ନୂଆଦିଲ୍ଲୀ,୧୪/୦୯: ହୀରାକୁଦ ଡ୍ୟାମ  ନିର୍ମାଣ ଶେଷ ହେବା ପରେ ୧୯୫୭ ମସିହାରେ  ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ଏବେ ହେଲାଣି  ୨୦୨୫ । ବିଭିନ୍ନ ସମୟରେ ଡ୍ୟାମର ଦୁଃସ୍ଥିତି  ନେଇ ବିଭିନ୍ନ କମିଟି ରିପୋର୍ଟ ଦେଇଉଛନ୍ତି ।  ଯଦି ଏହାକୁ ଦେଖିବା ଏବେ ଡ୍ୟାମର ଜଳଧାରଣ  କ୍ଷମତା ୩୪ ପ୍ରତିଶତ ହ୍ରାସ ପାଇ ସାରିଲାଣି। ୨୦୫୭ ମସିହାକୁ ବେଳକୁ ଜଳଧାରଣ  କ୍ଷମତା ୫୮ ପ୍ରତିଶତ ହ୍ରାସ ପାଇସାରିଥିବ ।  

ଆଶଙ୍କା ଏହା ଯେ, ୨୧୧୦ ମସିହା ବେଳକୁ  ଡ୍ୟାମର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି  ହୋଇଯିବ । ଜଳଧାରଣ କ୍ଷମତା ଶତ ପ୍ରତିଶତ  ହ୍ରାସ ପାଇଯିବ । ପ୍ରତିବର୍ଷ ଡ୍ୟାମରେ ନିମ୍ନ ଭାଗରୁ ପଙ୍କର ଆସ୍ତରଣ ବଢ଼ିବଢ଼ି ଚାଲିଛି ଏବଂ ଉପରୁ  ଜଳଧାରଣ ସ୍ତର ହ୍ରାସ ପାଇଚାଲିଛି । ଯାହାକି ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଜନଜୀବନ ହାନିର କାରଣ  ହେଉଛି । ରେଙ୍ଗାଳି ଡ୍ୟାମର ସ୍ଥିତି ମଧ୍ୟ ସମାନ ।  ବର୍ତ୍ତମାନ ସ୍ଥିତିରେ ଏହାର ଜଳଧାରଣ କ୍ଷମତା  କେବଳ ୫୦ ପ୍ରତିଶତରେ ସୀମିତ ରହିଛି ।

ଏହାର ଓଡ଼ିଶାର ସର୍ବବୃହତ ଡ୍ୟାମର  ସ୍ଥିତି । ଦେଶବ୍ୟାପୀ ମଧ୍ୟ ସମାନ କଥା । ଡ୍ୟାମ୍‌ ତଥା ଜଳଭଣ୍ଡାରଗୁଡ଼ିକର ଅବସ୍ଥା ଶୋଚନୀୟ । ଜଳସ୍ତର ଯେତିକି ଦର୍ଶାଯାଉଛି ପ୍ରକୃତ ପକ୍ଷେ  ଏହା ତା’ଠାରୁ ବହୁ ମାତ୍ରାରେ କମ୍‌  । ଅସଲ କଥା ହେଉଛି ଜଳଭଣ୍ଡାର ଗୁଡ଼ିକରେ ତଳଆଡ଼ୁ  ପଙ୍କର ମୋଟା ପରସ୍ତ ତିଆରି ହୋଇଚାଲିଛି ।  ନିର୍ମାଣ ଢାଞ୍ଚାରେ ତ୍ରୁଟି ଯୋଗୁ ବନ୍ୟା ସମୟରେ ଉପରମୁଣ୍ଡରୁ ପାଣି ସହିତ ପ୍ରଚୁର ମାତ୍ରାରେ ପଟୁମାଟି ଏବଂ ପଙ୍କ କାଦୁଅ ଡ୍ୟାମ୍‌ଗୁଡ଼ିକରେ ଧସେଇ ପଶୁଛି । ଏଗୁଡ଼ିକ ଜମି ରହିବା ସହିତ ସମୟ କ୍ରମେ ତଳଆଡୁ ମାଟିର ଏକ ମୋଟା ପରସ୍ତ ବନିଗଲାଣି । ଏହି  ପରସ୍ତ ଦିନକୁ ଦିନ ବଢ଼ିଚାଲିଛି । ଫଳରେ ଜଳସ୍ତର ଉପରକୁ ଉଠିଯାଉଛି । କିନ୍ତୁ  ଜଳ ମାତ୍ରା ନୁହେଁ । ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ସାଇନ୍ସ ଏଜୁକେଶନ୍‌ ଆଣ୍ଡ୍‌ ରିସର୍ଚ୍ଚ  (ଆଇଆଇଏସ୍‌ଇଆର୍‌), ଭୋପାଳ ପକ୍ଷରୁ  ପ୍ରସ୍ତୁତ ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଅନେକ ଡ୍ୟାମ୍‌  ଏବଂ ଜଳଭଣ୍ଡାରଗୁଡ଼ିକର ଷ୍ଟୋରେଜ୍‌ କ୍ଷମତା  ୫୦% କମିଗଲାଣି । ଏଥିଯୋଗୁ ଏଗୁଡ଼ିକର  ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା କମୁଛି ।

