ସମ୍ବଲପୁର,୧୨/୦୭: ‘ଭଙ୍ଗା ଘରେ ଚକା ଜହ୍ନ’ ।  ବିଶ୍ୱ ପ୍ରସିଦ୍ଧ ‘ରଙ୍ଗବତୀ’ ଗୀତର ଗାୟକ ପଦ୍ମଶ୍ରୀ ଡ. ଜିତେନ୍ଦ୍ର  ହରିପାଲଙ୍କ ପାଇଁ ଏହି ପଂକ୍ତି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ । ସପ୍ତାହେ ହେଲା ଚାଲିଥିବା ଲଗାଣ ବର୍ଷାରେ ଶ୍ରୀ ହରିପାଲ୍‌ଙ୍କ ପୁରୁଣା ଘର କାନ୍ଥ  ଭୁଶୁଡ଼ି ପଡ଼ିଛି । ପଦ୍ମଶ୍ରୀଙ୍କ ସଙ୍ଗୀତମୟ ଯାତ୍ରାର ମୂକସାକ୍ଷୀ ଏହି ଘରକୁ ପୁନରୁଦ୍ଧାର କରିବା ଦିଗରେ ସହଯୋଗର ହାତ  ବଢ଼ାଇବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି ।  

ସମ୍ବଲପୁର ମହାନଗର ନିଗମ ୧୮ନଂ. ୱାର୍ଡ ଅନ୍ତର୍ଗତ  ଷ୍ଟେସନପଡ଼ାରେ ରହିଛି ଶ୍ରୀ ହରିପାଲଙ୍କ ପୁରୁଣା ଘର ।  ଗତ କରୋନା ସମୟରେ ଉକ୍ତ ଘର ଭାଙ୍ଗି ପଡ଼ିଥିଲା ।  ସେତେବେଳେ ମିଳିଥିବା ସହାୟତାରେ ସାମାନ୍ୟ ମରାମତି  ସମ୍ଭବ ହୋଇପାରିଥିଲା । ଏବେ ଲଗାଣବର୍ଷାରେ ୪ ବଖରା  ଘରର ଅଧିକାଂଶ ମାଟିକାନ୍ଥ ଭୁଶୁଡ଼ି ପଡ଼ିଛି । ଏବେ ଘରର  ସ୍ଥିତି ଏଭଳି ଯେ, ଭିତରକୁ ଗଲେ ମୁଣ୍ଡ ବାଜୁଛି । ବର୍ଷା  ପାଣିରେ ବତୁରି ପଡ଼ିଥିବା ଘର ଦୟନୀୟ ଅବସ୍ଥାରେ ।  କେତେକ ସ୍ଥାନରେ କାନ୍ଥ ଫାଟି ଆଁ କରିଛି । ଶୋଚନୀୟ  ହୋଇପଡ଼ିଥିବା ଖପର ଘର କୌଣସି ମୁହୂର୍ତ୍ତରେ  ଭୁଶୁଡ଼ି ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ ।  ସରକାରୀ ଜମିରେ ଘରଟି ଥିବାରୁ ଆବାସ ଯୋଜନା ସାମିଲ ହୋଇପାରୁନାହିଁ । ଜରାଜୀର୍ଣ୍ଣ ଘରର ମରାମତି ନିମନ୍ତେ  ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ଶ୍ରୀ  ହରିପାଲ ନିବେଦନ କରିଛନ୍ତି ।

ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ଅନେକ ସମ୍ବଲପୁରୀ  ଗୀତରେ କଣ୍ଠଦାନ କରିଥିବାବେଳେ ‘ରଙ୍ଗବତୀ’ ଗୀତ  ତାଙ୍କୁ ଆଣି ଦେଇଥିଲା ଅଜସ୍ର ପ୍ରସିଦ୍ଧି । ହେଲେ ଏଭଳି  ଜଣେ ଲୋକପ୍ରିୟ ଗାୟକ ଦାରିଦ୍ର‌୍ୟ କଷାଘାତରୁ ମୁକୁଳି ପାରି  ନାହାନ୍ତି । ତେଣୁ ପକ୍କା ଘର ଖଣ୍ଡିଏ କରିପାରିନାହାନ୍ତି। 

ଶ୍ରୀ  ହରିପାଲ କହିଛନ୍ତି, ଅଜା ଅମଳର ୪ ବଖରା ଘର ବହୁ  ପୁରୁଣା । ମରାମତି ହୋଇପାରୁ ନ ଥିବାରୁ ଏହା ଶୋଚନୀୟ  ହୋଇପଡ଼ିଛି। ସେଠି ରହିବା ସମ୍ଭବ ନୁହେଁ । ତେଣୁ ପରିବାର  ସଦସ୍ୟଙ୍କ ସହ ସେ ଜଗନ୍ନାଥ କଲୋନିଠାରେ ଦୁଇ ବଖରା  ବିଶିଷ୍ଟ ଭଡ଼ା ଘରେ ରହୁଛନ୍ତି । ପୁରୁଣା ଘର ପାଖରେ ତାଙ୍କ  ଝିଅ-ଜ୍ୱାଇଁ ରହୁଛନ୍ତି । 

ଗତ ଗୁରୁବାର ସେମାନଙ୍କଠାରୁ ଘର  ଭାଙ୍ଗିଯାଇଥିବା ସମ୍ପର୍କରେ ସୂଚନା ପାଇଥିଲେ । ଶୁକ୍ରବାର  ଆସି ଦେଖିବା ବେଳକୁ ଘରର ସ୍ଥିତି ଅଦି ଦୟନୀୟ  ହୋଇପଡ଼ିଥିଲା । ଏ ନେଇ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ  ବୋନ୍ଦରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲାପାଳଙ୍କ  କହିବା କଥା, ଉକ୍ତ ଜମି ତାଙ୍କ ନାମରେ ନାହିଁ । ତେଣୁ  ସରକାରୀ ଯୋଜନାରେ ଘର ନିର୍ମାଣ ହୋଇପାରୁନି ।  ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଶୀଘ୍ର ଭଙ୍ଗା  ଘରକୁ ମରାମତି କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ।