ମଲକାନଗିରି,୧୭/୧୧ ଆଜି ମଲକାନଗିରି ଜିଲ୍ଲାସ୍ଥ ଖଇରପୁଟ ବ୍ଲକ ଅନ୍ତର୍ଗତ ମାଡ଼କାପଦର ପଞ୍ଚାୟତ ପ୍ରlଙ୍ଗଣରେ ଏକ ଜିଲ୍ଲା ପ୍ରଶାସନର ଅଭିଯୋଗ ତଥା ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଶୁଶ୍ରୀ ଅଶ୍ୱନୀ ଏ.ଏଲ,ବ୍ଲକ୍ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ପୁର୍ଣିମା ଡୁରୁକା, ସହ ଶ୍ରମ ଅଧିକାରୀ ବିନି ମୁଦୁଲି, ମଙ୍ଗଳ ସଙ୍ଗ ଯୋଜକ ମଲକାନଗିରି ଚିନ୍ମୟ ରାଉତରାୟ,ଏବଂ ବିଜୟନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ l ଶିବିରରେ ଜନସାଧାରଣଙ୍କୁ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ କଳ୍ୟାଣମୂଳକ ଯୋଜନା ବିଷୟରେ ସଚେତନ କରାଯାଇଥିଲା।
ଏହି ଅବସରରେ ୫୦ ଜଣ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଯୋଗ୍ୟ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡ ବଣ୍ଟନ କରାଯାଇଲା ଏବଂ ୨୦ଜଣ ଅଣସଂଗଠିତ ଶ୍ରମିକଙ୍କୁ ଅଣସଂଗଠିତ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ବଣ୍ଟନର ଅଂଶ ଭାବେ ୫୫ ଜଣଙ୍କୁ ଶିକ୍ଷା ସହାୟତା, ୭ ଜଣଙ୍କୁ ବିବାହ ସହାୟତା, ୧୧ ଜଣଙ୍କୁ ମାତୃତ୍ୱ ସହାୟତା, ୪୪ ଜଣଙ୍କୁ ମୃତ୍ୟୁ ସହାୟତା ଏବଂ ୪୪ଜଣଙ୍କୁ ଅନ୍ତିମ ସଂସ୍କାର ସହାୟତା ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ମୋଟ ୧୬୧ଜଣ ହିତାଧିକାରୀ ଲାଭାନ୍ବିତ ହୋଇଥିବା ସହ ପ୍ରଦାନିତ ମୁଲ୍ୟର ରାଶି ହେଉଛି ମୋଟ ୧,୩୩, ୫୮,୬୦୦ ଟଙ୍କା। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୭ ଜଣ ଶ୍ରମିକଙ୍କୁ ମୃତ୍ୟୁ ସହାୟତା ଭାବେ ୧୪,୦୦,୦୦୦ଟଙ୍କା ବଣ୍ଟନ କରାଯାଇଛି। ସମୁଦାୟ ମିଳିତ ଉଭୟ ବୋର୍ଡରୁ ମୋଟ ୧୬୮ ଜଣ ଶ୍ରମିକ ୧,୪୭,୫୮,୬୦୦ଟଙ୍କାର ସହାୟତା ପାଇ ହିତାଧିକାରୀ ଲାଭାନ୍ବିତ ହୋଇଛନ୍ତି । ଶିବିରରେ ଅଧିକାରୀ ମାନେ ଶ୍ରମିକ ମାନଙ୍କ ପାଇଁ ଯୋଜନାର ଲାଭ ସୁନିଶ୍ଚିତ କରିବାକୁ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।