ନୂଆଦିଲ୍ଲୀ,୧୦/୦୭:ହିମାଚଳ ପ୍ରଦେଶରେ ଜାରି ରହିଛି ଭୀଷଣ ବର୍ଷା । ଫଳରେ ସ୍ଥାନୀୟ ବାସିନ୍ଦା ଭୂସ୍ଖଳନ, ବନ୍ୟା ଓ ବାଦଲ ଫାଟିବା ଭଳି ବିପଦର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥିତିରେ ମଣ୍ଡି ଜିଲ୍ଲାରେ ଏକ କୁକୁର ଠିକ୍ ସମୟରେ ଭୁକିବା ଯୋଗୁ ୨୦ ପରିବାରର ୬୭ ଜଣଙ୍କ ଜୀବନ ବଞ୍ଚିଯାଇଛି । ଗତ ଜୁନ୍ ୩୦ ତାରିଖ, ରାତି ପ୍ରାୟ ୧ଟାରେ ମଣ୍ଡିର ଧରମପୁର ସ୍ଥିତ ସିୟାଥି ଗାଁ ଧ୍ୱଂସସ୍ତୁପରେ ରୂପାନ୍ତରିତ ହୋଇଗଲା ।
ସିୟାଥି ବାସିନ୍ଦା ନରେନ୍ଦ୍ର କହିଛନ୍ତି, ମୋ ଘରର ୨ୟ ମହଲାରେ ପୋଷା କୁକୁର ରକି ଶୋଇଥିଲା । ହଠାତ୍ ସେ ଜୋର୍ ଜୋର୍ ଭୁକିବାକୁ ଲାଗିଲା । ଧୀରେ ଧୀରେ ତା’ ଭୁକିବା ଆହୁରି ବଢ଼ିଲା । ରାତିରେ ଭୀଷଣ ବର୍ଷା ହେଉଥିଲା । ରକିର ଭୁକିବା ଶବ୍ଦରେ ମୁଁ ଉଠିପଡ଼ିଲି । ତା’ପାଖକୁ ଯାଇ ଦେଖିଲି, କାନ୍ଥରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି ଏବଂ ତା’ ମଧ୍ୟଦେଇ ପାଣି ପଶିବା ଆରମ୍ଭ କରୁଛି । ମୁଁ ରକି ସହ ତୁରନ୍ତ ତଳକୁ ଗଲି ଏବଂ ସମସ୍ତଙ୍କୁ ନିଦରୁ ଉଠାଇଲି । ଏହା ପରେ ନରେନ୍ଦ୍ର ଗାଁର ଅନ୍ୟମାନଙ୍କୁ ମଧ୍ୟ ଉଠାଇଲେ ଏବଂ ସମସ୍ତଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଲେ । ବର୍ଷା ଏତେ ଜୋର୍ରେ ହେଉଥିଲା ଯେ ଲୋକେ ସବୁକିଛି ଛାଡ଼ି ଆଶ୍ରୟସ୍ଥଳୀ ଆଡ଼କୁ ଧାଇଁଲେ ।
ଠିକ୍ ତା’ପରେ ଗାଁରେ ଭୂସ୍ଖଳନ ହେଲା ଏବଂ ଡଜନ୍ରୁ ଅଧିକ ଘର ମାଟିରେ ମିଶିଗଲା । ଏବେ ଗାଁରେ କେବଳ ୪-୫ଟି ଘର ଦେଖାଯାଉଛି । ବାକିସବୁ ଭୂସ୍ଖଳନ ଧ୍ୱଂସାବଶେଷ ତଳେ ଦବିଯାଇଛି । ଗତ ସପ୍ତାହେ ତଳେ ତ୍ରିୟମ୍ବାଲା ଗାଁରେ ନିର୍ମିତ ନୈନା ଦେବୀ ମନ୍ଦିରରେ ଭୂସ୍ଖଳନ ପୀଡ଼ିତ ଲୋକେ ଏବେ ଆଶ୍ରୟ ଦେଉଛନ୍ତି । ଏହି ବିପର୍ଯ୍ୟୟ ଯୋଗୁ ଗାଁର ଅନେକ ଲୋକ ରକ୍ତଚାପ ଓ ଅବସାଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ଅନ୍ୟ ଗାଁର ଲୋକେ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ସରକାର ମଧ୍ୟ ସାହାଯ୍ୟ ଯୋଗାଇ ଦେଉଛନ୍ତି । ଗତ ଜୁନ୍ ୨୦ରେ ମୌସୁମୀ ଆସିବା ପରଠୁ ହିମାଚଳପ୍ରଦେଶରେ ଅତିକମ୍ରେ ୭୮ ଜଣ ପ୍ରାଣ ହରାଇଛନ୍ତି । ତନ୍ମଧ୍ୟରୁ ବର୍ଷାଜନିତ ଯଥାଭୂସ୍ଖଳନ, ବନ୍ୟା, ବାଦଲ ଫାଟିବା ଭଳି ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଭୀଷଣ ବର୍ଷା ଯୋଗୁ ରାଜ୍ୟରେ ଅଦ୍ୟାବଧି ୨୩ ଫ୍ଲାଶ୍ଫ୍ଲଡ୍, ୧୯ ବାଦଲ ଫାଟିବା ଘଟଣା ଏବଂ ୧୬ ଭୂସ୍ଖଳନ ଘଟଣା ରେକର୍ଡ ହୋଇଛି।