ଭୁବନେଶ୍ୱର,୦୨/୦୬:  ପୁଣି ବଢ଼ିଲା ଯୁକ୍ତ ତିନି ନାମ ନାମଲେଖା ଆବେଦନ ଅବଧି। ଜୁନ୍‌୪ ତାରିଖ ଯାଏ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ବୁଧବାର ରାତି ୧୧ଟା ୪୫ ମିନିଟ୍ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ଅଭିଭାବକ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନାମଲେଖା ଫର୍ମ ପୂରଣ ଅବଧି ସମୟକୁ ବଢ଼ାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।




ସୂଚନାଯୋଗ୍ୟ, ଯୁକ୍ତ ତିନି ନାମଲେଖା ପାଇଁ ଗତ ଏପ୍ରିଲ୍‌  ୧୬ ତାରିଖରୁ ଅନ୍‌ଲାଇନ  ଆବେଦନପତ୍ର ଆହ୍ୱାନ  ହୋଇଥିଲା । ଏହାର ଶେଷ ତାରିଖ ମେ ୨୦ ତାରିଖ ରହିଥିଲା । ଉଚ୍ଚମାଧ୍ୟମିକ  ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଆବେଦନ କରିନଥିବା ନେଇ ଆଶଙ୍କା କରାଗଲା ।  ଏହାପରେ ଆବେଦନ ତାରିଖ ପୁଣି ଜୁନ୍‌ ୧ ତାରିଖ ଯାଏ ଉଚ୍ଚ ଶିକ୍ଷା ବିଭାଗ  ବଢ଼ାଇଥିଲା । ରବିବାର ରାତି ୧୧ଟା ୪୫  ସୁଦ୍ଧା ମୋଟ ୨ ଲକ୍ଷ ୫୮ ହଜାର ୯୧୧ ଜଣ ଆବେଦନ କରିଥିଲେ । ଏଥିରୁ ୨  ଲକ୍ଷ ୫୦ ହଜାର ୯୮୯ ଜଣ ଆବେଦନ ଫି ଦାଖଲ କରିଥିଲେ । ଅର୍ଥାତ୍‌ ୧୭  ହଜାର ୫୦୦ ସିଟ୍‌ର ଆବେଦନ ହୋଇନି । ଏହାକୁ ଦୃଷ୍ଟିରେ ରଖି ଜୁନ୍ ୪ ତାରିଖ ଯାଏ ପୁଣି ନାମଲେଖା ଆବେଦନ ଅବଧିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି।