ନୂଆଦିଲ୍ଲୀ ୧୨/୧୨: ଜନ୍ମଦିନ, ବିବାହ କିମ୍ବା ବିବାହବାର୍ଷିକୀ ଅବସରରେ ଲୋକେ ପାର୍ଟି ଦେଉଥିବା ସମସ୍ତେ ଜାଣନ୍ତି । ତେବେ ହରିଆଣାର ଜଣେ ଯୁବକ ମନ୍‌ଜିତ ଛାଡ଼ପତ୍ର ପାର୍ଟି ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ୨୦୨୦ରେ କୋମଲଙ୍କୁ ବିବାହ କରିଥିଲେ । ଦୁର୍ଭାଗ୍ୟକୁ ଉଭୟଙ୍କ ମଧ୍ୟରେ  ମନୋମାଳିନ୍ୟ ଦେଖାଯାଇଥିଲା । ସଂପର୍କରେ ଜଟିଳତା  ବଢ଼ିବା ପରେ ଶେଷରେ ସେମାନେ ଚଳିତବର୍ଷ ଛାଡ଼ପତ୍ର  ନେଇଛନ୍ତି । ତେବେ ଛାଡ଼ପତ୍ର ପରେ ନିକଟରେ ମନଜିତ୍‌ ଏକ ବିବାହବିଚ୍ଛେଦ ପାର୍ଟି ରଖିଥିଲେ । ସେଥିରେ  ତାଙ୍କର ବିବାହ ସମୟର ଫଟୋ, ବିବାହ ତାରିଖ ସହିତ ଛାଡ଼ପତ୍ରର ତାରିଖ ଥିବା ପୋଷ୍ଟର ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ସେ କେକ୍‌ କାଟି ଖୁସି  ପାଳନ କରିଥିଲେ । 

କେବଳ ସେତିକି ନୁହେଁ, ସେ  ପାର୍ଟିକୁ ଏକ ପ୍ରତିମୂର୍ତ୍ତି ମଧ୍ୟ ଆଣିଥିଲେ ଯାହାକି ତାଙ୍କର ପୂର୍ବତନ ପତ୍ନୀଙ୍କର ପ୍ରତିନିଧିତ୍ୱ କରୁଥିଲା । ବେକରେ ଫୁଲମାଳ ପକାଇ ସେହି ପ୍ରତିମୂର୍ତ୍ତି ସହିତ ସେ ପୋଜ୍‌ ଦେଇ କିଛି ଫଟୋ ଉଠାଇଥିବାବେଳେ ତାହା ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହେଉଛି । ଏହା ପୂର୍ବରୁ ଚଳିତବର୍ଷ  ଜଣେ ମହିଳା ବିବାହବିଚ୍ଛେଦ ପରେ ଏକ ଡ୍ୟାନ୍ସ ପାର୍ଟିର  ଆୟୋଜନ କରିଥିଲେ । ସେଥିରେ ସେ ଲୋକପ୍ରିୟ  ବଲିଉଡ୍‌ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ତାଙ୍କର  ସେହି ଡ୍ୟାନ୍ସ ପାର୍ଟିର ଭିଡିଓ ସୋସିଆଲ୍‌ ମିଡିଆରେ  ଭାଇରାଲ୍‌ ହୋଇଥିଲା ।