ନୂଆଦିଲ୍ଲୀ,୦୧/୦୧: ଭାରତର ପୂର୍ବତନ କ୍ରିକେଟର ରବିନ୍ ଉଥପ୍ପାଙ୍କୁ ବଡ ଆଶ୍ବସ୍ତି ମିଳିଛି । ଇପିଏଫ ଠକେଇ ମାମଲାରେ ରବିନ୍ ଉଥପ୍ପାଙ୍କ ଗିରଫ ପରୱାନା ଉପରେ ରୋକ୍ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ପିଏଫ ରିଜନାଲ କମିଶନର ଏସ ଗୋପାଳ ରେଡ୍ଡୀ ଡିସେମ୍ବର ୨୧ରେ ଉଥପ୍ପାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ପୁଲକେଶିନଗର ପୋଲିସକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ୨୩ ଲକ୍ଷ ପିଏଫ ସ୍କାମରେ ରବିନ୍ ଉଥପ୍ପାଙ୍କ ନାମରେ ଗିରଫ ପରୱାନ ଜାରି ହୋଇଥିଲା ।
ରବିନ୍ ଉଥପ୍ପା ସେଞ୍ଚୁରିସ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ନାମକ ଗୋଟିଏ କମ୍ପାନୀ ଚଳାଉଛନ୍ତି । ଏଠାରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ ସେ ପିଏଫ ବାବଦରେ ଟଙ୍କା କାଟୁଛନ୍ତି । କିନ୍ତୁ ଏହାକୁ ସେ ଜମା କରୁନାହାନ୍ତି । ଏହିପରି ସେ ୨୩ ଲକ୍ଷ ଟଙ୍କାର ପିଏଫ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଡିସେମ୍ବର ୪ ତାରିଖରେ କମିଶନର ଗୋପାଳ ରେଡ୍ଡୀ ଆରେଷ୍ଟ ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୋଲିସ କହିଥିଲେ । କିନ୍ତୁ ଉଥପ୍ପା ତାଙ୍କ ପୁରୁଣା ଠିକଣାରେ ରହୁ ନଥିବାରୁ ଉକ୍ତ ୱାରେଣ୍ଟ ପିଏଫ ଅଫିସକୁ ଫେରି ଆସିଥିଲା । ଏହାପରେ ଡିସେମ୍ବର ୨୧ରେ ଗିରଫ ପରୱାନ ଜାରି କରିଥିଲେ ।
ଉଥପ୍ପାଙ୍କ ନାମରେ ଇପିଏଫ ବା ଭବିଷ୍ୟନିଧି ପାଣ୍ଠି ହଡପ ଅଭିଯୋଗକୁ ଖଣ୍ଡନ କରିଥିଲେ । ଗିରଫ ୱାରେଣ୍ଟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରବର୍ତ୍ତୀ ଶୁଣାଣି ଯାଏ ହାଇକୋର୍ଟ ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି । ଭାରତୀୟ କ୍ରିକେଟ ଟିମରେ ରବିନ ଉଥପ୍ପା ଜଣେ ଲୋକପ୍ରିୟ ଚେହେରା । ସେ ଭାରତ ପାଇଁ ୪୬ଟି ଦିନିକିଆ ଓ ୧୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୦୭ ଟି-୨୦ ବିଶ୍ବକପ ବିଜୟୀ ଦଳରେ ସାମିଲ ଥିଲେ ଉଥପ୍ପା ।