ଭୁବନେଶ୍ୱର, ୧୧/୦୩ : ଦୟାନଦୀ ଗର୍ଭରେ ଏମୁଣ୍ଡ ସେମୁଣ୍ଡ ବାଲି ବସ୍ତା ପକାଇ ବନ୍ଧ କରାଯାଇଛି । ଉପର ମୁଣ୍ଡରୁ ଆସୁଥିବା ପାଣି ସେ ବନ୍ଧରେ ମାଡ଼ ହୋଇ ଅଟକି ଯାଉଛି । ଫଳରେ ତଳମୁଣ୍ଡରେ ଅଭାବନୀୟ ପରିସ୍ଥିତି ଉପୁଜିଛି । ନଦୀ ଗର୍ଭ ମରୁଭୂମି ପାଲଟିଛି । ମଣିଷ, ଗାଈଗୋରୁ, ପଶୁପକ୍ଷୀ ପାଣି ଟୋପାଏ ନ ପାଇ ଡହଳ ବିକଳ ହେଉଛନ୍ତି । ଅଧ୍ୟୁଷିତ ଲୋକେ ନଦୀ ଗର୍ଭରେ ଗାତ ଖୋଳି ସ୍ନାନ, ଶୌଚ ହେଉଛନ୍ତି । ରାଜଧାନୀକୁ ପାଣି ଯୋଗାଇବା ପାଇଁ ଲିଙ୍ଗିପୁରରେ ଏକାଧିକ ବଡ଼ ବଡ଼ ପାଣି ପମ୍ପ ବସିଛି । ଏକଦା ପାଣି ଉତ୍ତୋଳନ ହେଉଥିବା ସ୍ଥାନରେ ଗଭୀର ଗଣ୍ଡ ଥିଲା । କିନ୍ତୁ କାଳକ୍ରମେ ଗଣ୍ଡଟି ବାଲି, ମାଟିରେ ପୋତି ହୋଇଗଲାଣି । ଗଣ୍ଡର ରକ୍ଷଣାବେକ୍ଷଣ କରାଯାଉନାହିଁ । ଫଳରେ ପମ୍ପ ପାଣି ଶୋଷିବାର କ୍ଷମତା ମୁତାବକ ପାଣି ଅଣ୍ଟୁନାହିଁ । ଏହାର ପ୍ରତିକାର ପାଇଁ ଜଳସମ୍ପଦ ବିଭାଗ ବିଚିତ୍ର ବ୍ୟବସ୍ଥା କରିଛି ।
ଚାଷବନ୍ଦୀ, ଗାଁ ଗଣ୍ଡା ପ୍ରଭାବିତ
ପମ୍ପ ହାଉସ ନିକଟ ନଦୀ ଗର୍ଭରେ ବାଲି ବସ୍ତା ପକାଇ ଏମୁଣ୍ଡ ସେମୁଣ୍ଡ ବନ୍ଧ ପକାଇ ଦେଇଛି । ଏହାଦ୍ୱାରା ପମ୍ପ ହାଉସର କ୍ଷମତା ପୂରଣ ହେଉଛି ସତ, କିନ୍ତୁ ତଳମୁଣ୍ଡକୁ ଜଳ ପ୍ରବାହ ବନ୍ଦ ହୋଇଯିବା ଫଳରେ ଲିଙ୍ଗିପୁର ତଳମୁଣ୍ଡ ଠାରୁ କଣାସ ପର୍ଯ୍ୟନ୍ତ ଦୟାନଦୀର ରୂପ ବଦଳିଯାଇଛି । ତଳମୁଣ୍ଡ ଆଉ ନଦୀ ନୁହେଁ ବରଂ ମରୁଭୂମି ଭଳି ଦେଖାଯାଉଛି । ଠାଏ ଠାଏ ମୃଗତୃଷ୍ଣା ଭଳି ଚବକାଏ ଚବକାଏ ପାଣି ଦେଖାଯାଉଛି । ସେ ପୁଣି ଘୋର ପ୍ରଦୂଷିତ । ଉଭୟ ପାର୍ଶ୍ୱରେ ଥିବା ଜନବସତିର ଲୋକେ ସ୍ନାନ, ଶୌଚ, ଲୁଗାପଟା ସଫା ଆଦି କରି ପାରୁନାହାନ୍ତି । ନଦୀର ମଧ୍ୟଭାଗରେ ବାଲି ଖୋଳି ବଡ଼ ବଡ଼ ଗାଡ଼ କରୁଛନ୍ତି । ସେଥିରେ ଜମି ରହୁଥିବା ପାଣିରେ କାମ ଚଳାଉଛନ୍ତି । ଚାଷୀମାନେ ପଠାରେ ଲଗାଇଥିବା ପନିପରିବା, ଆଖୁ ଆଦିରେ ଜଳ ଯୋଗାଣ କରି ପାରୁନାହାନ୍ତି । ଅନେକ କ୍ଷେତରେ ଗଛ ସବୁ ଶୁଖି ମରିଯିବାକୁ ବସିଲାଣି । ନଦୀକୂଳକୁ ଚରିବାକୁ ଯାଉଥିବା ଗାଈଗୋରୁ, ଛେଳିମେଣ୍ଢା ପାଣି ଟୋପାଏ ନପାଇ ଆତୁର ହେଉଛନ୍ତି । ବନ୍ୟଜୀବ, ପକ୍ଷୀ ମଧ୍ୟ ପାଣି ବିନା ବିକଳ ।
ଚିଲିକାରେ ମାଡ଼ୁଛି କଞ୍ଚା ନର୍ଦ୍ଦମା ପାଣି