ତା’ସହିତ ବନ୍ୟା ଏବଂ ମରୁଡ଼ିରୁ ସମ୍ପ୍ରଦାୟଙ୍କୁ ସୁରକ୍ଷା ଦେବାରେ ଏଗୁଡ଼ିକ ଅସମର୍ଥ ପାଲଟିଲେଣି । ଏହି ସମସ୍ୟା ଯୋଗୁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବ । ସହସ୍ରାଧିକ ଲୋକେ ଜଳ ସଂକଟର ସାମ୍ନା କରିବେ । ବିଦ୍ୟୁତ୍‌ ଅଭାବ ସ୍ଥିତି ଉପୁଜିବା ସହ ବନ୍ୟା ଏବଂ ମରୁଡ଼ି ଭଳି ଦୁର୍ବିପାକ ସାଧାରଣ ପାଲଟିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

୧୦୦ ନିୟୁତ କ୍ୟୁବିକ୍‌ ମିଟରରୁ ଅଧିକ ଷ୍ଟୋରେଜ୍‌ ଥିବା  ୩୦୦ରୁ ଊଦ୍ଧ୍ୱର୍ ଜଳଭଣ୍ଡାରର ସରକାରୀ ରେକର୍ଡକୁ ସମୀକ୍ଷା  କରାଯାଇ ଏ ରିପୋର୍ଟ ପ୍ରସ୍ତୁତ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଛି,  ଏକାଧିକ ଡ୍ୟାମ୍‌ ଷ୍ଟୋରେଜ୍‌ କ୍ଷମତାର ୫୦%ରୁ ଅଧିକ  ହରାଇଲେଣି । ୨୦୫୦ ସୁଦ୍ଧା ଆହୁରି ଅନେକ ବିଶେଷକରି  ହିମାଳୟ ଅଞ୍ଚଳରେ ଥିବା ଜଳଭଣ୍ଡାରଗୁଡିକ ସମାନ ସ୍ତରକୁ  ଚାଲିଯିବେ । ନର୍ମଦା-ତାପି ଅବବାହିକା, ପଶ୍ଚିମ ଘାଟ ଏବଂ ଇଣ୍ଡୋଗାଙ୍ଗେୟ ସମତଳ ଅଞ୍ଚଳ ସମାନ ସ୍ତରକୁ ଆସିପାରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଏହାର ମୁଖ୍ୟ କାରଣ  ହେଉଛି କୃଷିଜନିତ ମୃତ୍ତିକା କ୍ଷୟ, ଜଙ୍ଗଲ ନଷ୍ଟ ଏବଂ ବନ୍ୟା ।  

