ଆନନ୍ଦପୁର, ୨/୯ : ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେହାଲ। ଆନନ୍ଦପୁର ପୌରପାଳିକାର ୧୪ନଂ ୱାର୍ଡରେ ଘରେ ଘରେ ପଶିଲା ବର୍ଷା ଜଳ। ରାତି ୨ଟାରୁ ଅବିଶ୍ରାନ୍ତ ବର୍ଷା କାରଣରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ସୂଚନାନୁଯାୟୀ, ଆନନ୍ଦପୁର ପୌରପାଳିକାର ୧୪ନଂ ୱାର୍ଡରେ ଡ୍ରେନେଜ୍ ସମସ୍ୟା ରହିଛି। ସୋମବାର ରାତି ୨ଟାରୁ ଲଗାଣ ବର୍ଷା ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଘରେ ଘରେ ବର୍ଷା ପାଣି ଲହଡ଼ି ମାରୁଛି। କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ଵାର ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ନିକଟରେ ବାବୁମାନେ ସ୍ଵାୟତ୍ତ ଶାସନ ଦିବସ ବେଶ୍ ଧୁମଧାମ୍‌ରେ ପାଳନ କରିଥିଲେ, ଭୋଜିଭାତର ବି ଆସର ଜମିଥିଲା। ହେଲେ ପୌରବାସୀଙ୍କ ସମସ୍ୟା ବୁଝିଲା ବେଳକୁ ବାବୁଙ୍କ ଆନ୍ତରିକତା ରହୁନି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛି।