କଟକ,୨୨/୧୧: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ସେନା ଅଧିକାରୀଙ୍କୁ ଅସୌଜନ୍ୟ ବ୍ୟବହାର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାର ତଦନ୍ତ ଜାରି ଥିବା ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ୍‌ ଅବଗତ କରାଇଛନ୍ତି । ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ  ଦାଖଲ ପାଇଁ ହାଇକୋର୍ଟ ଗତକାଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଗୁରୁବାର ସରକାର ତଦନ୍ତ ଅଗ୍ରଗତି ସଂପର୍କରେ ସୂଚନା ଦେବା  ସହ ଏହା ଜାରି ରହିଥିବା କହିଥିଲେ । ଏହି ଜବାବ ପରେ ହାଇକୋର୍ଟ  ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି । ସେହିଦିନ  ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି  ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ  ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । 

ଗତ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ  ରାତିରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ଏଫ୍‌ଆଇଆର୍‌ ଦେବା  ପାଇଁ ଭରତପୁର ଥାନାକୁ ଯାଇଥିଲେ । ସେମାନଙ୍କଠାରୁ ଏଫ୍‌ଆଇଆର୍‌  ଗ୍ରହଣ ପରିବର୍ତ୍ତେ ପୁଲିସ୍‌ କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ  କରିବା ସହ ବାନ୍ଧବୀଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ  ହୋଇଥିଲା । ଏପରିକି ବାନ୍ଧବୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ମଧ୍ୟ  ପଠାଇ ଦିଆଯାଇଥିଲା । ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି  କରିଥିଲା । ଏହି ଘଟଣାରେ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି  ଶୁଣାଣି କରୁଛନ୍ତି । ଆମିକସ୍‌କ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଗୌତମ  ମିଶ୍ର ଅଦାଲତଙ୍କୁ ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି ।