କଟକ,୦୧/୦୧: ପାରାଦୀପ ବନ୍ଦରରେ ଗିରଫ ଜାହାଜ ଏମ୍‌ଭି ଦ’ ପାର୍ଟନକୁ ଛାଡ଼ିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମ୍‌ଭି ଦ’ ପାର୍ଟନ ଜାହାଜ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଦାବି ମୁତାବକ ୧ କୋଟି ୮୦ ଲକ୍ଷ ଟଙ୍କା ଦେବାକୁ ଆଜି ଅଦାଲତରେ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ଆଧାରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍. ଏସ୍. ରମଣ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଳଧି ଓଭରସିଜ୍ ପିଟିଇ ଲିମିଟେଡ୍ ପକ୍ଷରୁ ପ୍ରଥମେ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏଥିରେ ଦର୍ଶାଯାଇଥିଲା ଯେ, ଜାହାଜ ଏମ୍ଭି ଦ’ ପାର୍ଟନ ଉପରେ ୧କୋଟି ୮୦ଲକ୍ଷ ଟଙ୍କା ବାକି ପଡ଼ିଛି । ଏହି ଜାହାଜ ପାରାଦୀପ ବନ୍ଦରରେ ପହଞ୍ଚିଛି । ତେଣୁ ଏହି ଜାହାଜକୁ ଗିରଫ ପାଇଁ ଅଦାଲତ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ତୁରନ୍ତ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜାହାଜକୁ ଗିରଫ କରାଯାଇ ପାରାଦୀପ ବନ୍ଦରରେ ଅଟକ ରଖାଯାଇଥିଲା । ଆଜି ଜାହାଜ କର୍ତ୍ତୃପକ୍ଷଙ୍କ ତରଫରୁ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ୍ ରୁଜୁ କରାଯାଇଥିଲା । ଜଳଧି ଓଭରସିଜ୍ ପିଟିଇ ଲିମିଟେଡ୍ ପକ୍ଷରୁ ଦାବି ଅର୍ଥ ଦେବା ପାଇଁ ଜାହାଜ କର୍ତ୍ତୃପକ୍ଷ ରାଜି ବୋଲି ଅବଗତ କରାଯାଇଥିଲା । ଏହାପରେ ହାଇକୋର୍ଟ ଜାହାଜକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାହାଜ ଏମ୍ଭି ଦ’ ପାର୍ଟନ ପକ୍ଷରୁ ଆଇନଜୀବୀ ଈଶ୍ୱର ମହାନ୍ତି ମାମଲା ପରିଚାଳନା କରୁଥିଲେ ।