ନୂଆଦିଲ୍ଲୀ ୦୪/୧୧: ହିମାଳୟ କ୍ଷେତ୍ରରେ ଏବେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ବ୍ୟାପକ ଭାବେ  ଦେଖିବାକୁ ମିଳୁଛି । ନିକଟରେ ପ୍ରକାଶିତ  ଏକ ସରକାରୀ ରିପୋର୍ଟ ଅନୁସାରେ, ଏହି  ଅଞ୍ଚଳରେ ୨୦୧୧ରୁ ୨୦୨୪ ଯାଏ ଅର୍ଥାତ୍‌ ୧୩  ବର୍ଷ ମଧ୍ୟରେ ହିମହ୍ରଦ ଓ ଅନ୍ୟାନ୍ୟ ଜଳ ଉତ୍ସଗୁଡିକର କ୍ଷେତ୍ରଫଳରେ ବୃଦ୍ଧି ଦେଖିବାକୁ  ମିଳିଛି । ୨୦୧୧ରେ ସେଠାରେ ହିମହ୍ରଦ ଓ ଅନ୍ୟ  ଜଳଉତ୍ସଗୁଡିକର କ୍ଷେତ୍ରଫଳ ୫,୩୩,୪୦୧  ହେକ୍ଟର ଥିବାବେଳେ ଚଳିତବର୍ଷ ତାହା  ୫,୯୧,୧୦୮ ହେକ୍ଟର ଯାଏ ପହଞ୍ଚିଯାଇଛି । ଅର୍ଥାତ୍‌ ହିମହ୍ରଦର କ୍ଷେତ୍ରଫଳ ପ୍ରାୟ  ୧୦.୮୧ ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ  କରାଯାଇଛି । ହିମାଳୟ ଭଳି ଜବରଦସ୍ତ ଥଣ୍ଡା ଅଞ୍ଚଳରେ ମଧ୍ୟ ବରଫ ତୀବ୍ର ଗତିରେ  ତରଳିବା ଆରମ୍ଭ ହୋଇଛି ବୋଲି ଏଥିରୁ  ସଙ୍କେତ ମିଳୁଛି । ଚିନ୍ତାର କଥା ହେଲା ଏହି  ପରିବର୍ତ୍ତନ ଯୋଗୁ ହ୍ରଦଗୁଡି଼କରେ ଅତ୍ୟଧିକ  ପାଣି ଆସିବାରୁ ତଳିଆ ଅଞ୍ଚଳକୁ ବନ୍ୟାର  ବିପଦ ବହୁ ପରିମାଣରେ ବୃଦ୍ଧି ହୋଇଛି ।  

କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ର ରିପୋର୍ଟ ମୁତାବକ, ଭାରତରେ  ହିମହ୍ରଦଗୁଡି଼କର କ୍ଷେତ୍ରଫଳରେ ୩୩.୭  ପ୍ରତିଶତ ବୃଦ୍ଧି ହୋଇଛି ଯାହାକି ଖୁବ୍‌ ଅଧିକ ।  ୨୦୧୧ରେ ଭାରତରେ ହିମହ୍ରଦଗୁଡ଼ିକର  କ୍ଷେତ୍ରଫଳ ୧୯୬୨ ହେକ୍ଟର ଥିଲା ।  ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ତାହା  ୨,୬୨୩ ହେକ୍ଟରକୁ ବୃଦ୍ଧି ପାଇଛି । ଅର୍ଥାତ୍‌  ହିମହ୍ରଦଗୁଡି଼କର ଆକାର ୩୩.୭ ପ୍ରତିଶତ  ବଢ଼ିଛି । ଏହି ରିପୋର୍ଟରେ ଦେଶର ୬୭ଟି  ଏଭଳି ହ୍ରଦକୁ ବି ଚିହ୍ନଟ କରାଯାଇଛି  ଯାହାର ଆକାର ୪୦ ପ୍ରତିଶତ ଯାଏ ବଢ଼ିଛି ।  ସେଗୁଡି଼କୁ ବନ୍ୟା ବିପଦ ଦୃଷ୍ଟିରୁ ଅତ୍ୟଧିକ ରିସ୍କଥିବା ବର୍ଗରେ ରଖାଯାଇଛି । ଯେଉଁ  ରାଜ୍ୟଗୁଡି଼କରେ ହିମହ୍ରଦର କ୍ଷେତ୍ରଫଳ ସବୁଠୁ  ଅଧିକ ବୃଦ୍ଧି ଘଟିଛି ସେଥିମଧ୍ୟରେ ଲଦାଖ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ  ଅରୁଣାଚଳ ପ୍ରଦେଶ ସାମିଲ ।  

ଜଳବାୟୁ ପରିବର୍ତ୍ତନ ଯୋଗୁ ସଂପୃକ୍ତ  ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ଘଟୁଛି ।  ସେହି କାରଣରୁ ଗ୍ଲେସିୟର ତରଳିବାରୁ ଏହି  ସବୁ ହ୍ରଦର ଆକାର ତୀବ୍ର ଗତିରେ ବଢ଼ୁଥିବା  କୁହାଯାଉଛି । ଏହାଯୋଗୁ ତଳିଆ ଅଞ୍ଚଳରେ  ରହୁଥିବା ଲୋକ, ଭିତ୍ତିଭୂମି ଓ ଜୈବବିବିଧତା  ପ୍ରତି ବିପଦ ସୃଷ୍ଟି ହୋଇଛି । ଏଭଳିସ୍ଥିତିରେ  ସରକାର ଏହି ଅଞ୍ଚଳରେ ଛୋଟ ହ୍ରଦଗୁଡ଼ିକର  ଆକାର ଉପରେ ନଜର ରଖିବା ବି ଜରୁରି  ହୋଇପଡ଼ିଛି । ସେହିପରି ଏହି ସମସ୍ୟାର  ସମାଧାନ ଲାଗି ତୁରନ୍ତ ସ୍ୱତନ୍ତ୍ର ରଣନୀତି  କରିବାର ଆବଶ୍ୟକତା ସଂପର୍କରେ ରିପୋର୍ଟରେ  କୁହାଯାଇଛି । ଦୁର୍ଗମ ଅଞ୍ଚଳରେ ଥିବା ଏହି  ହ୍ରଦଗୁଡି଼କୁ ଟ୍ରାକିଂ କରାଯିବା ସଂପର୍କରେ ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ସିଡବ୍ଲ୍ୟୁସି ଏଥିଲାଗି  ଆଡ୍‌ଭାନ୍‌ସ ସାଟେଲାଇଟ୍‌ ଟେକ୍ନୋଲୋଜି  ସେଣ୍ଟିନେଲ୍‌-୧ ସିନ୍ଥେଟିକ ଆପେରଚର  ରାଡାର(ଏସଏଆର୍‌), ସେଣ୍ଟିନେଲ-୨  ମଲ୍ଟିଟିସ୍ପେକ୍ଟ୍ରାଲ ଇମେଜରି ମୁତୟନ କରିଛି ।  

ରିପୋର୍ଟରେ ଭୁଟାନ୍‌, ନେପାଳ ଓ ଚୀନ୍‌  ଭଳି ପଡ଼ୋଶୀ ଦେଶରେ ହିମହ୍ରଦର ବିସ୍ତାର  ଯୋଗୁ ଉତ୍ପନ୍ନ ସୀମାପାର ରିସ୍କ ସଂପର୍କରେ ମଧ୍ୟ  ଆଲୋକପାତ କରାଯାଇଛି । ଏଭଳିସ୍ଥିତିରେ  ବନ୍ୟା ବିପଦର ମୁକାବିଲା ଲାଗି ମିଳିତ ଭାବେ  ଟ୍ରାକିଂ, ଡାଟା ଶେୟାରିଂ, ବିପର୍ଯ୍ୟୟ ପରିଚାଳନା  ରଣନୀତି ଉପରେ କାମ କରିବାକୁ ଆହ୍ୱାନ  ଦେଇଛି ସିଡବ୍ଲ୍ୟୁସି । ବନ୍ୟା ବିପଦ ବ୍ୟତୀତ  ହିମ ହ୍ରଦର ଆକାର ବଢ଼ିବା ଯୋଗୁ ପ୍ରମୁଖ  ନଦୀ ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳ ଉପରେ  ପ୍ରଭାବ ପଡ଼ିପାରେ । ଲକ୍ଷ ଲକ୍ଷ ଲୋକ ନିଜର  ଜୀବନଧାରଣ ଲାଗି ଏହି ସବୁ ନଦୀ ଉପରେ  ନିର୍ଭର କରୁଥିବାରୁ ସେମାନେ ପ୍ରଭାବିତ  ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।  ହିମ ହ୍ରଦ ସମୟ ସମୟରେ ନିଜର ପ୍ରାକୃତିକ  ବନ୍ଧକୁ ଭାଙ୍ଗି ଦେଇଥାଏ । ସେଥିଯୋଗୁ ଅଚାନକ  ପ୍ରବଳ ମାତ୍ରାରେ ପାଣି ତଳଆଡକୁ ପ୍ରବାହିତ  ହୋଇଥାଏ । ଫଳରେ ତଳିଆ ଅଞ୍ଚଳରେ ବନ୍ୟା  ଆସି ବ୍ୟାପକ କ୍ଷୟକ୍ଷତି ଘଟାଏ ।