ବାଲେଶ୍ୱର, ୨/୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ବର ସହର ଜଳବନ୍ଦୀ । ସହରର ଅଧିକାଂଶ ଅଞ୍ଚଳ ବର୍ଷାରେ ପ୍ରଭାବିତ । ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୱାର୍ଡ ଭିତରେ ପାଣି ।
ସୂଚନା ମୁତାବକ,ସୋମବାର ବିଳମ୍ବିତ ରାତିରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ଭୋର ସମୟରେ ଲଗାଣ ବର୍ଷା ଯୋଗୁଁ ଫକୀର ମୋହନ ଗୋଲେଇ, ମୁଖ୍ୟ ଡାକଘର, ଗୁଡିପଦା , ଏକତା ନଗର, ବାଲିଆଛକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଚିଡିଆପୋଲରେ ଆଣ୍ଠୁଏ ଲେଖାଁଏ ପାଣି। ସେହିପରି ବାଲିଆ, ଚର୍ଚ୍ଚଗଳି, ସେଲଟେକ୍ସ କଲୋନି, ଲୋକନାଥ ମନ୍ଦିର, କଂଗ୍ରେସ ଗଳି ଆଦି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି। ସେହିଭଳି ଚିଡିଆପୋଲ, ନୂଆସାହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ବିଶେଷ କରି ୧୯ ନଂ,୨୬ନଂ, ୧୭ନଂ, ୨୭ନଂ, ୨୪ନଂ ୱାର୍ଡ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଡ଼ାକ୍ତରଖାନା ପଛ ପାର୍ଶ୍ୱରେ ମଧ୍ୟ ଆମ୍ବୁଲାନ୍ସ ଏବଂ ରାସ୍ତା ଉପରେ ଗଛ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଡାକ୍ତରଖାନାରେ ଜରୁରୀକାଳୀନ ବିଭାଗରେ ପାଣି ପଶି ରୋଗୀ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି।