ଭୁବନେଶ୍ୱର,୨୮/୦୧:  ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବାକୁ ଇତିମଧ୍ୟରେ ତିନିଦିନ ବିତିଗଲାଣି । ଦିନ ଗଡ଼ିବା ସାଙ୍ଗକୁ ମେଳାରେ ଭିଡ଼ ବି ଧୀରେ ଧୀରେ ବଢ଼ିବାରେ ଲାଗିଛି । ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗହ୍ୱର ପ୍ରକମ୍ପିତ ହେଉଛି । ଚାଲିଛି ବେଦ, ଭାଗବତ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ଲୋକମାନେ ସାଧୁସନ୍ୟାସୀଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଭିଡ଼ ଜମାଉଛନ୍ତି । ମେଳା ବୁଲିବା ସାଙ୍ଗକୁ ସନ୍ଧ୍ୟାରେ ଖଣ୍ଡଗିରି ପାନ୍ଥିକାରେ ଖାରବେଳ ମହୋତ୍ସବକୁ ଉପଭୋଗ କରୁଛନ୍ତି । ସେପଟେ ଗତକାଲିଠୁ ଆରମ୍ଭ ହୋଇଛି ଯାତ୍ରା ମହାକୁମ୍ଭ । ମୋଟାମୋଟି ଭାବେ ଖଣ୍ଡଗିରି ମେଳା ସାରା ରାଇଜର ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଉଛି ।  ମେଳା ସହ ଆରମ୍ଭ ହୋଇଛି ବିଶ୍ୱାସ ଓ ଅନ୍ଧବିଶ୍ୱାସର ଖେଳ । 

ନୟାଗଡ଼ର ବାବୁଲା ମହାନ୍ତି । ଦୀର୍ଘ ୮ବର୍ଷ ହେବ ବାତ ଓ ସାଇଟିକା ରୋଗରେ ଆକ୍ରାନ୍ତ । ପ୍ରତିବର୍ଷ ଖଣ୍ଡଗିରି ମେଳା ହେଲେ ବାବୁଲା ଆସି ସାଧୁସନ୍ଥଙ୍କୁ ଭେଟନ୍ତି । ଏବର୍ଷ ବି ଆସିଛନ୍ତି । ବାବାଙ୍କୁ ନିଜ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପଚାରୁଛନ୍ତି । ବାବା ବି ତାଙ୍କ ଶରୀରରେ ହାତ ମାରି ରୋଗ ଶୀଘ୍ର ଭଲ ହେବ ବୋଲି ଆଶ୍ୱାସନା ଦେଉଛନ୍ତି । ଯାହା ଶୁଣି ବାବୁଲା ଖୁସି । କେବଳ ବାବୁଲା ନୁହନ୍ତି, ତାଙ୍କ ଭଳି ଅନେକ ଶ୍ରଦ୍ଧାଳୁ ଆସି ବାବାଙ୍କୁ ଭେଟିଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଖଣ୍ଡଗିରି ମାଘମେଳାକୁ କମ୍‌ ସାଧୁ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଷ୍ଟାଣ୍ଡିଙ୍ଗ୍‌ ବାବା ଓ ଡାକ୍ତର ବାବାଙ୍କ କ୍ରେଜ୍‌ ଅଧିକ । ପାରାଲିସିସ୍‌ ହେଉ ଅବା ଦୁସାଧ୍ୟ କର୍କଟ, ଆଣ୍ଠୁଗଣ୍ଠି ଜନିତ କିମ୍ବା ଚର୍ମ ରୋଗ । ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବେ ଖଣ୍ଡଗିରିକୁ ଯାଇ ଏହି ବାବାଙ୍କୁ ଭେଟୁଛନ୍ତି । ହରିଦ୍ୱାରରୁ ଆସିଥିବା ଷ୍ଟାଣ୍ଡିଙ୍ଗ୍‌ ବାବା ଦୀର୍ଘ ୧୫ବର୍ଷ ହେବ ଠିଆ ହୋଇ ସାଧନା କରୁଛନ୍ତି । ରୋଗୀଙ୍କ ମୁହଁ ଦେଖି ସେ ରୋଗ ଚିହ୍ନି ପ୍ରତିକାର ପାଇଁ ବାଟ ଦେଖାଉଥିବା ଦାବି କରିଛନ୍ତି । ସେହିପରି ଡାକ୍ତର ବାବା ଓରଫ୍‌ ବାବା ମହନ୍ତ ମୋହନ ଗିରି ବି ପଛରେ ନାହାନ୍ତି । ଯେ କୌଣସି ରୋଗ ହେଉ, ଲୋକେ ତାଙ୍କୁ ଆସି ପଚାରୁଛନ୍ତି ଓ ନିରାକରଣ ବୁଝୁଛନ୍ତି । 

ଉଜ୍ଜୟିନୀରୁ ଆସିଥିବା ବମ୍‌ବମ୍‌ ପୁରୀ ଦିଗମ୍ବର, କରୁଣାକର ପୁରୀ, ଛୁଆ ବାବା, ପ୍ରେମ୍‌ ବାବା, ବାବା ଆର୍ତ୍ତତ୍ରାଣ, ବଳରାମ ଦାଶଙ୍କ ସହ ଅନ୍ୟ କେତେକ ସାଧୁ ମଧ୍ୟ ରୋଗ ବିଷୟରେ ପରାମର୍ଶ ଦେଉଛନ୍ତି । ଆଉ ଜଣେ ହେଲେ କଟପା ବାବା । କଳା ରଙ୍ଗର ପୋଷାକ ପରିଧାନ କରି ହାତରେ ଖଣ୍ଡା ଧରିଛନ୍ତି । ମୁହଁରେ କଳା ଓ ନାଲି ରଙ୍ଗ ବୋଳି କଟପା ବାବା ଖଣ୍ଡଗିରିକୁ ଆସିଛନ୍ତି । ସ୍ଥାନୀୟ ଲବଣଗିରି ପାହାଡ଼ାରୁ ବାବା ଆସିଛନ୍ତି । ସେ ବି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତେବେ ଆୟୁର୍ବେଦର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଖଣ୍ଡଗିରିକୁ ଆସୁଥିବା ଷ୍ଟାଣ୍ଡିଙ୍ଗ୍‌ ବାବା କହିଛନ୍ତି । ତେବେ ରୋଗ ନିରାକରଣ ପାଇଁ ବାବାଙ୍କ ପରାମର୍ଶ କେତେଦୂର ଠିକ୍‌ ତାହା କେବଳ ସେହି ଭକ୍ତ ଜାଣିବେ । ତେବେ ମେଳା ପ୍ରାରମ୍ଭରେ ଖଣ୍ଡଗିରିରେ କୌଣସି ପ୍ରକାରର ଅପସଂସ୍କୃତି, ଗୁଣି କିମ୍ବା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି ବୋଲି ବିଶ୍ୱସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପୁଲିସକୁ ଭେଟି ପରିଷଦର କର୍ମକର୍ତ୍ତାମାନେ ଦାବିପତ୍ର ଦେଇଛନ୍ତି ।

ଆହୁରି ପଢନ୍ତୁ-ବୁଧବାରଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆବେଦନ: ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ମେ' ୪ରୁ ୯ ଯାଏ ପରୀକ୍ଷା​​​​​​​

ଅନ୍ୟପଟେ, ଦେଶୀୟଙ୍କ ସହ ଋଷିଆ ଓ ଇଟାଲିରୁ ବିଦେଶୀ ପର୍ଯ୍ୟଟକ ଆଜି ଖଣ୍ଡଗିରି ମେଳାକୁ ଆସିଥିଲେ । ଏହି ବିଦେଶୀ ପର୍ଯ୍ୟଟକମାନେ ସାଧୁସନ୍ଥଙ୍କ ସହ ଫଟୋ ଉଠାଇବା ସହ ମେଳାର ମାହାତ୍ମ୍ୟ ବୁଝିଥିଲେ । ଐତିହ୍ୟ ଗୁମ୍ଫା ବୁଲି ଦେଖିଥିଲେ । ଖଣ୍ଡଗିରି ମାଘମେଳା ଅବସରରେ ବିଶ୍ୱସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ସୁବର୍ଣ୍ଣ ଜୟନ୍ତୀ । ଚଳିତବର୍ଷ ୫୦ବର୍ଷରେ ପହଞ୍ଚିଛି । ସେଥିପାଇଁ ପରିଷଦ ପକ୍ଷରୁ ଯଜ୍ଞ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଛି । ସୋମବାର ଗଣତନ୍ତ୍ର ଦିବସ ଥିବାରୁ, ଖଣ୍ଡଗିରିରେ ପ୍ରବଳ ଭିଡ ଜମିଥିଲା । ରାତି ୧୧ଟା ପର୍ଯ୍ୟନ୍ତ ମୁଣ୍ଡିଆକୁ ଭକ୍ତଙ୍କ ଯାତାୟାତ ଲାଗିରହିଥିଲା । ମେଳାରେ ଆଉ କାହାପାଇଁ କିଛି ଥାଉକି ନ ଥାଉ ଖାଦ୍ୟପ୍ରେମୀ ମାନଙ୍କ ପାଇଁ କିନ୍ତୁ ଖାଦ୍ୟଦ୍ରବ୍ୟର ବିପୁଳ ସମ୍ଭାର ଭରି ରହିଛି । ଚାଟ୍‌, ଗୁପ୍‌ଚୁପ୍‌, ଦହିବରା ଆଳୁଦମ୍‌, ଠୁଙ୍କାପୁରୀ, ଜିଅନ୍ତା ଘୁଗୁନି, ମଥୁରା କେକ୍‌, ଲଙ୍କା ଚପ୍‌ ଯାହାକୁ ଯେତେ । କେନ୍ଦ୍ରପଡ଼ା ରସାବଳି, ନିମାପଡ଼ା ଛେନାଝିଲି, ସାଲେପୁର ରସଗୋଲା, କଟକୀ ଚାଟ୍‌, ଢ଼େଙ୍କାନାଳ ପ୍ରସିଦ୍ଧ ବରା ଆଦି ଲୋକଙ୍କୁ ଆକର୍ଷିତ କରୁଛି ।