ମାଲକାନଗିରି, ୨୩/୧୧ (ଆପ୍ର ) : ସଡ଼କ ଦୁର୍ଘଟଣାରେ ଆହତ ଏକ ହେଟା ବାଘକୁ ବନବିଭାଗ ଏକ ଜମିରୁ ଉଦ୍ଧାର କରିଛନ୍ତି। ଗୁରୁତର ଭାବେ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ନିମନ୍ତେ ନବରଙ୍ଗପୁର ବନ୍ୟସଂରକ୍ଷଣ ଗୃହକୁ ପଠାଯାଇଛି।
ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣି ପଞ୍ଚାୟତସ୍ଥ ପୂଜାରୀମୁଣ୍ଡା ରାସ୍ତା କଡ଼ରେ ଥିବା ଚାଷ ଜମିରେ ଏକ ହେଟା ବାଘ ଆହତ ଅବସ୍ଥାରେ ପଡ଼ିଥିଲା। କିଛି ଗ୍ରାମବାସୀ ଦେଖି ବନ ବିଭାଗକୁ ଫୋନ କରିଥିଲେ। ଫୋନ ପାଇ ସଙ୍ଗେ ସଙ୍ଗେ ମାଲକାନଗିରି ବନ ବିଭାଗ ରେଞ୍ଜ ଅଫିସର ରମେଶ ଚନ୍ଦ୍ର ରାଉତ, ଫରେଷ୍ଟର ଶିବଜିତ ମଣ୍ଡଳ, ବନରକ୍ଷୀ ବ୍ଳଭଦ୍ର ସାହୁ, ପାଣ୍ଡ୍ରିପାଣି ବିଟର ବନକର୍ମଚାରୀ ଘଟଣା ସ୍ଥଳରେ ପହଁଚିଥିଲେ। ଦୀର୍ଘ ଦୁଇଘଣ୍ଟା ପରିଶ୍ରମ ପରେ କୌଶଳ କ୍ରମେ ହେଟା ବାଘଟିକୁ ଜାଲ ପକାଇ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ।ଉଦ୍ଧାର ହେଟା ବାଘକୁ ସଙ୍ଗେସଙ୍ଗେ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ। କୌଣସି ଏକ ଅଜଣା ଗାଡ଼ି ଧକାରେ ଅଣ୍ଟା ଉପରେ ମାଡ଼ ହୋଇ ଯାଇଥିବାରୁ ହେଟା ବାଘଟି ସିଧା ହୋଇ ଚାଲି ପାରୁନଥିବାରୁ ତାକୁ ଉଚତର ଚିକିତ୍ସା ନିମନ୍ତେ ପଠାଯାଇଛି। ହେଟା ବାଘର ବୟସ ପ୍ରାୟ ୧୨ ରୁ ୧୩ ବର୍ଷ ହେବ । ଓଜନ ୫୨ କେଜି ଅଛି ବୋଲି ରେଞ୍ଜର ରମେଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।