ନୂଆଦିଲ୍ଲୀ,୦୨/୦୧; ପ୍ରଥମେ ଦୀପୁ ଚନ୍ଦ୍ର ଦାସ । ତା ପରେ ଅମୃତ ମଣ୍ଡଳ ଆଉ ବଜେନ୍ଦ୍ର ବିଶ୍ୱାସ । ଆଉ ଏବେ ଖୋକନ ଚନ୍ଦ୍ର ନାୟକ । ହିଂସାର ନିଆଁରେ ଜଳୁଥିବା ବାଂଲାଦେଶ ରକ୍ତମୁଖା ହୋଇଛି । ମାରିଯାଇଛି ମାନବିକାତା । ମନରେ ଭରି ରହିଛି ଘୃଣା ଆଉ ଘୃଣା । ହିଂସାର ନିଆଁରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି । ବଂଲାଦେଶରେ ହିନ୍ଦୁଙ୍କ ଉପରେ ଥମୁନି ନିର୍ଯାତନା । କିଛି ଦୋଷ ନଥାଇ ବି ହିନ୍ଦୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଉଛି । ଦୀପୁ, ଅମୃତ ଓ ବିଜେନ୍ଦ୍ରଙ୍କ ପରେ ଆଉ ଜଣେ ସଂଖ୍ୟାଲଘୁ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଲୋକ । ଖାଲି ସେତିକି ନୁହେଁ ତାଙ୍କ ଦେହରେ ନିଆଁ ବି ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଗତ ୧୪ ଦିନରେ ବାଂଲାଦେଶରେ ଏହା ଚତୁର୍ଥ ଘଟଣା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଖୋକନ ଚନ୍ଦ୍ର ନାୟକ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହିନ୍ଦୁଙ୍କ ଉପରେ ଆଉ କେତେ ହେବ ଅତ୍ୟାଚାର ?
ଆମର କାହା ସହ ବିବାଦ ନଥିଲା...ଜୀବନ ମୃତ୍ୟୁ ସହ ଲଢୁଥିବା ଖୋକନଙ୍କ ପତ୍ନୀ ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି । ନୂଆବର୍ଷକୁ ନେଇ ଘରେ ଘରେ ଆନନ୍ଦ- ଉତ୍ସାହ ଥିବା ବେଳେ ଖୋକନଙ୍କ ପରିବାରରେ ଦୁଃଖର ପାହାଡ଼ ଖସି ପଡିଥିଲା । ଖୋକନଙ୍କ ପତ୍ନୀ ସୀମା ଦାସ କହିଛନ୍ତି, ଆମେ ବୁଝି ପାରୁନାହୁଁ ମୋ ସ୍ୱାମୀଙ୍କୁ ଏତେ ନିର୍ମମ ଭାବରେ କିଏ କାହିଁକି ଟାର୍ଗେଟ କଲା । ଆମର କାହା ସହ ବିବାଦ ନାହିଁ । ମୁଁ ବୁଝି ପାରୁନାହିଁ ମୋ ସ୍ୱାମୀଙ୍କୁ ଅଚାନକ କାହିଁକି ଆକ୍ରମଣ କଲେ ? ।
ଖୋକନଙ୍କୁ ମରଣାନ୍ତ୍ରକ ଆକ୍ରମଣ- ନୂଆବର୍ଷ ସନ୍ଧ୍ୟାରେ ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି । ଖୋକନ୍ ଚନ୍ଦ୍ର ନାୟକ ଜଣେ ହିନ୍ଦୁ ବ୍ୟବସାୟୀ । କେଉରଭାଙ୍ଗା ବଜାର ସ୍ଥିତ ତାଙ୍କ ଔଷଧ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ବେଳେ ବାଟରେ ତିଲୋଇ ଅଞ୍ଚଳରେ ତାଙ୍କ ଉପରେ କିଛି ବିଶୃଙ୍ଖଳ ଲୋକ ବର୍ବର ଆକ୍ରମଣ କରିଥିଲେ । ଖୋକନଙ୍କୁ ନିସ୍ତୁକ ମାଡ ମାରିବା ସହ ଛୁରି ଭୁସିଥିଲେ ଏବଂ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଖୋକନ ଜୀବନ ବିକଳରେ ନିକଟରେ ଥିବା ପୋଖରୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ସରିଆରତପୁର ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖୋକନ ବଞ୍ଚିଥିଲେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏହି ଆକ୍ରମଣ ପଛର କାରଣ କଣ ଷଡ଼ଯନ୍ତ୍ରକାରୀ କିଏ ତାହା ଜଣାପଡିନାହିଁ ।
୧୪ ଦିନରେ ଚତୁର୍ଥ ଘଟଣା- ହିଂସାର ନିଆଁରେ ଜଳୁଥିବା ବାଂଲାଦେଶରେ ପ୍ରଥମେ ୧୮ ଡିସେମ୍ବର, ୨୦୨୫ରେ ଦୀପୁ ଚନ୍ଦ୍ର ଦାସଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ। ତା ପରେ ତାଙ୍କ ମୃତଦେହକୁ ଗଛରେ ଟଙ୍ଗି ପୋଡ଼ି ଦେଇଥିଲେ । ସୋସିଆଲ ମିଡିଆରେ ହତ୍ୟା ସମୟରେ ଭିଡିଓ ଭାଇରାଲ ହୋଇଥିଲା ଯାହ ଛାତିଥରା ଥିଲା । ଏହା ପରେ ଡିସେମ୍ବର ୨୫ରେ ଏକ ଭିଡ଼ ହିଂସାରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା । ଦୋଷକୁ ଏଡାଇବା ପାଇଁ, ବାଂଲାଦେଶ ଦାବି କରିଥିଲା ଯେ ଅମୃତ ମଣ୍ଡଳ ଜଣେ ଅପରାଧୀ ଏବଂ ଜନତା ତାଙ୍କୁ ବଟି ଆଦାୟ ଯୋଗୁଁ ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ, ଡିସେମ୍ବର ୨୯ରେ, ମେହରାବାରି ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବଜେନ୍ଦ୍ର ବିଶ୍ୱାସ (୪୨)ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଲିସ ଅଭିଯୁକ୍ତ ନୋମାନ ମିଆଁ (୨୯)ଙ୍କୁ ଗିରଫ କରିଥିଲା, ଯିଏ ପରେ ଦାବି କରିଥିଲା ଯେ, ସେ ତାଙ୍କୁ ଥଟ୍ଟାମଜାରେ ଗୁଳି କରିଥିଲେ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ବଢି ଚାଲିଛି । ଏ ହିଂସା ଘୃଣାର ନିଆଁରେ କେବେ ଥମିବ ହିନ୍ଦୁଙ୍କ ଉପରେ ଆକ୍ରମଣ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଛାତ୍ର ନେତା ଉସମାନ ହାଦୀଙ୍କୁ ହତ୍ୟା ପରେ ଅଶାନ୍ତ ଆରମ୍ଭ ହୋଇଛି ।