ଭୁବନେଶ୍ବର, ୨୭/୦୧: PUCC ନଥିଲେ ବି ମିଳିବ ତେଲ । ପେଟ୍ରୋଲ ଓ ଡିଜେଲ ନମିଳିବା ନିଷ୍ପତ୍ତି ପ୍ରତ୍ୟାହୃତ କଲା ପରିବହନ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜ ନିଷ୍ପତ୍ତିରୁ ଓହରିଛି ବିଭାଗ । PUC ସାର୍ଟିଫିକେଟ୍ ନଥିଲେ ବି ସମସ୍ତ ପେଟ୍ରୋଲ୍ ପମ୍ପରୁ ଗାଡ଼ି ମାଲିକ ମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ମିଳିପାରିବ । ଏହାଛଡ଼ା ଗାଡ଼ିରେ ଲାଗିଥିବା ଚାଲାଣ କିମ୍ବା ଜରିମାନା ପାଇଁ ଦେବାକୁ ସରକାର ବାଧ୍ୟ କରିପାରିବେ ନାହିଁ । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇବେ ରାଜ୍ୟ ସରକାର । ସେହିପରି ବାହାନ ପୋର୍ଟାଲକୁ ମଧ୍ୟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ହାଇକୋର୍ଟ । ପୋର୍ଟାଲ ସଂଶୋଧନ ନେଇ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ଅଦାଲତ କହିଛନ୍ତି ।

ଆଜି ଗାଡ଼ି PUCC ସମ୍ପର୍କିତ ମାମଲା ଶୁଣାଇ ହାଇକୋର୍ଟ ହୋଇଛି । ଶୁଣାଣି ବେଳେ ତେଲ ନମିଳିବା ନିଷ୍ପତ୍ତିକୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ପ୍ରତ୍ୟାହୃତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏଣିକି ପିୟୁସିସି ନଥିଲେ ବି ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ମିଳିବ । ତେବେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦୨୫ ଡିସେମ୍ବର ୨୦ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, ଗାଡ଼ିରେ ପ୍ରଦୂଷଣ କାଗଜପତ୍ର ନଥିଲେ ସେମାନଙ୍କୁ ପେଟ୍ରୋଲ୍ କିମ୍ବା ଡିଜେଲ ମିଳିବ ନାହିଁ । ଏନେଇ ରାଜ୍ୟ ପରିବହନ ବିଭାଗ ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ଚିଠି ମଧ୍ୟ କରିଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏଥିରେ ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯କୁ ଉଲ୍ଲଙ୍ଘନ କରାଯାଇଛି ବୋଲି ଚ୍ୟାଲେଞ୍ଜ ଆବେଦନରେ ଉଲ୍ଲେଖ କରାଯାଇଥିଲା । ଗାଡିର PUCC କାଗଜପତ୍ର ନ ଥିଲେ ଗାଡ଼ିମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନ କରିବା ନିୟମ ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି ବୋଲି କୋର୍ଟଙ୍କୁ କହିଥିଲେ ଆବଦେନକାରୀଙ୍କ ଓକିଲ। ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା ତାହା ବେଆଇନ । ଯାହାର ଶୁଣାଣି କରି ହାଇକୋର୍ଟ ପିୟୁସିସି ନଥିଲେ ତେଲ ନମିଳିବା ନିଷ୍ପତ୍ତି ପ୍ରତ୍ୟାହୃତ କରିବା ପାଇଁ ନିର୍ଦ୍ଦେଶ ହେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଗୋଟିଏ ସପ୍ତାହ ପରେ ହେବ ବୋଲି କହିଛନ୍ତି ।