ ଟେଲିସ୍କୋପ୍ ଜରିଆରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ, ୩୧/ଆଟଲାସ ଏକ ଠୋସ୍ ଶିଳା ନୁହେଁ, ବରଂ ଏକ ଧୂମକେତୁ । ଏହା ଏକ ବରଫ ଖଣ୍ଡ, ଯାହା ଫ୍ରୋଜନ୍ ଗ୍ୟାସ୍, ଧୂଳିକଣାକୁ ଧାରଣ କରିଥିବା ଏକ ଉପାଦାନ । ଏହି ଧୂମକେତୁର ବୟସ ମଧ୍ୟ ଆକଳନ କରାଯାଇଛି । ନାସାର ବିସ୍ତୃତ ବିଶ୍ଳେଷଣ ଅନୁସାରେ, ଏହା ଅତିକମ୍ରେ ପ୍ରାୟ ୮୦୦ କୋଟି ବର୍ଷ ହେଲା ମିଲ୍କୀ ୱେକୁ ପରିକ୍ରମା କରୁଛି । ସୌରମଣ୍ଡଳଠୁ ଏହା ୨ ଗୁଣ ଅଧିକ ପ୍ରାଚୀନ । ସୌରମଣ୍ଡଳର ବୟସ ୪୬୦ କୋଟି ବର୍ଷ ବୋଲି ଆକଳନ କରାଯାଏ ।