ଅଧ୍ୟୟନର ନେତୃତ୍ୱ ନେଇଥିବା ଆଇଆଇଏସ୍‌ଇଆର୍‌  ଭୋପାଳର ଆସିଷ୍ଟାଣ୍ଟ ପ୍ରଫେସର ଡ. ସୋମିଲ ସ୍ୱର୍ଣ୍ଣକର କୁହନ୍ତି,  ଦେଶର ୫,୭୦୦ରୁ ଊଦ୍ଧ୍ୱର୍ ବଡ଼ ବଡ଼ ଜଳଭଣ୍ଡାରଗୁଡ଼ିକରେ  ସାଂରଚନିକ ଯାଞ୍ଚକୁ ସୁଦୃଢ଼ କରିବା ପାଇଁ ‘ଇଣ୍ଡିଆଜ୍‌ ଡ୍ୟାମ୍‌  ସେଫ୍ଟି ଆକ୍ଟ-୨୦୨୧’ ଆସିଥିଲା । କିନ୍ତୁ ଆମ ମତରେ ସୁରକ୍ଷା  କେବଳ କାନ୍ଥ ଏବଂ ଫାଟକ ମଧ୍ୟରେ ସୀମିତ ରହିପାରିବ  ନାହିଁ । ୫୦% ଷ୍ଟୋରେଜ୍‌ କ୍ଷମତା ହରାଉଥିବା ଏକ ଜଳଭଣ୍ଡାର  ହୁଏତ ଭୁଷୁଡ଼ି ନ ପାରେ କିନ୍ତୁ ଏହା ଉପରେ ନିର୍ଭର  କରୁଥିବା ସମ୍ପ୍ରଦାୟଙ୍କ ପାଇଁ ଏହା ଅକାମୀ ହୋଇଯାଏ ।  

ବିଶେଷଜ୍ଞମାନେ ଜଳାଶୟ ବନୀକରଣ,  ଉପରମୁଣ୍ଡରେ ମୃତ୍ତିକା ସଂରକ୍ଷଣ, ଚେକ୍‌ ଡ୍ୟାମ୍‌,  ଜଳାଶୟ ଫ୍ଲଶିଂ ସିଷ୍ଟମ ଏବଂ ନିୟମିତ ହାଇଡ୍ରୋଗ୍ରାଫିକ୍‌  ସର୍ଭେ ଉପରେ ଫୋକସ୍‌ କରିବା ପାଇଁ ମତ ଦେଇଛନ୍ତି ।  

ଆଇଆଇଏସ୍‌ଇଆର୍‌ ଅଧ୍ୟୟନରେ ଏକ ସ୍ପଷ୍ଟ ଚେତାବନୀ  ଦିଆଯାଇଛି । ଭାରତ ଜଳଭଣ୍ଡାରଗୁଡ଼ିକୁ ଚୀରସ୍ଥାୟୀ ସମ୍ପତ୍ତି ଭାବେ  ଦେଖିବା ବନ୍ଦ କରୁ । ସକ୍ରିୟ ପରିଚାଳନା ବିନା ଜଳଭଣ୍ଡାରଗୁଡ଼ିକ  ପଙ୍କରେ ପୋତି ହୋଇଯିବା ଥୟ । ଫଳରେ ଏଥିରେ କରାଯାଉଥିବା  କୋଟି କୋଟି ଟଙ୍କାର ନିବେଶ ବ୍ୟର୍ଥ ଯିବ । ଗବେଷକମାନଙ୍କ  ଅନୁସାରେ, ୨୦୫୦ ସୁଦ୍ଧା ଏକାଧିକ ପ୍ରମୁଖ ଜଳଭଣ୍ଡାରଗୁଡ଼ିକ  ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହେବେ ।