କଟକ, ୨୦/୦୫: ହାଇକୋର୍ଟ ଏଏସ୍ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ମଡେଲ୍ ଉତ୍ତର ବିକ୍ରି ଘଟଣାରେ ଲାଲବାଗ ଥାନା ପୁଲିସ ଆଉ ଜଣେ ଦଲାଲକୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ଭୁବନେଶ୍ୱର ଧଉଳି ଥାନା ଉତ୍ତରା ନିକଟ ସତ୍ୟଭାମାପୁରର ସତ୍ୟବ୍ରତ ମହାନ୍ତି । ଅଭିଯୁକ୍ତ ସତ୍ୟବ୍ରତ ବିଭିନ୍ନ କୋଚିଂ ସେଣ୍ଟରକୁ ଯାଇ ଆଶାୟୀ ପ୍ରାର୍ଥୀଙ୍କ ସହିତ ଯୋଗାଯୋଗ କରୁଥିଲା । ତାର ଲିଙ୍କ ସିଧାସଳଖ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡଙ୍କ ସହିତ ରହିଥିଲା ବୋଲି ପୁଲିସ କହିଛି । ଅପରପକ୍ଷେ ଦଲାଲ ସତ୍ୟବ୍ରତ ସହ କେଉଁ କୋଚିଂ ସେଣ୍ଟର୍ ମାଲିକମାନେ ଯୋଗାଯୋଗରେ ଥିଲେ ସେ ସମ୍ପର୍କରେ ପୁଲିସ ଏବେ ଖୋଳତାଡ଼ କରୁଥିବା ସୂଚନା ମିଳିଛି ।

ହାଇକୋର୍ଟର(ଏଏସଓ-୨୦୨୪) ମୁଖ୍ୟ ଲିଖିତ ପରୀକ୍ଷା ୨୦୨୫ ଜୁଲାଇରେ ହୋଇଥିଲା । ଏହାର ପ୍ରଶ୍ନପତ୍ର ବା ମଡେଲ ଉତ୍ତର ପରୀକ୍ଷା ପୂର୍ବରୁ ଲିକ୍ ହୋଇଥିବା ଆଶଙ୍କା କରି ଜୁଲାଇ ମାସର ପରୀକ୍ଷାକୁ କର୍ତ୍ତୃପକ୍ଷ ରଦ୍ଦ କରିଦେଇଥିଲେ । ଏହି ଘଟଣାର ତଦନ୍ତ କରିବା ପାଇଁ ଲାଲ୍‌ବାଗ ଥାନାରେ ମାମଲା ରଜୁ ହୋଇଥିଲା । ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ ଦାୟିତ୍ୱ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥା ସିଲିକନ ଟେକ ପ୍ରାଇଭେଟ୍ ଲିମିଟେଡ ନେଇଥିଲା । ଏହାର ମାଲିକାନା ସୁରେଶ ଚନ୍ଦ୍ର ନାୟକଙ୍କ ପାଖରେ ରହିଛି । କିନ୍ତୁ ଏହି ପ୍ରଶ୍ନପତ୍ରର ମଡେଲ୍ ଉତ୍ତର ପରିଚାଳନା ଦାୟିତ୍ୱ ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଶଙ୍କର ପୃଷ୍ଟି ପାଖରେ ଥିଲା । ପୂର୍ବରୁ ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ।

ଅଧିକ ପଢ଼ନ୍ତୁ :-  Controversy Queen: ରାଣୀ ପଣ୍ଡାଙ୍କ ନାମରେ ଏତଲା, କଳାକାରଙ୍କୁ ପାପ୍ୟ ଦେଉନଥିବା ଅଭିଯୋଗ

ତେବେ ଏଏସ୍ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ମଧ୍ୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ସଂସ୍ଥାର ସଂପୃକ୍ତି ସ୍ପଷ୍ଟ ହେବା ପରେ ଲାଲ୍‌ବାଗ ଥାନା ପୁଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଚାଲିଛି । ସେହିକ୍ରମରେ ସତ୍ୟବ୍ରତ ଧରାପଡ଼ିଛି । ସତ୍ୟବ୍ରତ ସିଧାସଳଖ ଶଙ୍କର ପୃଷ୍ଟି ଓ ସୁରେଶ ନାୟକର ଲିଙ୍କ ଥିଲା । ସତ୍ୟବ୍ରତ ଆର୍ଥିକ ସ୍ଥିତି ଭଲ ରହିଛି ଆଶାୟୀଙ୍କୁ ଟାର୍ଗେଟ୍ କରୁଥିଲା । ପ୍ରଶ୍ନ ତଥା ମଡେଲ୍ ଉତ୍ତର ପାଇଁ ଜଣକା ୨୦ ଲକ୍ଷ ଟଙ୍କା ଦେବାକୁ ଡିଲ୍ କରୁଥିଲା । କେବଳ ସତ୍ୟବ୍ରତ ୧୨ରୁ ୧୪ ଜଣ ପିଲାଙ୍କୁ ଠିକ୍ କରାଇ ମାଷ୍ଟରମାଇଣ୍ଡ୍‌ଙ୍କ  ସହିତ ଭେଟ କରାଇଥିଲା । ଟଙ୍କା କଥା ଛିଡ଼ିବା ପରେ ଆଶାୟୀଙ୍କୁ ମଡେଲ୍ ଉତ୍ତର ମିଳିଥିଲା । ସତ୍ୟବ୍ରତର ଏହି କାମରେ କୌଣସି କୋଚିଂ ସେଣ୍ଟର ମାଲିକ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ପୁଲିସ ତନାଘନା କରୁଛି । ଏହା ପୂର୍ବରୁ ଗିରଫ ହୋଇଥିବା କୋରାପୁଟ୍‌ର ସପନ କୁପାର ପଣ୍ଡା ମଧ୍ୟ ସମାନ ଢଙ୍ଗରେ ଆଶାୟୀଙ୍କୁ ଏକାଠି କରି ଟଙ୍କା ଆଦାୟ କରିଥିଲା । ଏଭଳି ଆଉ କିଛି ଦଲାଲ୍‌ଙ୍କୁ ଏବେ ପୁଲିସ ଖୋଜୁଥିବା ସୂଚନା ମିଳିଛି ।

ସୂଚନା ଥାଉ କି, ଏହି ମାମଲାରେ ଗତ ଜାନୁଆରୀ ୩୧ରେ ଲାଲବାଗ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା ।