ମୁମ୍ବାଇ ୧୪/୧୨: ୨୦୨୪ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ଇତିମଧ୍ୟରେ ଗୁଗଲ୍‌ ଏ ବର୍ଷ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟିଙ୍କ ତାଲିକା ଜାରି କରିଛି । ଏହି ତାଲିକାରେ ମାତ୍ର ୩ ଭାରତୀୟ ଷ୍ଟାର୍‌ ଅଛନ୍ତି । ତନ୍ମଧ୍ୟରେ ଟିଭି ଅଭିନେତ୍ରୀ ହିନା ଖାନ୍‌, ତେଲୁଗୁ ଅଭିନେତା ପୱନ କଲ୍ୟାଣ ଓ ନିମ୍ରତ କୌରଙ୍କ ନାଁ ରହିଛି । ଗୁଗଲ୍‌ର ୨୦୨୪ ଗ୍ଲୋବାଲ ସର୍ଚ୍ଚ ତାଲିକାରେ ହିନା ୫ମ ସ୍ଥାନରେ ଅଛନ୍ତି । ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏ ବର୍ଷର ଟପ୍‌ ସର୍ଚ୍ଚ ଲିଷ୍ଟ୍‌ର ସ୍କ୍ରିନ୍‌ଶଟ୍‌ ଶେୟାର କରିଛନ୍ତି । 

ଏଥିସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି ‘ମୋତେ ଅନେକ ଲୋକ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ସଚ୍ଚୋଟତାର ସହ ଯଦି କହିବି, ତେବେ ମୋ ପାଇଁ ଏହା କୌଣସି ଉପଲବ୍ଧି କିମ୍ବା ଗର୍ବର କଥା ନୁହେଁ । କାହାର ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ବିବାଦ ଯୋଗୁ ଅନ୍‌ଲାଇନ୍‌ ସର୍ଚ୍ଚ କରାଯିବା କୌଣସି ଉପଲବ୍ଧି ନୁହେଁ । ମୁଁ ଚାହେଁ, ମୋର ପରିଶ୍ରମ ଓ ଉପଲବ୍ଧି ପାଇଁ ମୋତେ ପରିଚୟ ମିଳୁ । କୌଣସି ଅନ୍ୟ କାରଣ ପାଇଁ ନୁହେଁ ।’

ଚଳିତ ବର୍ଷ ଆରମ୍ଭରେ ହିନା ସ୍ତନ କର୍କଟରେ ପୀଡ଼ିତ ଥିବା କଥା ଶେୟାର କରିଥିଲେ । ସାହସ ଓ ଧୈର୍ଯ୍ୟର ସହ ସେ ଏହା ସହ ଲଢ଼େଇ କରୁଛନ୍ତି ଏବଂ ନିୟମିତ ନିଜ ଅନୁଭବକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହି ସର୍ଚ୍ଚ ଲିଷ୍ଟ୍‌ରେ ୨ୟ ସ୍ଥାନରେ ଅଛନ୍ତି ସାଉଥ୍‌ ଅଭିନେତା ପୱନ କଲ୍ୟାଣ । ୮ମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିମ୍ରତ କୌର । ‘ଦ ଲଞ୍ଚ୍‌ବକ୍ସ’, ‘ଦସ୍‌ୱି’ ଓ ‘ଏୟାରଲିଫ୍ଟ’ ଭଳି ଫିଲ୍ମରେ ସେ କାମ କରିଛନ୍ତି । ଚଳିତ ବର୍ଷ ଅଭିଷେକ ବଚ୍ଚନଙ୍କ ସହ ଆଫେୟରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।