ଭୁବନେଶ୍ବର, ୨୬/୦୫:  ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ଡାକ୍ତର ରୋଗୀ ସେବା କରିବାକୁ କୁନ୍ଥକୁନ୍ଥ । ଉପଯୁକ୍ତ ଭିତ୍ତିଭୂମି ନାହିଁ । ସ୍ୱାସ୍ଥ୍ୟ ବିଭାଗ ନା ସ୍ୱାସ୍ଥ୍ୟାନୁଷ୍ଠାନରେ ଡାକ୍ତରଙ୍କ ରହିବା ପାଇଁ କ୍ୱାର୍ଟର୍ସ ଯୋଗାଉଛନ୍ତି ନା କ୍ୱାର୍ଟର୍ସ ନିର୍ମାଣ ପାଇଁ ଆନ୍ତରିକତା ଦେଖାଉଛନ୍ତି । ଡାକ୍ତରମାନେ କ୍ୱାର୍ଟର୍ସ ପାଉନାହାନ୍ତି । ବାଧ୍ୟ ହୋଇ କେଉଁ ଡାକ୍ତର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ୨୦ କିଲୋମିଟର ଦୂରରେ ରହୁଛନ୍ତି ତ, ଆଉ କିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ୧୫ କିଲୋମିଟର ଦୂରରେ । ଡାକ୍ତରଙ୍କ କ୍ୱାର୍ଟର୍ସ ନିର୍ମାଣ ବାବଦରେ ଗତ ବର୍ଷେ ହେଲାଣି ସ୍ୱାସ୍ଥ୍ୟ ବିଭାଗରେ ପଡ଼ି ରହିଛି ୫୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଏନେଇ ସ୍ୱାସ୍ଥ୍ୟ ବିଭାଗ ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ କେଉଁ ପିଏଚ୍‌ସି, ସିଏଚ୍‌ସି ଆଦିରେ କ୍ୱାର୍ଟର୍ସ ନାହିଁ ତାହାର ତାଲିକା ପ୍ରସ୍ତୁତ କରିବା ଲାଗି ବାରମ୍ବାର ନିର୍ଦ୍ଦେଶ ଦେଇଛି । ହେଲେ ସେମାନେ ତାଲିକା ଦେବାକୁ ଖାତିର କରୁନଥିବା ଜଣାପଡ଼ିଛି ।

ଏନେଇ ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ତି ଏସ୍‌ ସମୀକ୍ଷା କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ନବରଙ୍ଗପୁର ଜିଲ୍ଲା କୋଡ଼ିଗାଁ, କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ, ପାଇଲୋ, ହରିଅଙ୍କ, ମାର୍ଶାଘାଇ, ରାୟଗଡ଼ା ଜିଲ୍ଲା ଜଗନ୍ନାଥପୁର ଓ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପାଇଁ କ୍ୱାର୍ଟର୍ସ ନାହିଁ । ରାଜ୍ୟରେ ମୋଟ୍ ୮୭୦୦ଟି ସ୍ୱାସ୍ଥ୍ୟାନୁଷ୍ଠାନ ରହିଛି । ତନ୍ମଧ୍ୟରେ ୧୪ଟି ମେଡିକାଲ କଲେଜ, ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩୩ଟି ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ୧୧୪୬ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୩୭୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୧୨୩୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଏହି ସବୁ ସ୍ୱାସ୍ଥ୍ୟାନୁଷ୍ଠାନରେ କେତେ କ୍ୱାର୍ଟର୍ସ ରହିଛି, ତାହାର ହିସାବ ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ । ଡାକ୍ତରମାନେ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିପାରୁନଥିବାରୁ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ଘଟୁଛି । କିଛି ସ୍ଥାନରେ ଡାକ୍ତରଙ୍କୁ କ୍ୱାର୍ଟର୍ସ ମିଳିଛି ତ ତାହା ପୁଣି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କେଉଁଠି ଲାଇନ୍‌ ନାହିଁ ତ, ଆଉ କେଉଁଠି ପାଣି ସୁବିଧା ନାହିଁ । ସେଠାରେ ଡାକ୍ତରମାନେ ରହିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ଘର ଭଡ଼ା ନେଇ ରହୁଛନ୍ତି ।

ଏନେଇ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍‌ (ଓଏମ୍‌ସା) ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି, ଉପାନ୍ତ ଅଞ୍ଚଳରେ ଡାକ୍ତରମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ସେମାନେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ଡାକ୍ତରମାନେ ସବୁବେଳେ ଓମ୍‌ସା ପାଖରେ କ୍ୱାର୍ଟର୍ସ ସମସ୍ୟା ନେଇ ଆପତ୍ତି କରୁଛନ୍ତି । ସ୍ୱାସ୍ଥ୍ୟ ସଚିବ ଏହାକୁ ଗୁରୁତର ସହିତ ନେଇ ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ କ୍ୱାର୍ଟର୍ସ ସମ୍ବନ୍ଧୀୟ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ- Gender Discrimination : ଯାଆଁଳା କନ୍ୟା ଜନ୍ମ କରିବାରୁ ପୁଅବୋହୂଙ୍କୁ ଘରୁ ତଡ଼ିଦେବା ଘଟଣା, ଜେଲ୍ ଗଲେ ଶ୍ୱଶୁର, ଶାଶୂ-ନଣନ୍ଦ ଫେରାର