ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟର ବିଜୟ ପରେ ଜେଏମଏମ୍‌ ମୁଖ୍ୟ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି । ନଭେମ୍ବର ୨୮ (ଗୁରୁବାର) ଶପଥ ନେଇପାରନ୍ତି ହେମନ୍ତ ସୋରେନ ।  ଏହି ଶପଥ ଗ୍ରହଣ ଉତ୍ସବରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଯୋଗ ଦେଇପାରନ୍ତି । ସେହିଭଳି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଇଣ୍ଡି ମେଣ୍ଟର ଅନ୍ୟ ପ୍ରମୁଖ ନେତା ସାମିଲ ହୋଇପାରନ୍ତି । 

ଏବେ ଏବେ ଶେଷ ହୋଇଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍‌ ନେତୃତ୍ବାଧୀନ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିଛି । ୮୧ରୁ ୫୬ ଆସନରେ ମେଣ୍ଟ ବାଜିମାତ୍‌ କରିଛି । ହେଲେ ସରକାର ପରିବର୍ତ୍ତନ କରିବାକୁ ସବୁ ବଳ ଖଟାଇଥିଲେ ସୁଦ୍ଧା ବିଜେପି ନେତୃତ୍ବାଧୀନ ଏନଡିଏ କେବଳ ୨୪ ଆସନରେ ବିଜୟୀ ହୋଇଛି ।  ହେମନ୍ତ ସୋରେନ ବରହୈଟ ଆସନରେ ବିଜେପି ପ୍ରାର୍ଥୀଙ୍କୁ ୩୯,୭୯୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ଜେଏମଏମ୍‌ ୪୩ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୪ ଆସନରେ ବିଜୟୀ ହୋଇଛି ।  

ସେହିଭଳି କଂଗ୍ରେସ ୧୬, ଆରଜେଡି ୪ ଏବଂ ସିପିଆଇ (ଏମଏଲ୍‌)ର ୨ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଆସନ୍ତାକାଲି ହେମନ୍ତ ସୋରେନ ଶପଥ ନେଲେ ତାଙ୍କ ମନ୍ତ୍ରୀମଣ୍ଡଳରେ ଆରଜେଡିର ଜଣେ ବିଧାୟକଙ୍କୁ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ସେପଟେ ଇଣ୍ଡି ମେଣ୍ଟ ହେମନ୍ତ ସୋରେନଙ୍କୁ ବିଧାୟକ ଦଳ ନେତା ଚୟନ କରିବା ପରେ  ରବିବାର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଭେଟି ସେ ସରକାର ଗଠନ ନେଇ ଦାବିପତ୍ର ଦେଇଛନ୍ତି ।  ନଭେମ୍ବର ୧୫, ୨୦୦୦ରେ ବିହାରଠୁ ଅଲଗା ହେବା ପରେ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସାରେନ ଶପଥ ନେବାକୁ ଯାଉଛନ୍ତି ।  ସେ ଚତୁର୍ଥ ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ।