ଭୁବନେଶ୍ୱର, ୧୮/୦୩:  ରାଜ୍ୟରେ ବଢୁଛି ଏଚ୍‌ଆଇଭି ସଂକ୍ରମିତ  ରୋଗୀଙ୍କ ସଂଖ୍ୟା । ୨୦୨୧-୨୨ରେ  ୨୩୪୧ ଏଚଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ  ୩୨୩୨ ଜଣ ଏବଂ ୨୦୨୩-୨୪  ବର୍ଷରେ ୩୪୩୬ଜଣ ଏଚଆଇଭି  ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।  

ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ  ମୋଟ ୬୩,୭୪୨ ଏଚଆଇଭି ରୋଗୀ  ଚିହ୍ନଟ ହୋଇଛନ୍ତି । ଅର୍ଥାତ୍‌ ବିଗତ ତିନି ବର୍ଷରେ ୯ହଜାର ୯ଜଣ ଏଚଆଇଭି  ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।  ସୋମବାର ବିଧାନସଭାରେ ବିଧାୟକ  ଓମ୍‌ ପ୍ରକାଶ ମିଶ୍ରଙ୍କ ଅଣତାରକା  ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ  ଏହି ତଥ୍ୟ ପ୍ରଦାନ କରିଛନ୍ତି । 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ,  ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ  ରୋକିବା ଲାଗି ମୋଟ ୧୬୭ଟି  ସ୍ୱତନ୍ତ୍ର ପରାମର୍ଶ ଓ ପରୀକ୍ଷା କେନ୍ଦ୍ର, ୭ଟି ବେସରକାରୀ ସହଭାଗିତା  କେନ୍ଦ୍ର ଓ ୧୨୩୨ଟି ସୁବିଧା ପରାମର୍ଶ  ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ  କରୁଛି । ସଂକ୍ରମିତ ରୋଗୀଙ୍କ ଚିକିତ୍ସା  ତଥା ସଂକ୍ରମଣ ହାରକୁ ପ୍ରଶମିତ  କରିବା ପାଇଁ ମୋଟ ୨୦ଟି ଆର୍ଟ  କେନ୍ଦ୍ର, ୧୭ଟି ଲିଙ୍କ୍‌ ଆର୍ଟ ତଥା ୧୨ଟି  ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି ।  

ସେହିପରି ଆଶଙ୍କା ପ୍ରବଣ  ଗୋଷ୍ଠୀଙ୍କ ମଧ୍ୟରେ ଏଚଆଇଭି  ସଂକ୍ରମଣ ହାରକୁ ରୋକିବା ପାଇଁ  ରାଜ୍ୟରେ ୫୨ଟି ଲକ୍ଷ୍ୟଭେଦି ପ୍ରକଳ୍ପ  ଓ ୮୦୦ ଗ୍ରାମରେ ୭ଟି ଲିଙ୍କ୍‌ ୱାର୍କର  ଯୋଜନା କାର୍ଯ୍ୟକାରୀ କରୁଛି । ରାଜ୍ୟରେ  ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଏଚ୍‌ଆଇଭି  ସଂକ୍ରମଣ ହାରକୁ ରୋକିବା ପାଇଁ ୧୧ଟି  ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ବିଭିନ୍ନ  ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।  

ଏଚଆଇଭି ସଂକ୍ରମଣ ରୋକିବା  ପାଇଁ ସୂଚନା, ଶିକ୍ଷା ଓ ପ୍ରସାରଣ  କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ବିଦ୍ୟାଳୟ  ଓ ମହାବିଦ୍ୟାଳୟରେ ୬୪୦ଟି ରେଡ୍‌ ରିବନ୍‌ କ୍ଲବ ଖୋଲାଯାଇ ଯୁବ  ଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି  କରାଯିବା ସହ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍‌  ମିଡିଆ ମାଧ୍ୟମରେ ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି  କରାଯାଉଛି । ଏଥିସହ ଏଚଆଇଭି  ସଂକ୍ରମିତ ଗର୍ଭବତୀଙ୍କର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ କରାଇବା ନିମନ୍ତେ ଆଶା କର୍ମୀଙ୍କୁ ୫୦୦ ଟଙ୍କା  ଏବଂ ଗର୍ଭବତୀଙ୍କୁ ୫୦୦ ଟଙ୍କା  ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।