ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଆଜି (ବୁଧବାର) ଦିଲ୍ଲୀର ପଲ୍ଲା ଗ୍ରାମ ନିକଟରେ ଯମୁନା ନଦୀକୁ ଯାଇ ଏହାର ପାଣି ପିଇଛନ୍ତି । ସେ ଏହି ପଦକ୍ଷେପ ଏପରି ଏକ ସମୟରେ ନେଇଛନ୍ତି, ଯେତେବେଳେକି ଯମୁନାର ବିଷାକ୍ତ ଜଳକୁ ନେଇ ବିଜେପି, ହରିୟାଣା ସରକାର ଏବଂ ଆମ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ସୂଚନାଥାଉକି, ଅରବିନ୍ଦ କେଜରିୱାଲ ନିକଟରେ ଅଭିଯୋଗ କରିଥିଲେ ଯେ ହରିୟାଣା ସରକାର ଯମୁନା ନଦୀର ପାଣିରେ ବିଷ ମିଶାଇଛନ୍ତି।

ତେବେ ଯମୁନାର ପାଣି ପିଇବା ପରେ, ନାୟବ ସିଂହ ସାଇନି କହିଛନ୍ତି ଯେ, ଆଜି ମୁଁ ଯମୁନା ନଦୀ କୂଳକୁ ଆସି ଏହାର ପାଣି ପିଇଛି। ଜଳ ସମ୍ପଦ ପ୍ରାଧିକରଣ ଏଠାରୁ ପାଣି ନମୁନା ନେଇଥିଲେ ଏବଂ ପାଣିରେ କୌଣସି ବିଷ ମିଳିନଥିଲା। ସେ କହିଛନ୍ତି ଯେ କେଜରିୱାଲ ହରିୟାଣାର ବିଜେପି ସରକାର ଉପରେ ଯମୁନା ନଦୀକୁ ବିଷାକ୍ତ କରିଥିବା ଅଭିଯୋଗ କରିଛନ୍ତି। ସେ ସାମୁହିକ ନରସଂହାର ବିଷୟରେ କହିଥିଲେ। ଅରବିନ୍ଦ କେଜରିୱାଲ ସାରା ଜୀବନ ମିଛ କହି ଆସିଛନ୍ତି ଏବଂ ଏବେ ପୁଣି ମିଛ କହୁଛନ୍ତି।




ଏହା ପୂର୍ବରୁ, ହରିୟାଣା ସରକାରଙ୍କ ମନ୍ତ୍ରୀ ବିପୁଲ ଗୋୟଲ ଆଜି (ବୁଧବାର) କହିଥିଲେ ଯେ ଯମୁନାରେ "ବିଷ" ମିଶିବା ବିଷୟରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ବୟାନ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ସୋନିପତର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ (CJM) କୋର୍ଟରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରାଯିବ । ଗୋୟଲ କହିଛନ୍ତି, "କେଜରିୱାଲ ଏକ ଦାୟିତ୍ୱହୀନ ବୟାନ ଦେଇଛନ୍ତି ଯାହା ଦିଲ୍ଲୀ ଏବଂ ହରିୟାଣାର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ହରିୟାଣା ସରକାର ତାଙ୍କ ବିରୁଦ୍ଧରେ ସିଜେଏମ କୋର୍ଟରେ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୨ (ଡି) ଏବଂ ୫୪ ଅନୁଯାୟୀ ମାମଲା ଦାୟର କରିବାକୁ ଯାଉଛନ୍ତି।" 

ସୂଚନାଥାଉକି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ହରିୟାଣାର ବିଜେପି ସରକାର ଯମୁନା ନଦୀରେ "ବିଷ ମିଶାଇ" ଲୋକଙ୍କୁ ମାରିବାକୁ ଚେଷ୍ଟା କରୁଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି "ଜାଣିଶୁଣି ଲୋକଙ୍କୁ ମାରିବାକୁ ଚେଷ୍ଟା କରୁଛି।