ଏହାବାଦ୍ ପରିବେଶ ଜନିତ ଭୟଙ୍କର ପରିସ୍ଥିତି ଉପୁଜିଛି ତଳମୁଣ୍ଡ ପିପିଲି କଣ୍ଟି ଠାରୁ ଚିଲିକା ମୁହାଣ ପର୍ଯ୍ୟନ୍ତ । କଣ୍ଟି ଠାରେ ଦୟା ନଦୀ ଗର୍ଭରେ ମିଶିଛି ଗଙ୍ଗୁଆ ନଦୀ । ଗଙ୍ଗୁଆ ନଦୀରେ ପ୍ରବାହିତ କଳା କିଟିକିଟି ନର୍ଦ୍ଦମା ଜଳ ଦୟା ନଦୀଗର୍ଭରେ ପଡ଼ୁଛି। ପୂର୍ବରୁ ଦୟା ନଦୀର ସ୍ୱଚ୍ଛ ଜଳ ସହିତ ଗଙ୍ଗୁଆ ନଦୀର ନର୍ଦ୍ଦମା ମିଶି ଏହାର ବିଷ ପରିମାଣକୁ ଅନେକ ପରିମାଣରେ ନିୟନ୍ତ୍ରିତ କରୁଥିଲା । କିନ୍ତୁ ଏବେ ପାଣି ଆସୁନି । କେବଳ ଗଙ୍ଗୁଆର କଞ୍ଚା ବିଷାକ୍ତ ଜଳ ଦୟା ନଦୀରେ ପ୍ରବାହିତ ହୋଇ ଚିଲିକା ହ୍ରଦରେ ମିଶୁଛି । ଏହି ଘୋର ପ୍ରଦୂଷଣ କେବଳ ଚିଲିକା ନୁହେଁ, ବରଂ ନଦୀ ଉଭୟ ପାର୍ଶ୍ଵରେ ଥିବା ଜନବସତିକୁ ବିପଦଗ୍ରସ୍ତ କରିଛି । ଲିଙ୍ଗିପୁର ପମ୍ପ ହାଉସ ନିକଟରେ ପଡ଼ିଥିବା ବନ୍ଧ ସମ୍ପର୍କରେ ୱାଟ୍କୋ ଯନ୍ତ୍ରୀ କହିଛନ୍ତି, ବନ୍ଧ ଆମେ ପକାଇନାହୁଁ । ବନ୍ଧ ନଥିବା ପୂର୍ବରୁ ଆମ ପମ୍ପ ହାଉସରେ ଚାଲୁଥିବା ୫ଟି ବିଜୁଳି ଚାଳିତ ପମ୍ପ ପାଇଁ ଯଥେଷ୍ଟ ପାଣି ଆସୁଥିଲା । ତେଣୁ ବନ୍ଧ ବାନ୍ଧିବା ଆବଶ୍ୟକ ନଥିଲା । ବନ୍ଧ କିଏ ଓ କାହିଁକି ପକାଇଛନ୍ତି ଆମେ ଜାଣିନାହୁଁ ।
କାହିଁକି ବନ୍ଧ ପଡ଼ିଛି ଆମେ ଜାଣିନୁ
ସେହିଭଳି ଦୟା ନଦୀ ଦାୟିତ୍ୱ ମୁଣ୍ଡାଇଥିବା ଜଳସମ୍ପଦ ବିଭାଗ ଅଧୀନ ପ୍ରାଚୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମାର୍ଚ୍ଚ ମାସ ଚାଲିଛି । ମୁଣ୍ଡ ଉପରେ ବହୁତ କାମ । କାହିଁକି ବନ୍ଧ ପଡ଼ିଛି ସେ ବିଷୟରେ ଫାଇଲ ଦେଖି ପରେ କହିବି । ଦୟାନଦୀର ଏଭଳି ହାଲତ ସମ୍ପର୍କରେ ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ସଭାପତି ବୃନ୍ଦାବନ ସାହୁ । ସେ କହିଛନ୍ତି ଦୟା ନଦୀରେ ବନ୍ଧ ବାନ୍ଧି ପାଣି ଅଟକାଇବା ଇତିହାସରେ ପ୍ରଥମ । ପାଣି ଅଟକାଇଦେବା ଫଳରେ ତଳମୁଣ୍ଡ ଗାଁ ଗଣ୍ଡା ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ନଦୀରେ ତ ପାଣି ନାହିଁ । ଲୋକେ ବ୍ୟବହାର କରୁଥିବା କୂଅ, ପୋଖରୀର ଜଳସ୍ତର ମଧ୍ୟ ଅହେତୁକ ଭାବେ ନିମ୍ନଗାମୀ ହୋଇଛି । ତୁରନ୍ତ ବନ୍ଧ ହଟାଇ ଜଳପ୍ରବାହ ସ୍ୱାଭାବିକ କରିବାକୁ ସେ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଖୁବଶୀଘ୍ର ସରସତିଆକୁ ଜିଆଇ ଟ୍ୟାଗ୍, ପ୍ରାଶାସନିକ ଉଦ୍ୟମ ଆରମ୍ଭ