ଭୁବନେଶ୍ୱର, ୧୬/୦୭ : ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହୋଇପାରେ । ୧୬ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବୁଧବାର ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ଜଗତ୍ସିଂହପୁରରେ ୨୯.୨ ମିମି ବର୍ଷା ହୋଇଛି । ଝାରସୁଗୁଡ଼ାରେ ୧୬, ବରଗଡ଼ରେ ୧୫.୬, ଭବାନୀପାଟଣାରେ ୧୧.୮, ନୟାଗଡ଼ରେ ୧୦ ଓ ଟିଟିଲାଗଡ଼ରେ ୪ମିମି ବର୍ଷା ରେକର୍ଡ ହୋଇଛି ।