ଭୁବନେଶ୍ୱର/ରାଉରକେଲା,୧୦/୦୧: ବେଦାନ୍ତ କଳିଙ୍ଗ ଲାନସର୍ସ ୨-୧ ଗୋଲରେ ଗୋନାଶିକାକୁ ହରାଇ  ଚଳିତ ଏଚ୍‌ଆଇଏଲ୍‌ରେ ଦ୍ୱିତୀୟ ବିଜୟ ହାସଲ  କରିଛି । ଏଥିସହ ଦଳ  ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । 

ଲାନସର୍ସ ଓ ଗୋନାଶିକା ମ୍ୟାଚ୍‌ ବେଶ  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଗୋନାଶିକା ଗୋଲ ଖାତା  ଖୋଲିଥିଲା । ୧୪ ମିନିଟରେ ଏସ୍‌ଭି ସୁନୀଲ ଚମତ୍କାର ଫିଲ୍ଡ ଗୋଲ୍‌ ଦେଇ  ଦଳକୁ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଲାନସର୍ସ ଏହି ଗୋଲ୍‌ ପରିଶୋଧ କରିଥିଲା । ୨୮ ମିନିଟରେ କିନା ଆଣ୍ଟୋଇନେ ଏହି ଗୋଲ  ଦେଇଥିଲେ । ପୁଣି ତୃତୀୟ କ୍ୱାର୍ଟର ଆରମ୍ଭରୁ ଲାନସର୍ସ ଦ୍ୱିତୀୟ ଗୋଲ୍‌  (୩୩ ମିନିଟରେ ଆରନ ଜେଲେସ୍କି) ଦେଇ ୨-୧ରେ ଆଗୁଆ ହୋଇଥିଲା ।  

ଖେଳର ପରବର୍ତ୍ତୀ ସମୟ ଅତି ସଂଘର୍ଷପୂର୍ଣ୍ଣ ଥିଲା । ଗୋନାଶିକା  ପ୍ରତ୍ୟାବର୍ତ୍ତନ କରିବା ନେଇ ସମସ୍ତ ବଳ ଲଗାଇ ଦେଇଥିଲା । ସେମିତି  ଲାନସର୍ସ ମଧ୍ୟ ଅଧିକ ଗୋଲ୍‌ ଦେବା ନେଇ ଆକ୍ରମଣକୁ ତୀବ୍ର କରିଥିଲା ।  କିନ୍ତୁ ଉଭୟ ଦଳ ନିଜ ନିଜର ପ୍ରୟାସରେ ବିଫଳ ରହିଥିଲେ । ଶେଷରେ  ଗୋଟିଏ ଗୋଲରେ ଅଗ୍ରଣୀ ସହ ଲାନସର୍ସ ବିଜୟୀ ହୋଇଥିଲା । 

ସିଜନରେ ଲାନସର୍ସ ୫ଟି ମ୍ୟାଚ୍‌ରୁ ୨ଟି ବିଜୟ, ଗୋଟିଏ ଖେଳର  ନିର୍ଦ୍ଧାରିତ ସମୟରେ ମଧ୍ୟରେ ଡ୍ର’ ଏବଂ ୨ଟି ପରାଜୟ ସହ ମୋଟ୍‌ ୭ ପଏଣ୍ଟ  ପାଇଛି । ବେଙ୍ଗଲ ଟାଇଗର୍ସ ୯, ତାମିଲନାଡୁ ଡ୍ରାଗନ୍ସ ୯ ଏବଂ ଲାନସର୍ସ ୭  ପଏଣ୍ଟ ପାଇଁ ଟେବୁଲରେ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି ।